ଭାରତୀୟ ରେଳବାଇ ପକ୍ଷରୁ “ଜଳବାୟୁ ପରିବର୍ତ୍ତନ” (Climate Change) ବିଷୟବସ୍ତୁକୁ ନେଇ “ବିଶ୍ୱ ପରିବେଶ ଦିବସ ଅଭିଯାନ” ଆରମ୍ଭ କରାଯାଇଛି। ଏହି ଅଭିଯାନ ୧୫.୦୫.୨୦୨୬ ରୁ ୦୫.୦୬.୨୦୨୬ ପର୍ଯ୍ୟନ୍ତ ଚାଲିବ। ଏହି ପଦକ୍ଷେପର ଏକ ଅଂଶ ସ୍ୱରୂପ, ଯାତ୍ରୀ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ପ୍ଲାଷ୍ଟିକ ପ୍ରଦୂଷଣର ଅନ୍ତ କରିବାର ଗୁରୁତ୍ୱକୁ ବୁଝାଇବା ପାଇଁ ଖୋର୍ଦ୍ଧା ରୋଡ଼ ମଣ୍ଡଳ ବିଭିନ୍ନ ସଚେତନତା ଏବଂ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଏକ ବ୍ୟାପକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଛି।
ଏହି ଅଭିଯାନର ପ୍ରଥମ ଦିନରେ, ଖୋର୍ଦ୍ଧା ରୋଡ଼ ମଣ୍ଡଳର ବିଭିନ୍ନ ରେଳ ଷ୍ଟେସନ, ରେଳବାଇ କଲୋନୀ ଏବଂ ଅନ୍ୟାନ୍ୟ ରେଳ ପ୍ରତିଷ୍ଠାନଗୁଡ଼ିକରେ ବ୍ୟାନର ପ୍ରଦର୍ଶନ ଏବଂ ଯାତ୍ରୀମାନଙ୍କୁ ଲିଫ୍ଲେଟ୍ (ପତ୍ରିକା) ବଣ୍ଟନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ନିଜର ଦୈନନ୍ଦିନ ଜୀବନରେ ପରିବେଶ ପ୍ରତି ଦାୟିତ୍ୱବାନ ଅଭ୍ୟାସ ଆପଣାଇବା ସହ ନିଜ ପରିବାର ସଦସ୍ୟ, ବନ୍ଧୁ ଏବଂ ସମାଜକୁ ପରିବେଶ ଅନୁକୂଳ ଅଭ୍ୟାସ ପାଇଁ ପ୍ରେରିତ କରିବାକୁ କର୍ମଚାରୀ ଓ ଯାତ୍ରୀମାନଙ୍କୁ ଶପଥ ପାଠ କରାଯାଇଥିଲା।
ଏହି ଅଭିଯାନ ଅବଧି ମଧ୍ୟରେ ସମଗ୍ର ମଣ୍ଡଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବ। ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ସଠିକ ନିଷ୍କାସନ, ବର୍ଜ୍ୟବସ୍ତୁ ପୃଥକୀକରଣ ଅଭ୍ୟାସ ବିଷୟରେ କର୍ମଚାରୀଙ୍କୁ ସଚେତନ କରିବା ଏବଂ ଷ୍ଟେସନ ଓ ରେଳବାଇ ପରିସରରେ ସ୍ୱଚ୍ଛତା ଅଭିଯାନ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ (ଥରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ) ବ୍ୟାନର ପ୍ରଭାବଶାଳୀ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ଷ୍ଟେସନ ଷ୍ଟଲଗୁଡ଼ିକରେ ସ୍ୱତନ୍ତ୍ର ନିରୀକ୍ଷଣ ଅଭିଯାନ ମଧ୍ୟ ଚଲାଯିବ।
ପ୍ଲାଷ୍ଟିକ ପ୍ରଦୂଷଣର କୁପ୍ରଭାବ ଏବଂ ଏହାର ନିରାକରଣ ପାଇଁ ଗ୍ରହଣୀୟ ପଦକ୍ଷେପ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପଥପ୍ରାନ୍ତ ନାଟକ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ଚକ୍ର ଆୟୋଜିତ ହେବ। ସେହିପରି, କପଡ଼ା ଓ ଝୋଟ ବ୍ୟାଗ୍ ବ୍ୟବହାରକୁ ପ୍ରୋତ୍ସାହନ ଦେବା ସହ ଡିଜିଟାଲ୍ ଏବଂ କାଗଜବିହୀନ ଟିକେଟିଂ ବ୍ୟବସ୍ଥାର ପ୍ରଚାର ପାଇଁ ମଧ୍ୟ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ଏହି ବିଶ୍ୱ ପରିବେଶ ଦିବସ ଅଭିଯାନକୁ ଖୋର୍ଦ୍ଧା ରୋଡ଼ ମଣ୍ଡଳର ମେକାନିକାଲ୍ ବିଭାଗର ଏନଭାଇରନମେଣ୍ଟ ଆଣ୍ଡ ହାଉସକିପିଂ ମ୍ୟାନେଜମେଣ୍ଟ (EnHM) ଶାଖା ଦ୍ୱାରା ପରିଚାଳିତ କରାଯାଉଛି।