ଦଶପଲ୍ଲା ୨୭/୪ :ଦିନକୁ ଦିନ ସମାଜ ରୁ ହଜି ହଜି ଯାଉଛି ବହୁ ଐତିହାସିକ ସାମଗ୍ରୀ । ଯାହାକୁ ପରପିଢି ଦେଖି ପାରୁନାହାଁନ୍ତି। ଅତୀତ ରେ ମନୁଷ୍ୟ କିଭଳି ଚଳୁଥିଲା ,କଣ ବ୍ୟବହାର କରୁଥିଲା ତାହା ଆମ ପରପିଢି ଇତିହାସ ରେ ବର୍ଣ୍ଣିତ ବିଷୟ ପଢେ, ମାତ୍ର ଏହାକୁ ଦେଖିପାରେ ନାହିଁ । ପୂର୍ବରୁ ମନୁଷ୍ୟ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ ଗୁଡିକୁ ମନୁଷ୍ୟ ସହଜରେ ଦେଖି ପାରେ ନାହିଁ। ସେହି ହଜି ଯାଉଥିବା ପୁରୁଣା ସାମଗ୍ରୀ କୁ ସଂଗ୍ରହ କରି ଛାତ୍ର ଛାତ୍ରୀ ମାନଙ୍କୁ ଦେଖାଇବା ପାଇଁ ଦଶପଲ୍ଲା ରେ ରହିଛି ଦଶପଲ୍ଲା ଶୈକ୍ଷିକ ସଂଗ୍ରହାଳୟ । ଏହି ସଂଗ୍ରହାଳୟ ରେ ରହିଛି ଇଜିପ୍ଟ ର ପାପୀରସ, କାଠ ରେ ନିର୍ମିତ କ୍ୟାମେରା , ୧୬୯ ଟି ଦେଶ ର ରହିଛି ଡାକ ଟିକେଟ, ମୁଦ୍ରା ଓ କାଗଜ ଟଙ୍କା, ଛଉ ମୁଖା, ଚକାସାର, ଗଞ୍ଜାପା, ୧୫ ଶହ ତାଳ ପୋଥି, ଦଶପଲ୍ଲା ରାଜା ଙ୍କ ଦଲିଲ, ସହ ରହିଛି ରେକର୍ଡ ପ୍ଲେୟର ଓ ପୂର୍ବ ପୁରୁଷ ମାନେ ବ୍ୟବହାର କରୁଥବା ବିଭିନ୍ନ ଅଳଙ୍କାର ସହ ଘରୋଇ ସାମଗ୍ରୀ । ଯାହାକୁ ଅଷ୍ଟମଶ୍ରେଣୀରୁ ଗୋଟିଏ ଗୋଟିଏ ସାମଗ୍ରୀ ସଂଗ୍ରହ କରି କରି ଏବେ ସଂଗ୍ରହାଳୟ ସୃଷ୍ଟି କରି ପାରିଛନ୍ତି ଜଣେ ଅବସର ନୌସେନା ସୈନିକ ଓ ବର୍ତମାନ ଭାରତ ସରକାର ଙ୍କ ରେଲୱେ ମ୍ୟାନେଜର ଭାବେ କାର୍ଯ୍ୟରତ ଅନିଲ କୁମାର ସାହୁ । ପେସାରେ ଜଣେ କେନ୍ଦ୍ର ସରକାର ଙ୍କ କର୍ମଚାରୀ ହୋଇଥିଲେ ମଧ୍ୟ ନିଶାରେ ଜଣେ ସଂଗ୍ରାହକ । ଯିଏ କି ଦେଶ ଓ ବିଦେଶ ର ବିଭିନ୍ନ ସ୍ଥାନରୁ ବହୁ ପୁରୁଣା ସାମଗ୍ରୀ ସଂଗ୍ରହ କରି ନିଜ ସଂଗ୍ରହାଳୟ ରେ ସାଇତି ରଖିଛନ୍ତି ବହୁ ପୁରୁଣା ବା ଐତିହାସିକ ସାମଗ୍ରୀ ।ସରକାର ଙ୍କ ବିନା ସହାୟତାରେ ଅନିଲ କୁମାର ସାହୁ ଏଭଳି ପୁରୁଣା ସାମଗ୍ରୀ ସଂଗ୍ରହ କରିପାରିଥିବା ବେଳେ ନିଜ ଘରେ ସୃଷ୍ଟି କରି ପାରିଛନ୍ତି ସଂଗ୍ରାହଳୟ, ଯେଉଁଥିରେ ପୁର୍ଣ ସହଯୋଗ କରିଛନ୍ତି ତାଙ୍କ ପରିବାର । ଆଗକୁ ଏହି ସଂଗ୍ରହାଳୟ କୁ ବଡ କରି ଗଢି ତୋଳିବାକୁ ଅନିଲ ଆଶା ବାନ୍ଧିଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହା ପାଲଟିଛି ଶୈକ୍ଷିକ ସଂଗ୍ରାହଳୟ ।