ଛତ୍ରପୁର,୧/୬ : ସ୍ଥାନୀୟ ଗଞ୍ଜାମ ପୁଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଛତ୍ରପୁର ଓ ପୁରୁଷୋତ୍ତମପୁର ଉପଖଣ୍ଡର ଅପରାଧ ସମୀକ୍ଷା ବୈଠକ ଗଞ୍ଜାମ ଏସ୍ପି ବ୍ରିଜେଶ୍ କୁମାର ରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଥାନା ୱାରୀ ସମୀକ୍ଷା ହେବା ସହ ପୁରୁଣା ୱାରେଣ୍ଟି, ବେଆଇନ ମଦକାରବାର ଧରପଗଡ ଏବଂ ବିଭିନ୍ନ ସ୍ଥାନ ଗୁଡିକରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢଉ କରିବା ପାଇଁ ଏସ୍ପି ସମୀକ୍ଷା କରିଥିଲେ । ପୁରୁଣା ମାମଲା ଗୁଡିକର ତଦନ୍ତ ପ୍ରକ୍ରିୟା ଶେଷ କରି ତୁରନ୍ତ ଫଇସଲା କରିବା ଦିଗରେ ପଦକ୍ଷେପ ନେବାକୁ ଏସ୍ପି ନିର୍ଦ୍ଦେଶ ଦେଇଛନ୍ତି । କରୋନା ମହାମାରୀ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ସହ ପୁଲିସ କର୍ମଚାରୀମାନେ ବେଶ୍ ସହଯୋଗ କରି ଆସୁଛନ୍ତି ।
ଏହି ଧାରାକୁ ବଜାୟ ରଖାଯିବ । ବିଶେଷ କରି ପ୍ରବାସୀମାନେ ରହୁଥିବା ସଙ୍ଗରୋଧ କେନ୍ଦ୍ର ଗୁଡିକରେ ପୁଲିସ ପାଟ୍ରୋଲିଂକୁ କଡାକଡି କରାଯିବ । କୌଣସି ପରିସ୍ଥିତିରେ ମଧ୍ୟ ସଙ୍ଗରୋଧ କେନ୍ଦ୍ର ଏବଂ ପରିସରରେ ଯେପରି କିଛି ବିଶୃଙ୍ଖଳା ସୃଷ୍ଟି ନ ହେବା ସେଥିପ୍ରତି ଧ୍ୟାନ ଦିଆଯିବ । ସଙ୍ଗରୋଧ ଅବଧି ସାରିବା ପରେ ପ୍ରବାସୀମାନେ ନିଜ ଘର ତଥା ଗ୍ରାମକୁ ଫେରୁଛନ୍ତି । ସେଠାରେ ସେମାନେ ଘରେ ସଙ୍ଗରୋଧରେ ନ ରହି ଏଣେତେଣେ ବୁଲୁଛନ୍ତି କି ତାହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯିବ ।
ଏହାକୁ ନେଇ ଯେପରି ଗାଁ ଗୁଡିକରେ ବିବାଦ ଉପୁଜିବା ପୂର୍ବରୁ ପୁଲିସର ପଦକ୍ଷେପ ଆଗୁଆ ରହିବ । ପ୍ରତି ଥାନା ଅଧୀନରେ ଥିବା ସଙ୍ଗରୋଧ କେନ୍ଦ୍ର ଗୁଡିକରୁ ପ୍ରବାସୀମାନେ ସଙ୍ଗରୋଧ ଅବଧି ସାରିବା ପରେ କେତେ ଜଣ ଗାଁକୁ ଫେରିଛନ୍ତି । ସେମାନଙ୍କ ଗତିବିଧିକୁ ତୀକ୍ଷଣ ନଜର ରଖିବା ପାଇଁ ଏସ୍ପି ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଠାକୁର ପ୍ରସାଦ ପାତ୍ର, ଡିଏସ୍ପି ଅଜୟ କୁମାର ମିଶ୍ର , ଉତ୍କଳ କେଶରୀ ଦାଶ ଓ ଏସ୍.ପ୍ରଧାନ, ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ୍, ପୁରୁଷୋତ୍ତମପୁର ଏସ୍ଡିପିଓ ସିମା ସ୍ୱାଇଁ, ଜିଲ୍ଲା ଅପରାଧ ନିୟନ୍ତ୍ରଣ ବିଭାଗର ମୁଖ୍ୟ ଟୁକୁ ବିଷୋୟୀଙ୍କ ସମେତ ସମସ୍ତ ଥାନା ଅଧିକାରୀ ଉପସ୍ଥିତ ଥିଲେ ।