ଦାନଗଦି, ତା ୩/୬ : ବାଲେଶ୍ବର ଜିଲ୍ଳା ବାହାନଗା ଠାରେ ଶୁକ୍ରବାର ରାତିରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି । ମୃତ ବ୍ୟକ୍ତିଙ୍କ ଘର ଦାନଗଦି ବ୍ଲକ ରାଛିପୁର ପଂଚାୟତ ରାଛିପୁର ତଳ ସାହି ଓ ସେ ହେଉଛନ୍ତି ନବଘନ ସାହୁଙ୍କ ପୁଅ ଶିବଶଙ୍କର ସାହୁ (୪୮) । ଶିବଶଙ୍କରଙ୍କର ଷ୍ଟେସନାରୀ ହୋଲ୍ସେଲିଂ କରନ୍ତି , ଗୁରୁବାର ଦିନ ସକାଳୁ ସେ ରଜ ପର୍ବ ପାଇଁ ୫୦/୬୦ ହଜାର ଟଙ୍କା ଧରି କଲିକତା ଯାଇଥିଲେ , କଲିକତାରୁ ଜିନିଷ କିଣି ସାରିବା ପରେ ଶୁକ୍ରବାର ଅପରାହ୍ନ ରେ କରମଣ୍ଡଳ ଏକ୍ସପ୍ରେସ ରେ ଜିନିଷ ରଖି ବେଶ ମନ ଖୁସିରେ ଘରକୁ ଫେରୁଥିଲେ । ବାହାନଗା ଠାରେ ଦୁର୍ଘଟଣା ଘଟିଥିଲା। ଶିବ ଶଙ୍କର ଙ୍କ ଘରେ ପରିବାର କହିଲେ ୮୦ ବର୍ଷର ବୁଢ଼ା ବାପା, ସ୍ତ୍ରୀ, ୧୮ ବର୍ଷର ଗୋଟିଏ ପୁଅ ଓ ୧୩ ବର୍ଷର ଗୋଟିଏ ଝିଅ। ପୁଅ ଟି +୨ ରେ ପାଠ ପଢୁଥିବା ବେଳେ ଝିଅ ଟି ନିକଟରେ ମାଟ୍ରିକ ପରୀକ୍ଷା ରେ ଉତିର୍ଣ୍ଣ ହୋଇଛି, ବାପା ଚାଲିଗଲେ ଭାଈ ଭଉଣୀ କେମିତି ପାଠ ପଢିବେ, ଘର କେମିତି ଚଳିବ , ଚାଲିପାରୁ ନ ଥିବା ୮୦ ବର୍ଷର ବୁଢ଼ା ବାପା ଙ୍କ ଉପରେ ଇବେ ପରିବାର ର ବୋଝ, ସେ ଏବେ ଚିନ୍ତାରେ ଭାଙ୍ଗି ପଡିଛନ୍ତି, ଆଜି ଦିନ ୨ ଟା ବେଳେ ଗାଁ ଦାଣ୍ଡରେ ଆମ୍ବୁଲାନ୍ସ ରେ ଆସି ପହଞ୍ଚିଥିଲା ଶିବ ଶଙ୍କର ଙ୍କ ମରଶରୀର, ଗାଁ ରେ ଶୋକାକୁଳ ପରିବେଶ ଦେଖାଯାଇଥିଲା ,ଖବର ପାଇ ମନ୍ତ୍ରୀ ଇ° ପ୍ରିତିରଞ୍ଜନ ଘଡ଼ାଇ ଶିବଶଙ୍କରଙ୍କ ପରିବାର ନିକଟରେ ପହଁଚି ଶୋକ ସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି , ଅପରାହ୍ନ ରେ ଗାଁ ମଶାଣିରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଛି । ଅପରପକ୍ଷେ ସେହି ଗାଁ ର କରୁଣାନିଧି ସାହୁ ଙ୍କ ପୁଅ କୁଳମଣୀ ସାହୁ (୫୫) ମଧ୍ଯ ଏହି ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇ ସେଠାରେ ଚିକିତ୍ସିତ ହେବା ପରେ ଘରକୁ ଫେରି ଆସିଛନ୍ତି। ସେ ମଧ୍ଯ ଗୁରୁବାର ଦିନ ଶିବଶଙ୍କର ଙ୍କ ସହିତ ଟ୍ରେନ ରେ କଲିକତା ଯାଇଥିଲେ ମେଡିସିନ ଆଣିବା ପାଇଁ। ତାଙ୍କ ଅବସ୍ଥା ଏବେ ଭଲ ଥିବା ଜଣାପଡିଛି।