Odisha news

ସମସ୍ୟା ଘେରରେ ବିରଳ ନୀଳରକ୍ତ କଙ୍କଡ଼ା : ବାଲେଶ୍ୱରରେ ସାମୁଦ୍ରିକ ଜୀବ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ଦାବି

0

ବାଲେଶ୍ୱର :  ବିରଳ ନୀଳରକ୍ତ କଙ୍କଡ଼ାର ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଶେଷ ଧ୍ୟାନଦେବାକୁ ବାଲେଶ୍ୱରର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।  ନୀଳରକ୍ତ କଙ୍କଡ଼ା ଉପରେ ବିଦେଶରେ ବହୁ ଗବେଷଣା ଓ ଗବେଷଣାଲବ୍ଧ ଜ୍ଞାନକୁ ଉପଯୋଗ କରି ସ୍ୱାସ୍ଥ୍ୟସେବା ଦିଗରେ ବିନିଯୋଗ କରାଯାଉଥିବା ବେଳେ ଆମରାଜ୍ୟ ଓ ଆମ ଦେଶରେ ସରକାରୀ ପ୍ରୋତ୍ସାହନ ଅଭାବରୁ ଅଧିକ କିଛି କରାଯାଇ ପାରିନାହିଁ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । କିଛିବର୍ଷ ପୂର୍ବରୁ ଏହି ବିରଳ ପ୍ରଜାତି କଙ୍କଡ଼ାର ବଂଶବୃଦ୍ଧି ପାଇଁ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଏକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା ।

ମାତ୍ର ତାହା ସୀମିତ ସମୟପରେ ବନ୍ଦ ହୋଇଯାଇଛି । ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରଠାରୁ ତାଳସାରି ପର୍ଯ୍ୟନ୍ତ ସମୁଦ୍ର ଉପକୂଳରେ ଏହି କଙ୍କଡ଼ା ପ୍ରାୟ ପ୍ରତିମାସର ଅମାବାସ୍ୟା ଓ ପୂର୍ଣ୍ଣିମା ସମୟରେ ଦେଖାଯାଆନ୍ତି । ଏମାନଙ୍କ ସୁରକ୍ଷା ପାଇଁ ଧ୍ୟାନ ଦିଆନଯିବାରୁ ସ୍ଥାନୀୟ ପଶୁପକ୍ଷୀଙ୍କ ଶୀକାର  ହେବାସହ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ି ମୃତୁ୍ୟବରଣ କରନ୍ତି । ନୀଳରକ୍ତ କଙ୍କଡ଼ା ଉପରେ ଉପାଧୁ୍ୟତ୍ତୋର ଗବେଷଣା କରିଥିବା ଡଃ. ଗୋବିନ୍ଦଚନ୍ଦ୍ର ବିଶ୍ୱାଳ ଓ ଡଃ ସିଦ୍ଧାର୍ଥ ପତି ବୈଠକରେ ଯୋଗଦେଇ ନୀଳରକ୍ତ କଙ୍କଡ଼ାରୁ ପ୍ରସ୍ତୁତ ଔଷଧଗୁଡ଼ିକ ମାନବସମାଜ ପାଇଁ କିପରି ଦୁରାରୋଗ ଚିହ୍ନଟ ଓ ଉପଶମ କରିବାରେ ବୈଜ୍ଞାନିକମାନେ ବିଦେଶରେ ସଫଳ ହୋଇଛନ୍ତି ତାହାର ଦୃଷ୍ଟାନ୍ତ ଦେଇଥିଲେ । ଦୀର୍ଘ ଆଲୋଚନା ପରେ ସାମୁଦ୍ରିକ ଜୀବ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କମିଟି ନାମରେ ଏକ ସଂଗଠନ ଗଠନ ପାଇଁ ପ୍ରସ୍ତାବ ଗୃହୀତ ହୋଇଛି ।

ବାଲେଶ୍ୱର ଏହି ଗବେଷଣାକେନ୍ଦ୍ର ପ୍ରତିଷ୍ଠା ହୋଇପାରିଲେ ନୀଳରକ୍ତ କଙ୍କଡ଼ା ସମେତ ଅନ୍ୟସବୁ ସାମୁଦି୍ରକ ଜୀବଙ୍କ ଉପରେ ବୈଜ୍ଞାନିକମାନେ ଗବେଷଣା କରିବାର ସୁଯୋଗ ପାଇବେ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ବାଲେଶ୍ୱରର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବାଲେଶ୍ୱରର ବିଧାୟକଗଣ ଏଥିପ୍ରତି ଗୁରୁତ୍ୱାରୋପ କରିବାକୁ ନିବେଦନ କରାଯାଇଛି  । ଏ ସଂପର୍କରେ ଏକ ପରିବର୍ଦ୍ଧିତ ବୈଠକ ଆହ୍ୱାନ କରିବାକୁ ଆବାହକ ଭାବେ ସମାଜସେବୀ ଗୌରାଙ୍ଗ ପାଣିଗ୍ରାହୀ, ଶିଳ୍ପୀ କେଶୁ ଦାସ ଓ ସାମାଜିକକର୍ମୀ ଗୋବିନ୍ଦ ବଲ୍ଲଭ ଦଳାଇଙ୍କୁ ମନୋନୀତ କରାଯାଇଛି । ଏହି ବୈଠକରେ ନିରଞ୍ଜନ ପରିଡ଼ା, ଆଇନଜୀବୀ ମନୋଜ ନାୟକ ଓ  ସଂପାଦକ ଇଂ. କୁମାର କାର୍ତ୍ତିକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ

Nalco

Leave A Reply