ଭୁବନେଶ୍ୱର ,୧୮ ସେପ୍ଟେମ୍ବର – ବିଏମସି ଭୁବନେଶ୍ୱର ବାସିନ୍ଦାଙ୍କ ପ୍ରତି ଉଦାସୀନ ଓ ଦାୟିତ୍ୱହୀନ ଆଚରଣ ଦେଖାଉଛି । ମହାମାରୀ ସମୟରେ ରାଜନୀତି କରିବାର ସମୟ ନୁହେଁ । ତେଣୁ ମୁଖ୍ୟମନ୍ତ୍ରୀ ସ୍ଥିତିର ସମୀକ୍ଷାପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ସେ ଅଭିଯୋଗ କରିଛନ୍ତି ଯେ ବିଏମସି ଅଧିକାରୀମାନଙ୍କ ପାଖକୁ ଲୋକେ ଦରକାର ବେଳେ ପହଂଚି ପାରୁନାହାନ୍ତି । ବିଏମସି ବହୁ ବିଳମ୍ବରେ ୧୯୨୯ ସହାୟତା ନମ୍ବର ଜାରି କରିଥିଲେ ମଧ୍ୟ ଏହି ନମ୍ବରକୁ ଫୋନ କଲେ ସେଭଳି କିଛି ସହାୟତା ମିଳୁନାହିଁ ।ଯିଏ ଅନୁରୋଧ କରିବ କୋଭିଡ୍ ପାଇଁ ତାର ପରୀକ୍ଷା କରାଯାଉ ବୋଲି କେନ୍ଦ୍ର ସରକାର ପରାମର୍ଶ ଦେଇଥିଲା ବେଳେ ଲୋକେ ପରୀକ୍ଷା ପାଇଁ ହଇରାଣ-ହରକତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟରେ ଦିନକୁ ଲକ୍ଷେ ପରୀକ୍ଷା କଥା କହିଥିଲା ବେଳେ ଏବେ ପଚାଶ ହଜାର ପରୀକ୍ଷା ହେଉଛି, ତାହା ମଧ୍ୟ ଆଂଟିଜେନ ପରୀକ୍ଷା । ପରୀକ୍ଷା ହେଲେ ମଧ୍ୟ ଫଳାଫଳ ଜାଣିବାକୁ ଅନେକ ବିଳମ୍ବ ହେଉଛି । ଯେଉଁମାନଙ୍କୁ ଘରେ ରଖାଯାଉଛି ସେମାନଙ୍କୁ ଅନ୍ୟ ରାଜ୍ୟ ଭଳି ମାଗଣା ପଲସ୍ ଅକ୍ସିମିଟର ଯୋଗାଇ ଦିଆଯାଉ ନାହିଁ । ଘରେ ଥିଲାବେଳେ ରୋଗ ବଢିଲେ ଡାକ୍ତରଖାନାରେ ବେଡ୍ ପାଇବା ପାଇଁ ଦିନ ଦିନ ଲାଗୁଛି, ଯାହା ମଧ୍ୟରେ ରୋଗୀର ଅବସ୍ଥା ଖରାପ ହେଉଛି ।
ବର୍ତର୍ମାନ ଚାରିଆଡେ ଡାକ୍ତରଖାନା ବେଡ୍ ପାଇଁ ହାହାକାର । ଲୋକେ ଅସହ୍ୟ ହୋଇ ସମସ୍ତଙ୍କୁ ନେହୁରା ହେଉଛନ୍ତି । ବେଳ ଥାଉ ଥାଉ ଡାକ୍ତରଖାନା ବେଡ୍ ସଂଖ୍ୟା ଆବଶ୍ୟକତା ଅନୁସାରେ କରାଯାଇନାହିଁ । ଗୋଟିଏ ଆଇ.ସି.ୟୁ. ବେଡ୍ ଖାଲିହେଲେ ଭିତରକୁ ଯିବାକୁ ତିନିରୁ ପାଂଚଜଣ ଅପେକ୍ଷାରେ ରହୁଛନ୍ତି । ମୁଖ୍ୟମନ୍ତ୍ରୀ ଏସବୁର ସତ୍ୟାସତ୍ୟ ବୁଝି ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି ।
