ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି। ଗତ ୨୪ ଘଣ୍ଟାରେ ୯ ହଜାର ୯୮୫ ନୂଆ ରୋଗୀ ଚିହ୍ନଟ,ମୋଟ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ୭୬ ହଜାର ୫୮୩
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି। ଗତ ୨୪ ଘଣ୍ଟାରେ ୯ ହଜାର ୯୮୫ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ୭୬ ହଜାର ୫୮୩ରେ ପହଞ୍ଚିଛି। ତେବେ ଆଶ୍ୱସ୍ତୀର କଥା ହେଉଛି, ପ୍ରଥମ ଥର ଲାଗି ଆରୋଗ୍ୟଙ୍କ ସଂଖ୍ୟା ଆକ୍ଟିଭ୍ କେସ୍ଠାରୁ ଅଧିକ ହୋଇଛି।
୧ ଲକ୍ଷ ୩୫ ହଜାର ୨୦୫ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ୧ ଲକ୍ଷ ୩୩ ହଜାର ୬୩୨ ଜଣଙ୍କ ଚିକିତ୍ସା ଚାଲିଛି। ଏପଟେ ଗତ ୨୪ ଘଣ୍ଟାରେ ଦେଶରେ ୨୭୯ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁସଂଖ୍ୟା ୭ ହଜାର ୭୪୫କୁ ବୃଦ୍ଧି ପାଇଛି।
ମହାରାଷ୍ଟ୍ରରେ କରୋନା ସ୍ଥିତି ସଂଗୀନ ହେବାରେ ଲାଗିଛି। ସଂକ୍ରମଣ ମାମଲାରେ କରୋନାର ଉତ୍ପତିସ୍ଥଳ ଚୀନର ଉହ୍ୱାନ ସହରକୁ ଟପିଯାଇଛି। ମହାନଗର ମୁମ୍ବାଇ ଉହ୍ୱାନରେ ୫୦ ହଜାର ୩୩୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩ ହଜାର ୮୬୯ ମୃତ୍ୟୁ ହୋଇଥିଲା। ତେବେ ମୁମ୍ବାଇରେ ସଂକ୍ରମଣ ସଂଖ୍ୟା ଏହାକୁ ଅତିକ୍ରମ କରି ୫୧ ହଜାରରେ ପହଞ୍ଚିଛି। ସେହିପରି ମୋଟ ସଂକ୍ରମଣ କ୍ଷେତ୍ରରେ ଚୀନ୍କୁ ପଛରେ ପକାଇ ଦେଇଛି ଦେଶର କରୋନା ହଟ୍ସ୍ପଟ୍ କୁହାଯାଉଥିବା ମହାରାଷ୍ଟ୍ର। ଚୀନ୍ରେ ୮୩ ହଜାର ୪୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ଅତିକ୍ରମ କରିଯାଇଛି। ରାଜ୍ୟରେ ମୃତ୍ୟୁସଂଖ୍ୟା ୩ ହଜାର ୨୮୯କୁ ବୃଦ୍ଧି ପାଇଛି।
ରାଜଧାନୀ ଦିଲ୍ଲୀରେ ୨୪ ଘଣ୍ଟାରେ ୧ ହଜାର ୩୬୬ ନୂଆ ମାମଲା ସାମ୍ନାକୁ ଆସିଛି। ଏଥିସହିତ ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୩୦୯ରେ ପହଞ୍ଚିଛି। ସେପଟେ କରୋନା ଦ୍ରୁତ ଗତିରେ କାୟା ମେଲାଉ ଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ। ସପ୍ତାହକ ଭିତରେ ସଂଖ୍ୟା ଦୁଇ ଗୁଣ ଓ ଜୁଲାଇ ଶେଷ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୫ ଲକ୍ଷ ହେବ ବୋଲି ସେ ଆଶଙ୍କା କରିଛନ୍ତି କେଜ୍ରି।
ସେଦୃଷ୍ଟିରୁ ରୋଗୀଙ୍କ ଲାଗି ୮୦ ହଜାର ଓ ବାହାର ରାଜ୍ୟର ରୋଗୀ ଆସିଲେ ଦେଢ଼ ଲକ୍ଷ ମେଡିକାଲ ବେଡ୍ ଦରକାର ପଡ଼ିବ। ଷ୍ଟାଡିୟମ, ହୋଟେଲକୁ ଏଥିପାଇଁ ବ୍ୟବହାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଉପରାଜ୍ୟପାଳଙ୍କ ସହ ବିବାଦ ନେଇ ସେ କହିଛନ୍ତି ଯେ ଆମେ ଲଢ଼ିଲେ କରୋନା ଜିତିବ। କରୋନା ବିରୁଦ୍ଧ ଲଢେଇରେ କେନ୍ଦ୍ର ସରକାରଙ୍କ ଗାଇଡଲାଇନର ଅନୁପାଳନ କରାଯିବ ବୋଲି ସେ କହିଛନ୍ତି।
ଏପଟେ ମୁମ୍ବାଇ ମହାନଗର ନିଗମ ଡେପୁଟି କମିଶନରଙ୍କ ପରେ ଡିଏମକେ ବିଧାୟକ ଜେ. ଅନବଜଗନ କୋଭିଡ୍ରେ ପ୍ରାଣ ହରାଇଛନ୍ତି। କୋଭିଡ୍ ସଂକ୍ରମଣରେ ମୃତ୍ୟୁ ହେବାରେ ସେ ଦେଶର ପ୍ରଥମ ଜନ ପ୍ରତିନିଧି।