ଦଶରଥପୁର : ଦଶରଥପୁର ବ୍ଲକ ମଂଗଳପୁର ପଂଚାୟତ କେଳାପତି ଗୋଚର ପଡିଆରେ ବାଉଣ୍ଡାରୀ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି । ପ୍ଲଟ ନମ୍ବର ୧୦୪୯ରେ ୫୮ ଡେସିବିଲ ଗୋଚର ଜମିରହିଥିବାବେଳେ ପୂର୍ବରୁ ସେଠାରେ ଏକ କେଗା ପାଣି ପ୍ରକଳ୍ପ ନିର୍ମାଣ ସରିଛି । ପୁନଶ୍ଚ ସେଠାରେ ଏକ ନୂତନ କାର୍ଯ୍ୟ ପାଇଁ ବାଉଣ୍ଡାରୀ ପାଇଁ ମାଟିଖୋଳା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସରକାରୀ କାର୍ଯ୍ୟ ହୋଇଥିବାରୁ କୌଣସି ସୂଚନାଫଳକ ଲଗାନଯିବା ଏବଂ ଗୋଚର ଜମିରେ କୌଣସି କାର୍ଯ୍ୟ ହୋଇପାରିବନି ।
ମାତ୍ର ଏହାକୁ ବେଖାତିର କରି ମଂଗଳପୁର ପଂଚାୟତ ଅଧିକାରୀମାନେ କାର୍ଯ୍ୟଆରମ୍ଭ କରିଥବାରୁ ଗାଁ ଲୋକେ ବିରୋଧ କରିଥିଲେ । ଗାଁର କାହ୍ନୁ ଜେନା, ସନ୍ତୋଷ ଜେନା, ଡମ୍ବୁରୁ ଜେନା, ଦିନବଂଧୁ ଜେନା, ସୁରେନ୍ଦ୍ର ଜେନା, କ୍ଷୀରୋଦ ଜେନା, କୈଳାସ ଜେନା, ରମାକାନ୍ତ ଜେନା, ନାଗେଶ୍ୱର ଜେନା, ସହଦେବ ଜେନା, ଗୋକୁଳାକାନ୍ତ ଜେନାଙ୍କ ସମେତ ଶତାଧିକଲୋକେ ଆଜି ସକାଳୁ କେଳାପତି ପଡିଆ ଠାରେ ଚାଲିଥିବା କାର୍ଯ୍ୟକୁ ବିରୋଧ କରି ବନ୍ଦ କରିଥିଲେ ।
ଘଟଣାସ୍ଥଳରେ ଉତେଜନା ଥିବା ଖବର ପାଇ ମଂଗଳପୁର ଆଇଆଇସି ଅସିତରଂଜନ ମହାନ୍ତି ସଦଳବଳେ ପହଂଚି ପରିସ୍ଥିତିକୁ ଆୟତ କରିଥିଲେ । ସମ୍ପକ୍ତ ଜମିଟିକେଉଁ କିସମର ତହସିଲଦାରଙ୍କ ମାଧ୍ୟମରେ ଚିହ୍ନଟ ହେବାପରେ ଗ୍ରାମବାସୀଙ୍କ ସହମତିରେ କାର୍ଯ୍ୟହେବା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରଖିବାକୁ ପରାମର୍ଶ ଦେଇଥିଲେ ଆଇଆଇସି ଶ୍ରୀ ମହାନ୍ତି । ପ୍ରକାଶଥାଉକି ଏହି କେଳାପତି ପଡିଆଟି ପଂଚାୟତର ଏକମାତ୍ର ଗୋଚର ଜମି ହୋଇଥିବାରୁ ଏଠାରେ ଗାଁଗୋରୁ ଚରିବା, ଶବଦାହ ହେବା, ଗାଁ ପିଲା ଖେଳକୁଦ କରିବା ଭଳି ସାମୁହିକ କାର୍ଯ୍ୟ ହୋଇଥାଏ । ଏହାଛଡା ପୂର୍ବରୁ ଏଠାରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ସରିଛି । ଏଣୁ ଏହି କାର୍ଯ୍ୟଟିକୁ ଅନ୍ୟତ୍ର କରିବାକୁ ଗ୍ରାମବାସୀମାନେଦାବୀ କରିଛନ୍ତି
