ଭୁବନେଶ୍ବର: କୁହାଯାଏ ବନ୍ଧୁତ୍ବ ହେଉଛି ଜୀବନର ଶ୍ରେଷ୍ଠ ସମ୍ପଦ । ବିପଦ ବେଳେ କିଏ ସାହାଯ୍ୟ କରୁ ବା ନକରୁ କିନ୍ତୁ ପ୍ରକୃତ ବନ୍ଧୁ ସାହା ହେବାକୁ ଧାଇଁଆସେ, ଆଖିରୁ ଲୁହ ପୋଛି ଦିଏ । ଆଉ ସେହି କଥାକୁ ସତ ପ୍ରମାଣିତ କରିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ । ଦୀର୍ଘ ଦିନ ପରେ ବି ସାଙ୍ଗକୁ ଭୁଲି ନାହାନ୍ତି ସୁଧାଂଶୁ ବରଂ କଲେଜ ବେଳର ସାଙ୍ଗର ଅସହାୟତା ଶୁଣି ତାଙ୍କୁ ସାହାଯ୍ୟ କରିବାକୁ ବନ୍ଧୁତାର ହାତ ବଢାଇ ଦେଇଛନ୍ତି ।
ଆଜ୍ଞା ହଁ ! ପୁରୀ ବଡଦାଣ୍ଡରୁ ଉଦ୍ଧାର ହୋଇଥିବା ଶିକ୍ଷିତ ଭିକାରି ଜଣଙ୍କ ହେଉଛନ୍ତି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀଙ୍କ ସାଙ୍ଗ ଶ୍ରୀଜିତ୍ ପାଢୀ । ପାଠ ପାଇଁ ପାଗଳ ହୋଇଥିବା ଶ୍ରୀଜିତ, ସୁଧାଂଶୁଙ୍କ କଲେଜ ସମୟର ସାଙ୍ଗ । କଟକ ରେଭେନ୍ସାରେ ଦୁହେଁ ସାଙ୍ଗ ହୋଇ ପଢୁଥିଲେ । ଇକୋନମିକ୍ସରେ ପିଜି କଲା ବେଳେ ଶ୍ରୀଜିତଙ୍କ ବନ୍ଧୁ ଥିଲେ ପୁଲିସ କମିସନର ।
ସବୁଠାରୁ ବଡକଥା ହେଉଛି ଶ୍ରୀଜିତଙ୍କ ସାହାଯ୍ୟ ପଛରେ ରହିଛି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କ ପ୍ରଚ୍ଛନ୍ନ ଭୂମିକା । ରେଭେନ୍ସା ସାଙ୍ଗମାନେ ଯେତେବେଳେ ଶ୍ରୀଜିତଙ୍କ ଅସହାୟତା କଥା ତାଙ୍କୁ ଜଣାଇଥିଲେ,ସଙ୍ଗେସଙ୍ଗେ ବଡ ମେଡିକାଲରେ ବେଡଟିଏ ଯୋଗାଡ କରିଦେଇଥିଲେ ସୁଧାଂଶୁ । ଖାଲି ମଣିଷପଣିଆ ନୁହେଁ ବରଂ ଶ୍ରୀଜିତଙ୍କୁ ସାହାଯ୍ୟ କରି ପ୍ରକୃତ ସାଙ୍ଗର ପରିଚୟ ଦେଇଛନ୍ତି ପୁଲିସ କମିସନର।