ଦଶପଲ୍ଲା୨୩/୪ : ବାଣୀଗୋଛା ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମରେ ଗ୍ରାମପୋଖରୀ ରୁ ମାଛ ମରାକୁ କେନ୍ଦ୍ର କରି ମାଡ଼ପିଟ ଘଟଣା ରେ ପୋଲିସ ପକ୍ଷରୁ ଏକ ମୋକଦମ୍ମା ରୁଜୁ କରାଯାଇ ଘଟଣାରେ ସଂପୃକ୍ତ ଥିବା ୯ ଜଣ ଗ୍ରାମବାସୀ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ କୁ ପଠାଇ ଦିଆ ଯାଇଛି । ଗିରଫ ୯ ଜଣ ଗ୍ରାମବାସୀ ଙ୍କ ନାମ ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ, ଚନ୍ଦ୍ର ଶେଖର ତ୍ରିପାଠି,ଧୋବା ଗୌଡ଼, ସତ୍ୟନାରାୟଣ ପାଣିଗ୍ରାହୀ, କିଶୋର ଚନ୍ଦ୍ର ପାଣିଗ୍ରାହୀ,ବୁଲୁ ଗୌଡ଼, ମିଟିକା ଓରଫ ପଦ୍ମନାଭ ଗୌଡ଼, ପ୍ରଶାନ୍ତ କୁମାର ଗୌଡ଼, ଓ ଅଜିତ କୁମାର ଗୌଡ଼ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ସେହି ଗ୍ରାମର ଗଜାନନ ନାୟକ ଗ୍ରାମରେ ଥିବା ଉଭୟ ମା କାଳୀପୂଜା କମିଟି ଓ ଚନ୍ଦ୍ର ଶେଖର ପୂଜା କମିଟି କୁ ଡକାଇ ଗ୍ରାମ ପୋଖରୀରୁ ମାଛ ଧରିବା ପାଇଁ ଏକ ବୈଠକ ଡକାଇଥିଲେ। ଏହି ବୈଠକ ରେ ଉଭୟ କମିଟି ର ନିଷ୍ପତି କ୍ରମେ ମାଛ ଧରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହାପରେ ମାଛଧରାଳି ଙ୍କୁ ଡାକି ପୋଖରୀ ରୁ ମାଛ ଧରୁଥିବା ବେଳେ ଉପରୋକ୍ତ ଗ୍ରାମବାସୀ ଙ୍କ ସହ ସେହି ଗ୍ରାମର କାଳିଆ ଗୌଡ଼ ଓ ଭିକାରି ଗୌଡ଼ ହାତରେ ଠେଙ୍ଗା, ବାଡ଼ି ଧରି ପୋଖରୀ ରେ ପହଂଚି ମାଛ ଧରିବାକୁ ବିରୋଧ କରିବା ସହ ମାଡପିଟ କରିଥିଲେ । ଏହି ମାଡରେ ଗଜାନନ ନାୟକ ଆହତ ହେବା ସହ ଚେତା ଶୂନ୍ୟ ହୋଇ ପଡ଼ିଥିଲେ ବୋଲି ବାଣୀଗୋଛା ଥାନାରେ ଅଭିଯୋଗ କରିବା ପରେ ପୋଲିସ ୪୧/୨୦୨୩ ରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ୯ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।