Odisha news

ହ୍ୱାଟସ୍ ଆପ୍ ରେ କରୋନା ସଂପର୍କିତ ପ୍ରଶ୍ନର ଉତର ଦେବେ ବିଶେଷଜ୍ଞ ଡାକ୍ତର

0

ଭୁବନେଶ୍ୱର ,୧୮ ସେପ୍ଟେମ୍ବର – ଏଣିକି ହ୍ୱାଟସ୍ ଆପ ଜରିଆରେ ଲୋକଙ୍କୁ କରୋନା ସଂପର୍କିତ ପ୍ରଶ୍ନର ଉତର ମିଳିବ । ରାଜ୍ୟ ସରକାର ଏ ନେଇ ହ୍ୱାଟସ୍‌ଆପ୍ ନମ୍ବର ୯୯୩୭୫୬୪୦୬୬ ଜାରି କରିଛନ୍ତି । ଲୋକେ ଦୈନିକ ଅପରାହ୍ନ ୩ଟାରୁ ସାଢ଼େ ୩ଟା ମଧ୍ୟରେ ପ୍ରଶ୍ନ କରିପାରିବେ ଏବଂ ବିଶେଷଜ୍ଞ ଡାକ୍ତର ଏହାର ଉତର ଦେବେ ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ରାଜ୍ୟରେ ପ୍ରାୟ ୭୦ ପ୍ରତିଶତ କରୋନା ରୋଗୀ ହୋମ୍ ଆଇସୋଲେସନରେ ଅଛନ୍ତି । ହୋମ ଆଇସୋଲେସନରେ ରହି ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ମନ୍ତ୍ରୀ, ବିଧାୟକ, ଅଧିକାରୀମାନେ ମଧ୍ୟ ହୋମ ଆଇସୋଲେସନରେ ରହୁଛନ୍ତି । ଓଡ଼ିଶାରେ ମଧ୍ୟ କୋଭିଡ ମୃତ୍ୟୁ ହାର ଜାତୀୟ ହାର ତୁଳନାରେ କମ୍ ।
ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ, ୯ ମାସ ତଳେ ଚୀନର ଉହାନ ସହରରୁ କରୋନା ଭାଇରସ ବିଶ୍ୱର ଚାରିଆଡ଼କୁ ବ୍ୟାପିବା ଆରମ୍ଭ ହୋଇଥିଲା । ଓଡ଼ିଶାରେ ମାର୍ଚ୍ଚ ୧୫ରେ ପ୍ରଥମ ଥର ପାଇଁ କରୋନା ଭାଇରସ ସଂକ୍ରମଣରେ ଜଣେ ବ୍ୟକ୍ତି ଆକ୍ରାନ୍ତ ହୋଇଥିଲେ । କରୋନା ଭାଇରସ ମୁକାବିଲା ଲାଗି ସମଗ୍ର ବିଶ୍ୱ ଲଢ଼େଇ ଜାରି ରଖିଥିବା ବେଳେ ବିଶ୍ୱବ୍ୟାପୀ ଏହାରି ଉପରେ ଗବେଷଣା ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଔଷଧ କିମ୍ବା ଟିକା ମିଳିପାରି ନାହିଁ । ସମସ୍ତ କୋଭିଡ ରୋଗୀଙ୍କୁ ହସ୍ପିଟାଲରେ ଭର୍ତି କରିବାର ଆବଶ୍ୟକତା ନାହିଁ । ତେଣୁ ଆମେ ରୋଗୀଙ୍କୁ ହୋମ୍ ଆଇସୋଲେସନରେ ରଖିବାକୁ କହୁଛୁ ।
ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଫେସର ଅମରେନ୍ଦ୍ର ମହାନ୍ତି କହିଛନ୍ତି, ସବୁ କୋଭିଡ ରୋଗୀ ହସ୍ପିଟାଲରେ ଭର୍ତି ହେବାର ଆବଶ୍ୟକତା ନାହିଁ । ଲକ୍ଷଣ ନଥିବା ଏବଂ କମ ଲକ୍ଷଣ ଥିବା ରୋଗୀ ଘରେ ରହି ମଧ୍ୟ ଚିକିତ୍ସିତ ହୋଇପାରିବେ । ହୋମ ଆଇସୋଲେସରେ ଥିବା ବେଳେ ଲକ୍ଷଣ ଦେଖିଲେ ପ୍ରଶାସନକୁ ଜଣାଇବେ । ହୋମ ଆଇସୋଲେସନରେ ଥିବା ରୋଗୀଙ୍କୁ ମାଗଣାରେ କିଟ ଦିଆଯାଉଛି । ଏଥିରେ ଔଷଧ, ସୂଚନା, ପୁସ୍ତିକା ଓ ଫୋନ ନମ୍ବର ଦିଆଯାଇଛି । ଘରେ ଏକ ସ୍ୱତନ୍ତ୍ର କୋଠରୀ, ଏକ ଶୌଚାଳୟ ଓ ସେବା କରିବା ପାଇଁ ଜଣେ ଲୋକ ଥିଲେ ହୋମ ଆଇସୋଲେନରେ ରହିହେବ ।
ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି ଯେ ବର୍ତମାନ ସୁଦ୍ଧା କୋଭିଡ ଚିକିତ୍ସାର ମୂଳ ଜିନିଷ ହେଲା ପ୍ରାଥମିକ ଅବସ୍ଥାରେ ଚିହ୍ନଟ ହେବା । ଲକ୍ଷଣ ଦେଖାଗଲେ କୋଭିଡ ଆକ୍ରାନ୍ତଙ୍କୁ ହସ୍ପିଟାଲ ନେଇଯିବା ଏବଂ ସାବଧାନ ହେଲେ ରୋଗରୁ ବର୍ତିପାରିବା । କାଶିବା, ଛିଙ୍କିବା, ପଜିଟିଭ ସଂସ୍ପର୍ଶରେ ଆସିଲେ କରୋନା ସଂକ୍ରମିତ ହେବାର ଆଶଙ୍କା ରହିଛି । ୮୦ ପ୍ରତିଶତ ରୋଗୀ ଲକ୍ଷଣହୀନ ବୋଲି କହିଛନ୍ତି । କୋଭିଡ ରୋଗୀଙ୍କୁ ହସ୍ପିଟାଲରେ ରହିବା ଦ୍ୱାରା ଅନ୍ୟମନସ୍କ ଅନୁଭବ ହେଉଛି, ମାନସିକ ଅସ୍ଥିରତା ଲାଗି ରହୁଛି । ତେଣୁ ଏହି ପରିପ୍ରେକ୍ଷୀରେ ହୋମ ଆଇସୋଲେସନରେ ରହିଲେ ରୋଗୀ ଆରାମ ଅନୁଭବ କରିବେ ଏବଂ ସେମାନଙ୍କର ମନୋବଳ ବଢ଼ିବ । ଏଥି ସହିତ ଆକ୍ରାନ୍ତଙ୍କୁ ପରିବାର ଲୋକଙ୍କ ଠାରୁ ଉପଯୁକ୍ତ ସେବା ମିଳିପାରିବ । ହୋମ ଆଇସୋଲେସନରେ ଥିବା ବେଳେ ଆକ୍ରାନ୍ତ ପ୍ରଚୁର ପାଣି ପିଅନ୍ତୁ । ଆମେ ସଚେତନ ହେଲେ କରୋନା ହାରିବ ବୋଲି ସେ କହିଛନ୍ତି ।

Nalco
Leave A Reply