ଔରଙ୍ଗାବାଦରେ ରହୁଥିବା ଡାକ୍ତର ଅଲ୍ତାଫ ସେକ୍ ଜଣେ ଶହୀଦ ଯବାନଙ୍କ ମା’ଙ୍କୁ ବିନା ଫିସ୍ରେ ଚିକିତ୍ସା କରିଛନ୍ତି । ଏହାର ଭିଡିଓ ସେୟାର କରିଛନ୍ତି ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ । ଟ୍ୱିଟରରେ ଏହା ଚର୍ଚ୍ଚାର ବିଷୟ ହୋଇଛି । କଂଗ୍ରେସ ନେତା ଚୌହାନ ତାଙ୍କ ଟ୍ୱିଟ୍ରେ ହିନ୍ଦୁ-ମୁସ୍ଲିମ୍ ପ୍ରସଙ୍ଗ ଆଦୌ ଉଠାଇ ନ ଥିବା ସତ୍ତେ୍ୱ ବହୁ ଲୋକ ଭିଡିଓ ଦେଖି କମେଣ୍ଟ ଦେଇଛନ୍ତି ସବୁ ମୁସ୍ଲିମ୍ ଏହିଭଳି, କିନ୍ତୁ ଆଜିକାଲି ସବୁଠୁ ଏମାନଙ୍କ ଭାବମୂର୍ତ୍ତି ଖରାପ କରିବା ଉଦ୍ୟମ ହେଉଛି । ଶ୍ରୀ ଚୌହାନ ଲେଖିଛନ୍ତି ଡାକ୍ତର ଅଲ୍ତାଫ ଜଣେ ବୃଦ୍ଧାଙ୍କ ଚିକିତ୍ସା କରୁଥିଲେ । ଚିକିତ୍ସା ବେଳେ ସେ ଯେତେବେଳେ ଜାଣିବାକୁ ପାଇଲେ ବୃଦ୍ଧା ଜଣେ ଶହୀଦ ଯବାନଙ୍କ ମା, ତାଙ୍କଠାରୁ ଫିସ୍ ନେବାକୁ ମନା କରିଦେଲେ । ଏଭଳି ଜଣେ ଡାକ୍ତରଙ୍କ ଦେଶପ୍ରୀତି ମନ୍ତ୍ରୀ ଚୌହାନଙ୍କ ମନରେ ଭାବାନ୍ତର ସୃଷ୍ଟି କଲା । ତେଣୁ ସେ ଅଲ୍ତାଫଙ୍କୁ ଫୋନ୍ କରି ତାଙ୍କ ସେବା ତଥା ସମ୍ବେଦନଶୀଳତା ପାଇଁ ଧନ୍ୟବାଦ ଜଣାଇଲେ । ଭିଡିଓରେ ପ୍ରଚ୍ଛଦ ସଙ୍ଗୀତ ରୂପେ ବଲିଉଡ୍ର ଏକ ଗୀତ ବାଜୁଛି । ୨୦ ହଜାରରୁ ଅଧିକ ଲାଇକ୍ ମିଳିଛି ଏହି ଭିଡିଓକୁ ଏବଂ ୪ ହଜାର ଲୋକ ଏହାକୁ ରି-ଟ୍ୱିଟ୍ କରିଛନ୍ତି । ୯ ଶହରୁ ଅଧିକ ଲୋକ ନିଜ ନିଜ ମନ୍ତବ୍ୟ ଦେଇଛନ୍ତି ।
