ଦଶରଥପୁର, ତା୧୦/୨ – ଦଶରଥପୁର ବ୍ଲକ୍ସ୍ଥ ଝୁମ୍ପୁରୀ ବଜାରରେ ଏକ ବ୍ୟବସାୟ ପ୍ରତିଷ୍ଠାନରେ ଗତ ରାତିରେ ବିଦୁ୍ୟତ୍ ସର୍ଟସର୍କିଟ୍ରୁ ନିଆଁ ଲାଗି ପ୍ରାୟ ୮ ଲକ୍ଷରୁ ଉଦ୍ଧ୍ୱର୍ ମୂଲ୍ୟର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଖବରରୁ ଜଣାପଡ଼ିଛି ଯେ, ଏହି ବଜାରରେ ଲୁହାଲତା ଓ ରଙ୍ଗ ଦୋକାନ କରିଥିବା ଅଜୟ କୁମାର ସାହୁଙ୍କ ଦୋକାନରେ ଗତକାଲି ମଧ୍ୟରାତ୍ରିରେ ଦୋକାନ ଭିତରେ ନିଆଁ ଲାଗିଯାଇଥିଲା । ଫଳରେ ଦୋକାନରେ ଥିବା ବିଭିନ୍ନ ଦାମୀ କମ୍ପାନୀର ରଙ୍ଗ ସହ ଗଚ୍ଛିତ ଥିବା ଲୁହାଲତା ସାମଗ୍ରୀଗୁଡ଼ିକ ପୋଡ଼ି ପାଉଁଶ ହୋଇଯାଇଛି । ନିଆଁ ମଧ୍ୟରାତ୍ରିରୁ ଲାଗିଥିଲେ ସୁଦ୍ଧା କେହି ଜାଣିପାରିନଥିବାବେଳେ ସକାଳୁ ପାଖର କିଛି ବ୍ୟବସାୟୀ ଦୋକାନ ଘରୁ ଧୂଆଁ ବାହାରୁ ଥିବାର ଦେଖି ଖବର ଦେଇଥିଲେ । ଖବରପାଇ ଦଶରଥପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ସେତେବେଳେକୁ ଦୋକାନର ସମସ୍ତ ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ଆନୁମାନିକ ୮ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଏହି ନିଆଁ ବିଦୁ୍ୟତ୍ ସର୍ଟସର୍କିଟରୁ ହୋଇଛି ବୋଲି ଅନୁମାନ କରାଯାଉଛି । ସ୍ଥାନୀୟ ଦଶରଥପୁର ଆର.ଆଇ. ଘଟଣାସ୍ଥଳ ପରିଦର୍ଶନ କରି ଅଗ୍ନିକାଣ୍ଡର ପ୍ରାଥମିକ ରିପୋର୍ଟ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି । କ୍ଷତିଗ୍ରସ୍ତ ଏହି ବ୍ୟବସାୟୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଝୁମ୍ପୁରୀ ବଜାର ବଣିକ ସଂଘ ପକ୍ଷରୁ ତହସିଲଦାରଙ୍କ ନିକଟରେ ଦାବୀ କରାଯାଇଛି ।