ରାଜଗାଙ୍ଗପୁର ସହର ରେ କୋରୋନା ପରୀକ୍ଷଣ କୁ ତ୍ୱରାନ୍ୱିତ କରି ଆଖପାଖ ଅଂଚଳରେ ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ ସ୍ଥାନୀୟ ପ୍ରଶାସନ ସହଯୋଗରେ ଓସିଏଲ ଅଡିଟୋରିଅମ ଠାରେ ସପ୍ତାହରେ ତିନି ଦିନ ଆଣ୍ଟିଜେନ ଟେଷ୍ଟ ଆରମ୍ଭ କରିଛି l କୋଭିଡ-19 ସହିତ ଲଢେଇ ଏବଂ କମ୍ପାନୀ ନିଜର ରାଜଗାଙ୍ଗପୁର ସ୍ଥିତ ଆବାସିକ ପରିସରରେ ବସ ବାସ କରୁଥିବା କର୍ମଚାରୀଙ୍କ ସୁରକ୍ଷା କୁ ଧ୍ୟାନରେ ରଖି ଏହି ପଦକ୍ଷେପ ନେଇଛି l ଏ ପର୍ଯ୍ୟନ୍ତ 700 ରୁ ଉର୍ଦ୍ଧ୍ବ କର୍ମଚାରୀ ଏବଂ ଶ୍ରମିକଙ୍କ ଆଣ୍ଟିଜେନ ଟେଷ୍ଟ ହୋଇସାରିଛି l
ମାସ ଆରମ୍ଭରୁ କମ୍ପାନୀର କିଛି କର୍ମଚାରୀ କୋରୋନା ସଂକ୍ରମିତ ହେବା ପରେ କମ୍ପାନୀ ନିଜର ରାଜଗାଙ୍ଗପୁର ସ୍ଥିତ ଆବାସିକ ପରିସର ଏବଂ କାରଖାନାରେ ଲକଡାଉନର ନିୟମକୁ ଆହୁରି କଡାକଡି କରିଛି l ରାଜ୍ୟ ସରକାରଙ୍କ ନୂତନ ନିର୍ଦେଶ ଅନୁଯାୟି ବିନା ଓ ସ୍ୱଳ୍ପ ଲକ୍ଷଣ ଯୁକ୍ତ ସଂକ୍ରମିତ କର୍ମଚାରୀ/ଶ୍ରମିକଙ୍କୁ ଆବାସିକ ସଂଗରୋଧ ରେ ରଖା ଯାଉଥିବା ବେଳେ ଗୁରୁତର ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ପ୍ରଶାସନ ସହିତ ଆଲୋଚନା ପରେ ସୁନ୍ଦରଗଡ ଓ ରାଉରକେଲା ସ୍ଥିତ କୋଭିଡ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଉଛି l
କୋରୋନା ସଂକ୍ରମିତ ବ୍ୟକ୍ତି ରହୁଥିବା ଆବାସିକ ଆପାର୍ଟମେଣ୍ଟର ବିଭିନ୍ନ ମହଲା କୁ ସମ୍ପୂର୍ଣ ଭାବରେ ସିଲ କରାଯିବ ସହିତ ସେମାନଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀ ତଥା ଅନ୍ୟ ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରାଯାଉଛି l କମ୍ପାନୀ ନିଜର ଆବାସିକ ପରିସର, ସମସ୍ତ କାର୍ଯ୍ୟାଳୟ ତଥା କାରଖାନାର ବିଭିନ୍ନ ଅଂଚଳକୁ ନିୟମିତ ଅନ୍ତରାଳରେ ସାନିଟାଇଜ କରୁଛି ଯେପରିକି ସଂକ୍ରମଣ ଆଗକୁ ନ ବ୍ୟାପିବ l ପ୍ରଥମ କୋରୋନା ରୋଗୀ ଚିହ୍ନଟ ହେବା ପରେ ରାଜଗାଙ୍ଗପୁର ପୌରପାଳିକା ଅନୁରୋଧ କ୍ରମେ ବର୍ତମାନ ଡାଲମିଆ ସିମେଣ୍ଟ ରାଜଗାଙ୍ଗପୁର ସହର କୁ ନିୟମିତ ଭାବେ ସାନିଟାଇଜ କରୁଅଛି
ସଂକ୍ରମଣର ବଢୁଥିବା ସଂଖ୍ୟା କୁ ଦେଖି କମ୍ପାନୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଜର ରାଜଗାଙ୍ଗପୁର ସ୍ଥିତ କାର୍ଯ୍ୟାଳୟ ଏବଂ ଆବାସିକ ପରିସର ରେ 19 ରୁ 26 ଅଗଷ୍ଟ ପର୍ଯ୍ୟନ୍ତ ଏକ ସପ୍ତାହ ପାଇଁ ଲକଡାଉନ ଜାରି କରାଯାଇଥିଲା l ସେ ସମୟରେ କର୍ମଚାରୀଙ୍କୁ କୋଣସି ପ୍ରକାର ଅସୁବିଧା ନ ହେବାପାଇଁ ବିଶେଷ ଧ୍ୟାନ ଦିଆଯାଇଥିଲା l କର୍ମଚାରୀଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ଯେମିତିକି ଖାଇବା ସଉଦା,ଖବର କାଗଜ,କ୍ଷୀର ଓ ଏଲପିଜି ପାଇଁ ଜରୁରୀ ସେବା କେନ୍ଦ୍ର ଖୋଲାଯାଇଥିଲା l କମ୍ପାନୀ ନିଜର କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ନିମନ୍ତେ ଘରୋଇ ଯୋଗ ଏବଂ ଧ୍ୟାନ ପାଇଁ ସମସ୍ତଙ୍କୁ ପ୍ରୋତ୍ସାହିତ କରୁଅଛି l
କଥିତ ଲକଡାଉନ ଉଠି ଯିବା ପରେ ମଧ୍ୟ କମ୍ପାନୀ ନିଜର ଆବାସିକ ପରିସର ଓ କର୍ମଚାରୀଙ୍କ ହିତ କୁ ଧ୍ୟାନରେ ରଖି କୋଭିଡ-19 ଜନିତ ସୁରକ୍ଷା ବିଧି କୁ କଡାକଡି ଭାବେ ପାଳନ କରୁଛି l କାର୍ଯ୍ୟାଳୟ ଏବଂ କାରଖାନା ଅଂଚଳରେ ସାମାଜିକ ଦୂରତା ଉପରେ ପ୍ରମୁଖ ଧ୍ୟାନ ଦେଉଛି l ସାମାଜିକ ଦୂରତା ରକ୍ଷା ନ କରିବା, ମାସ୍କ ନ ପିନ୍ଧିବା, ଉପଯୁକ୍ତ ଭାବରେ ହାତ ନ ଧୋଇବା ଭଳି ଘଟଣା ଆଗକୁ ଆସିଲେ କମ୍ପାନୀ ତରଫରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି l