ଫୁଲବାଣୀ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଆକସ୍ମିକ ଅଗ୍ନିକାଣ୍ଡ ସ୍ତ୍ରୀର ଜୀବନ ନେଇଛି ଆଉ ସ୍ୱାମୀ ଗୁରୁତର ଭାବେ ପୋଡିହୋଇ ଆହତ ଅବସ୍ଥାରେ ମୃତୁ୍ୟସହ ସଂଗ୍ରାମ କରୁଥିବା ଜଣାପଡିଛି । ଅଗ୍ନିକାଣ୍ଡର କାରଣ ଜଣାପଡିନି । ବିଳମ୍ବରେ ମିଳିଥିବା ସୂଚନା ପ୍ରକାରେ ଗତ ୧୦ ତାରିଖ ଦିନ ଦାରିଙ୍ଗବାଡି ଥାନା ଅର୍ନ୍ତଗତ ବାଡାବାଙ୍ଗା ପଂଚାୟତର ରାଜନପାଙ୍ଗା ଗ୍ରାମର ପ୍ରକାଶ ପ୍ରଧାନଙ୍କ ପତ୍ନୀ ଲିଚୁମା ପ୍ରଧାନ ଓ ପ୍ରକାଶ ଶୋଇଥିବା ବେଳେ ଘରେ କୋ÷ଣସି କାରଣରୁ ନିଆଁ ଲାଗିଯାଇଥିଲା । ନିଆଁରେ ପୋଡିହୋଇ ଉଭୟ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ପତ୍ନୀ ଲିଚୁମାଙ୍କ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ମୃତୁ୍ୟ ହୋଇଥିବା ବେଳେ ପ୍ରକାଶ ମୃତୁ୍ୟସହ ସଂଗ୍ରାମ କରୁଛନ୍ତି । ଦାରିଙ୍ଗବାଡି ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।