ପ୍ରତାପ ରୁଦ୍ର ମହାରଣା : କରୋନା କାହାର ମା’ କୋଳରୁ ପୁଅକୁ ଛଡାଇ ନେଉଛି , ତ ପୁଣି କାହାର ହଜିଲା ପୁଅକୁ ଫେରାଇ ଦେଉଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବଡ଼କୁଳ ଗ୍ରାମରେ । ବଡକୂଳ ଗ୍ରାମର ଯୋଗୀ ସ୍ୱାଇଁ ଙ୍କର ଏକମାତ୍ର ପୁଅ ପୂର୍ଣଚନ୍ଦ୍ର ୧୫/୧୭ ବର୍ଷ ବୟସରେ ହଠାତ୍ ଘରୁ ନିଖୋଜ ହୋଇଗଲା । ଇତି ମଧ୍ୟରେ ୨୨ ବର୍ଷ ବିତିଗଲା , ହେଲେ ପୁର୍ଣ୍ଣଚନ୍ଦ୍ର ଆଉ ଘରକୁ ଫେରିନଥିଲା । ଆଉ ଏହି କରୋନା ପ୍ରଭାବ ଯୋଗୁଁ ହଜିଲା ପୁଅ ପୁଣି ନିଜ ଘରକୁ ଫେରିଆସିଛି । କରୋନା ପାଇଁ ବଡ଼କୁଳ ସଂଗରୋଧ କେନ୍ଦ୍ରରେ ହଜିଲା ପୁଅ ପୁର୍ଣ୍ଣଚନ୍ଦ୍ର ଅଛି ବୋଲି ଶୁଣିବାକୁ ପାଇଥିଲେ ମା’ ଦୁଖୀ ସ୍ୱାଇଁ ।
ପୂର୍ଣ୍ଣଚନ୍ଦ୍ର ଦୀର୍ଘ ୨୨ ବର୍ଷ ଧରି ଜମ୍ମୁ କାଶ୍ମୀର ରେ ରହି ଯାଇଥିଲେ । ଆର୍ଥିକ ଅନାଟନ ଯୋଗୁଁ ପୁର୍ଣ୍ଣଚନ୍ଦ୍ର ଘରକୁ ଫେରି ଆସିପାରୁ ନଥିଲେ । କିନ୍ତୁ କରୋନା ପାଇଁ କିଛି ଓଡ଼ିଆ ଶ୍ରମିକ ନିଜ ଭିଟାମାଟି କୁ ଫେରୁଥିବା ଜାଣିବା ପରେ ସେମାନଙ୍କୁ ପୁର୍ଣ୍ଣଚନ୍ଦ୍ର ନିଜର ଦୁଃଖ କଥା କହିଥିଲେ। ସେମାନେ ମଧ୍ୟ ପୂର୍ଣଚନ୍ଦ୍ରକୁ ସାହାର୍ଯ୍ୟ କରିବେ ବୋଲି ସାହସ ଦେଇଥିଲେ। ନୟାଗଡ଼ର କିଛି ପ୍ରବାସୀ ଶ୍ରମିକ ପୂର୍ଣଚନ୍ଦ୍ର କୁ ଆସିବା ପାଇଁ କହିଥିଲେ । ଏବଂ ନୟାଗଡ଼ର ପ୍ରବାସୀ ଶ୍ରମିକ ପୁର୍ଣ୍ଣଚନ୍ଦ୍ର କୁ ଭୁବନେଶ୍ୱର ଆଣି ବାଲୁଗାଁ କୁ ଆସୁଥିବା ଏକ ଗାଡିରେ ଛାଡିଥିଲେ । ପୂର୍ଣଚନ୍ଦ୍ର ବଡ଼କୁଳ ସଂଗରୋଧ କେନ୍ଦ୍ରରେ ୧୪ ଦିନ ରହିବା ସମୟରେ ତା’ର ମା’ ଜାଣିଥିଲେ ଯେ ତାଙ୍କର ହଜିଲା ପୁଅ ସଂଗରୋଧ କେନ୍ଦ୍ର ରେ ଅଛି। ତେଣୁ ଭାବ ବିହ୍ଵଳିତ ହୋଇ ପୁଅ କୁ ଅତି ଆନନ୍ଦ ର ସହ ଘରକୁ କୋଳେଇ ନେଇଥିଲେ । ଆନନ୍ଦରେ ୮୦ ବର୍ଷର ବୃଦ୍ଧ। ମା’ ନିଜ ପୁଅକୁ ଖୁଆଇ ଦେଉଛି , ମା’ ର ଆନନ୍ଦ କହିଲେ ନସରେ ।
ରାଗ ବ୍ରହ୍ମ ଚଣ୍ଡାଳ , ରାଗରେ ବାପା ଦୁଇ ପଦ କଥା କହିଦେଲେ , ଏତିକି ରେ ପୁର୍ଣ୍ଣଚନ୍ଦ୍ର ୧୫ ବର୍ଷ ବୟସରେ ଘର ଛାଡ଼ି ପଳାଇଲା । ଅର୍ଦ୍ଧ ଶିକ୍ଷିତ ପୁର୍ଣ୍ଣଚନ୍ଦ୍ର ଆର୍ଥିକ ଅନାଟନ ଯୋଗୁଁ ଆଉ ଘର ସହିତ ଯୋଗାଯୋଗ କରିପାରିନଥିଲେ । ବାପା ସ୍ୱର୍ଗପ୍ରାପ୍ତି ହେଲେ , କିନ୍ତୁ ପୁର୍ଣ୍ଣଚନ୍ଦ୍ର ଜାଣିପାରିଲା ନାହିଁ , ମା’ ର ବିଶ୍ୱାସ ଥିଲା ପୁଅ ମୋର ନିଶ୍ଚିତ ଫେରିବ । ମା’ର ସେହି ପଣତ କାନି ଆଜି ତାର ପୁଅ କୁ ଫେରାଇ ଆଣିଛି । ଗାଁର ଲୋକେ ଏବଂ ବନ୍ଧୁ ପରିଜନ ମଧ୍ୟ ବହୁତ ଖୁସୀ ଅନୁଭବ କରୁଛନ୍ତି , ପୁର୍ଣ୍ଣଚନ୍ଦ୍ର ର ଫେରିବା ଘଟଣା କୁ ନେଇ ।ଗାଁ ଲୋକ ଏକ ଶୋଭାଯାତ୍ରା ରେ ପୁର୍ଣ୍ଣଚନ୍ଦ୍ର କୁ ଘରକୁ ପାଛୋଟି ଆଣିଥିଲେ ।