Odisha news

ଲକ୍‌ଡାଉନ୍ ଗରିବ ଓ ଜନସ୍ୱାର୍ଥ ବିରୋଧି – କଂଗ୍ରେସ

0

ଭୁବନେଶ୍ୱର, ୦୨ ଜୁନ – ଓଡିଶା ସରକାରଙ୍କ ଦିଶାହୀନ କରୋନା ମୁକାବିଲା ନୀତି ଯୋଗୁଁ ଆଜି ରାଜ୍ୟରେ ମହାମାରୀର ସ୍ଥିତି ଏକ ସ୍ୱାସ୍ଥ୍ୟ ସେବା ସମସ୍ୟା ବା ପ୍ରସଙ୍ଗ ନହୋଇ ଏହା ଏକ ହ୍ୟୁମାନ ଡିସ୍‌ଟ୍ରେସ୍ ବା ଅଭାବନୀୟ ମାନବ ଯନ୍ତ୍ରଣା, ଆଇନ୍‌ଶୃଙ୍ଖଳା ଏବଂ ଗୁରୁତର ଆର୍ଥିକ ଦୁଃସ୍ଥିତିର ରୂପ ନେଇଛି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ‘ଓଡିଶା ଲକଡାଉନ୍ – ୫’ ବୋଲି ପ୍ରଦେଶ କଂଗ୍ରେସ ଅଭିଯୋଗ କରିଛି ।
କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ ଗତ ଜୁନ୍ ୧ ତାରିଖ ଦିନ ରାଜ୍ୟ ସରକାର ଲକଡାଉନ୍ – ୫ ରେ ଯେଉଁ କେତେଗୁଡିଏ ନୁଆ ସର୍ତ ଯୋଡିଛନ୍ତି, ଏହାଦ୍ୱାରା ରାଜ୍ୟରେ ଚାଷୀ, ଦିନ ମଜୁରିଆ, ଛୋଟ ବ୍ୟବସାୟୀ, ନିମ୍ନ ମଧ୍ୟବିତ ଓ ମଧ୍ୟବିତ ଶ୍ରେଣୀର ଲୋକମାନେ ବିଶେଷ ଭାବରେ ପ୍ରଭାବିତ ହେବେ । ରାଜ୍ୟ ସରକାର ପ୍ରଥମେ ସ୍ପଷ୍ଟ କରନ୍ତୁ ଯେ କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ନୀତି ଓ ଆଭିମୁଖ୍ୟ କ’ଣ ? ୧୧ଟି ଜିଲ୍ଲାରେ ପ୍ରତ୍ୟେକ ସପ୍ତାହ ଶନିବାର ଓ ରବିବାର ଦୁଇଦିନ ଯେଉଁ ସଂପୂର୍ଣ୍ଣ ସଟ୍‌ଡାଉନ ଘୋଷଣା କରିଛନ୍ତି ଏହାଦ୍ୱାରା ପରିବା ଚାଷୀ ଓ ବ୍ୟବସାୟୀ, ମାଛଚାଷୀ, କୁକୁଡା ଚାଷୀ, ଫଳ ଚାଷୀ ଓ ବ୍ୟବସାୟୀ ବହୁଳ ଭାବରେ କ୍ଷତିଗ୍ରସ୍ତ ହେବେ ବୋଲି କଂଗ୍ରେସ ଅଭିଯୋଗ କରିଛି । ମାସାଧିକ କାଳ କ୍ଷତି ସହିବା ପରେ ଚାଷୀ, ଉଠାଦୋକାନୀ, ପନିପରିବା, ଫଳ, ମାଛ, ମାଂସ ବ୍ୟବସାୟୀ ଟିକେ ଅଂଟା ସଳଖୁ ଥିବା ବେଳେ ସରକାରଙ୍କର ସପ୍ତାହକୁ ଦୁଇଦିନିଆ ସଟ୍‌ଡାଉନ୍ ନୀତି ଯୋଗୁଁ ଏମାନଙ୍କ ଅବସ୍ଥା ଆହୁର ଖରାପ ହୋଇଯିବ ।
କୋଭିଡ – ୧୯ ମୁକାବିଲା କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । କେରୋନାକୁ ନିୟନ୍ତ୍ରଣ କରିବାର ପ୍ରାଥମିକ କାର୍ଯ୍ୟ ହେଲା ବହୁଳ ଭାବରେ କୋଭିଡ୍ – ୧୯ ଟେଷ୍ଟ କରିବା । ୪ କୋଟି ୨୦ ଲକ୍ଷ ଜନସଂଖ୍ୟାକୁ ଦେଖିଲେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ମାତ୍ର ୨ ଲକ୍ଷ ଲୋକଙ୍କର ଟେଷ୍ଟ କରିଛନ୍ତି । ଯେତେବେଳେ ଆବଶ୍ୟକତା ଅଛି ସରକାର ଅଧିକରୁ ଅଧିକ ଲୋକଙ୍କର କୋଭିଡ୍ ଟେଷ୍ଟ କରାଇବେ ଏବଂ କ୍ୱାରେନ୍‌ଟାଇନ୍‌ରେ ରଖିବେ ସେତିକି ବେଳେ ରାଜ୍ୟ ସରକାର ଅଧିକ ଟେଷ୍ଟ ନକରି ଜୋର ଜବରଦସ୍ତି ସଟ୍‌ଡାଉନ୍ ଜରିଆରେ ସମଗ୍ର ରାଜବାସୀଙ୍କୁ ଯନ୍ତ୍ରଣା ଦେବାରେ ପଛାଉ ନାହାନ୍ତି । ସରକାର ଅଧିକ କୋଭିଡ୍ – ୧୯ ଟେଷ୍ଟ ନକରିବାର କାରଣ ସରକାର ଏ ଦିଗରେ ପଇସା ଖର୍ଚ୍ଚ କରିବାକୁ ଚାହୁଁ ନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

Nalco

Leave A Reply