ଫୁଲବାଣୀ : ରାଜ୍ୟର ପ୍ରଥମ ଜିଲ୍ଲା ଭାବେ କନ୍ଧମାଳ କରୋନା ସଂକ୍ରମିତ ଶୁନ୍ୟ ହୋଇଛି । ଆଜି ଚିକିତ୍ସିତ ହେଉଥିବା ୩ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିବା ପରେ ଜିଲ୍ଲାରୁ ବର୍ତମାନ ଆଉ କେହି ସଂକ୍ରମିତ ନାହନ୍ତି । ଗତ ୫ ଦିନ ହେଲା ଜିଲ୍ଲାରୁ କେହି ସଂକ୍ରମିତ ଚିହ୍ନଟ ହୋଇ ନାହନ୍ତି । ଶେଷ ସଂକ୍ରମିତ ଗତ ଜୁନ୍ ୨୮ରେ ଚିହ୍ନଟ ହୋଇଥିଲେ ।
ଜିଲ୍ଲାରୁ ପ୍ରଥମ କରୋନା ସଂକ୍ରମିତ ମେ ୧୭ ତାରିଖରେ ଚହ୍ନଟ ହୋଇଥିଲେ । ଜୁନ୍ ୧୪ରେ ଜିଲ୍ଲାରୁ ସର୍ବାଧିକ ୪୮ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଜିଲ୍ଲାରୁ ମୋଟ ୧୭୮ ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭୦ ଜଣ ପ୍ରବାସୀ ଫେରନ୍ତା କ୍ୱାରେଂଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିଲେ ।
ବାକି ୮ ଜଣ କରୋନା ଯୋଦ୍ଧା ରହିଥିଲେ । ସେମାନେ ବିଭିନ୍ନ କ୍ୱାରେଂଟାଇନ କେନ୍ଦ୍ରରେ କାର୍ଯ୍ୟରତ ଥିବା ବେଳେ ଚିହ୍ନଟ ହୋଇଥିଲେ । ବର୍ତମାନ ସମସ୍ତ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିବା ସହ କନ୍ଧମାଳ କୋରନା ଶୁନ୍ୟ ହୋଇଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସି ଖେଳି ଯାଇଛି । ତେବେ ଜିଲ୍ଲାରୁ ପରୀକ୍ଷା ପାଇଁ ଯାଇଥିବା କିଛି ସନ୍ଦିଗ୍ଧଙ୍କ ସ୍ୱାବ ରିପୋର୍ଟ ଆଜି ସୁଦ୍ଧା ଆସିନଥିବାରୁ ଜିଲ୍ଲାବାସୀ ଆଶଙ୍କା ମଧ୍ୟରେ ରହିଛନ୍ତି ।
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାକୁ ବର୍ତମାନ ସୁଦ୍ଧା ୧୦ ହଜାର ୭୧୮ ଜଣ ପ୍ରବାସୀ ଫେରିଛନ୍ତି । ସେଥି ମଧ୍ୟରୁ ୯ ହଜାର ୩୫୦ ଜଣ କ୍ୱରେଂଟାଇନ ଅବଧି ଶେଷ କରି ଘରକୁ ଫେରି ଯାଇଥିବା ବେଳେ ୧୩୯୮ ଜଣ ବର୍ତମାନ ବିଭିନ୍ନ କ୍ୱାରେଂଟାଇନ କେନ୍ଦ୍ରରେ ରହିଛନ୍ତି । ସେହିପରି ଜିଲ୍ଲାରୁ ୩୮୦୯ଜଣଙ୍କର ସ୍ୱାବ୍ ନମୁନା ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ ସେଥି ମଧ୍ୟରୁ ୩୪୬୯ ଜଣଙ୍କର ରିପୋର୍ଟ ଆସିଛି । ସେଥିରୁ ୧୭୮ ଜଣଙ୍କର ପଜିଟିଭ୍ ଆସିଥିବା ବେଳେ ବାକି ସମସ୍ତ ନେଗେଟିଭ୍ ଆସିଛି । ବାକି ୩୪୦ ଜଣଙ୍କର ରିପୋର୍ଟକୁ ଅପେକ୍ଷା କରାଯାଇଛି ।