ଭଦ୍ରକ :ଭଦ୍ରକ ଜିଲ୍ଲାର କୋଭିଡ ପଯର୍ୟବେକ୍ଷକ ଦାୟିତ୍ୱରେ ଥିବା ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢୀ ଜିଲ୍ଲାର କୋବିଡ ପରିଚାଳନା ନେଇ ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀଯୁକ୍ତ ପାଢୀ ଜିଲ୍ଲାରେ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହୁଥିବା ଅନ୍ତେବାସୀଙ୍କ ସମସ୍ୟା, କୋବିଡ ହସ୍ପିଟାଲରେ ଚିିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ଚିକିତ୍ସା, ଖାଇବା ପିଇବା, ଜିଲ୍ଳାରେ ହେଉଥିବା ସାମ୍ପୁଲ ସଂଗ୍ରହ ସମ୍ପର୍କରେ ପଚାରି ବୁଝିଥିଲେ । ଯେଉଁ ଆକ୍ରାନ୍ତମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ସେମାନଙ୍କୁ ପ୍ଲାଜମା ଦାନ ପାଇଁ ପ୍ରବର୍ତ୍ତାଇବା ଓ ସଚେତନ କରିବା ନେଇ ଗୁରୁତ୍ୱାରୋପ କରିଥିଲେ ।
ଲୋକମାନେ କରୋନା ଆକ୍ରାନ୍ତଙ୍କ ପ୍ରତି ସତର୍କ ରହନ୍ତୁ, ମାତ୍ର ସେମାନଙ୍କୁ ଶତୃତା ଯେପରି ନକରନ୍ତି ସେ ଦିଗରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ । ଜିଲ୍ଳାରେ ଦୃତ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ସମଗ୍ର ଜିଲ୍ଲାରେ ବହୁ ସଂଖ୍ୟାରେ କ୍ୟାମ୍ପ ମାଧ୍ୟମରେ ଅଧିକ ଲୋକଙ୍କ ସ୍ୱାବ ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଳାପାଳ ଡ. ଜ୍ଞାନ ଦାସ, ଏସ୍ପି ରାଜେଶ ପଣ୍ଡିତ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଶ୍ୟାମଭକ୍ତ ମିଶ୍ର, ଜିଲ୍ଳା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ସିଡିଏମଓ ଡାକ୍ତର ସନ୍ତୋଷ ପାତ୍ରଙ୍କ ସମତେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପରେ ଶ୍ରୀଯୁକ୍ତ ପାଢୀ, ଜିଲ୍ଳା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦାସ, ଏଡିଏମଓ(ପିଏଚ୍) ଡାକ୍ତର ଏ.କେ. ମହାରଣା ଧାମନଗର ସ୍ଥିତ କୋବିଡ କେୟାର ସେଣ୍ଟର ପରିଦର୍ଶନରେ ଯାଇଥିଲେ । ସେଠାରେ ପରିଚାଳନା ସମ୍ପର୍କରେ ଅନ୍ତେବାସୀଙ୍କୁ ପଚାରି ବୁଝିବା ସହିତ ଏହାର ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ ।
