Odisha news

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ୨୦୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାୱରମ୍ଭ , କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ, ବିକାଶର ମଡେଲ : ମୁଖ୍ୟମନ୍ତ୍ରୀ

0
ଭୁବନେଶ୍ବର, ତା.14.1.21 : କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ, ଆଜି ବିକାଶର ମଡେଲ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଦିନିକିଆ କଳାହାଣ୍ଡି ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଳାହାଣ୍ଡିରେ ୨୦୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ।  ଆଜି ୫୪ଟି ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ବେଳେ, ୫୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।
 ଏହି ଅବସରରେ ଜୟପାଟଣା ବ୍ଲକ୍‌ର Mangalpur ଠାରେ ଆୟୋଜିତ ସଭାରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟନାୟକ , ବିଜୁ ବାବୁଙ୍କର କଳାହାଣ୍ଡି ସହିତ ସଂପର୍କର ସ୍ମୃତିଚାରଣ କରିଥିଲେ।  ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ବାବୁ ୯୦ ଦଶକରେ ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ଭବାନୀପାଟଣା ଗସ୍ତ ସମୟରେ କିଛି ପିଲା ତାଙ୍କ ଉପରକୁ ପଥର ମାଡ କରିଥିଲେ। ବିଜୁ ବାବୁ ତାଙ୍କ ବିଶାଳ ହୃଦୟରେ ସେହି ପିଲାମାନଙ୍କୁ କ୍ଷମା କରିଥିଲେ।  କଳାହାଣ୍ଡିବାସୀ ମୋତେ ବହୁତ ଭଲ ପାଆନ୍ତି । ମୁଁ ମଧ୍ୟ କଳାହାଣ୍ଡିକୁ ବହୁତ ଭଲ ପାଏ ।
କଳାହାଣ୍ଡି ମାଟିରେ ମୋର ଯେତିରି ବିନ୍ଦୁ ରକ୍ତ ପଡିଛି, କଳାହାଣ୍ଡିର ବିକାଶ ପାଇଁ ମୁଁ ତାର ୧୦ ଗୁଣ ଅଧିକ ପରିଶ୍ରମ କରିବି ।’ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିବା ସମୟର ସ୍ମୃତି ଚାରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ମା’ର ସେବା ପାଇଁ ମୁଁ ଯେତେବେଳେ ସୁଯୋଗ ପାଇଲି, ସେତେବେଳେ ବିଜୁ ବାବୁଙ୍କର ଏହି କଥା ମୋ ମନକୁ  ବାରମ୍ବାର ଆସୁଥିଲା ଏବଂ କଳାହାଣ୍ଡିର ବିକାଶ ପାଇଁ ମୋତେ ମାର୍ଗ ଦେଖାଉଥିଲା। ଏ ଭିତରେ  କଳାହାଣ୍ଡିର ଛବି ଉଜ୍ଜଳ ହୋଇଛି । ନୂଆ ଓଡିଶା ପାଇଁ ବାଟ ଦେଖାଇଛି।
କୃଷି କ୍ଷେତ୍ରରେ କଳାହାଣ୍ଡିର ବିକାଶର ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ  ଯେ ଭୋକର ଭୂଗୋଳ କୁହାଯାଉଥିବା କଳାହାଣ୍ଡି ଏବେ ଭାତହାଣ୍ଡି ହୋଇଛି । କଳାହାଣ୍ଡି ଧାନ ଉତ୍ପାଦନରେ ରାଜ୍ୟରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ, ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ମଧ୍ୟ ଚାଉଳ ଯୋଗାଉଛି।  ୧୦ଟି ରାଜ୍ୟ କେନ୍ଦ୍ରୀୟ ଭଣ୍ଡାରକୁ ଯେତିକି ଚାଉଳ ଯୋଗାଉଛନ୍ତି, କଳାହାଣ୍ଡି ଏକାକି ସେତିକି ଚାଉଳ ଯୋଗାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏ ସବୁ ସମ୍ଭବ ହୋଇପାରିଛି କଳାହାଣ୍ଡି ର ଚାଷୀ ତଥା ସମସ୍ତ ଜନସାଧାରଣଙ୍କ  ଦୃଢ ଇଚ୍ଛା ଶକ୍ତି  ଗଭୀର ଆତ୍ମ ବିଶ୍ୱାସ ଓ କଠିନ ପରିଶ୍ରମ ଯୋଗୁଁ  ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସଂଗ୍ରହ ଋତୁରେ କଳାହାଣ୍ଡିର ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୧୨୦୦ କୋଟି ଟଙ୍କା ଦିଆଯାଇଛି ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ। ଜଳସେଚନ ସୁବିଧା ୩ ଗୁଣ ବୃଦ୍ଧି ପାଇଛି। ସ୍ବାସ୍ଥ୍ୟ ଓ ପୁଷ୍ଟି କ୍ଷେତ୍ରରେ ଭଲ କାମ ପାଇଁ କଳାହାଣ୍ଡି ସାରା ଦେଶରେ Best Performing District ହୋଇପାରିଛି । ମାଛ ଚାଷ କ୍ଷେତ୍ରରେ ମଧ୍ୟ ଦେଶରେ ଶ୍ରେଷ୍ଠ ଜିଲ୍ଲାର ମର୍ଯ୍ୟାଦା ଲାଭ କରିଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୦୦ ମସିହାରେ କଳାହାଣ୍ଡିରେ ଶିଶୁ ମୃତ୍ୟୁ ହାର ପ୍ରତି ହଜାରରେ ୭୬ ଥିବାବେଳେ, ମାତୃ ମୃତ୍ୟୁ ହାର ୪୩୨ ଥିଲା। ରାଜ୍ୟ ସରକାରଙ୍କର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଯୋଗୁ ଆଜି ଏହି ହାର କମିଛି ଏବଂ ଆମେ ବହୁ ସଂଖ୍ୟାରେ ଶିଶୁ ଓ ମା ମାନଙ୍କର ଜୀବନ ରକ୍ଷା କରିପାରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କଳାହାଣ୍ଡିର ଏହି ରୂପାନ୍ତରର ସବୁ ଶ୍ରେୟ ଇନ୍ଦ୍ରବତୀ ନଦୀକୁ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଇନ୍ଦ୍ରବାତୀ ଆମର ମା ଏବଂ କଳାହାଣ୍ଡିର ଜୀବନରେଖା । ସେ ତାର ପ୍ରତିଟି ଜଳବିନ୍ଦୁ ଦେଇ କଳାହାଣ୍ଡିକୁ ସମୃଦ୍ଧ କରିଛି । କଳାହାଣ୍ଡିବାସୀଙ୍କ ଦେହରେ ତାର ପାଣି ରକ୍ତ ହୋଇ ବୋହୁଛି । ମା ଇନ୍ଦ୍ରାବତୀର ଏହି ଅବଦାନକୁ ସମ୍ମାନ ଜଣାଇ ଏଠାରେ ଏକ ସଂଗ୍ରହାଳୟ ଓ ଉଦ୍ୟାନ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ଏହି ସଂଗ୍ରହାଳୟ ସାରା ବିଶ୍ବକୁ କଳାହାଣ୍ଡିର ରୂପାନ୍ତରର କାହାଣୀ କହିବ। ଏହି ଉଦ୍ୟାନ ଭିତରେ ମା ଇନ୍ଦ୍ରାବତୀଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ଏବଂ ଇନ୍ଦ୍ରାବତୀର ଟୋପାଏ ବି ଜଳବିନ୍ଦୁକୁ ନଷ୍ଟ ହେବାକୁ ନ ଦେଇ, କଳାହାଣ୍ଡିର ବିକାଶରେ ପୁରା ବିନିଯୋଗ କରିବା  ସହିତ ଭବିଷ୍ୟତ ପୀଢି ପାଇଁ ଇନ୍ଦ୍ରବତୀର ପାଣିକୁ ସୁରକ୍ଷିତ ରଖିବାକୁ ସଂକଳ୍ପ ନେବା ପାଇଁ ମୁଖ୍ୟମନ୍ତ୍ରୀ କଳାହାଣ୍ଡିର ଚାଷୀ ଭାଇଭଉଣୀ ମାନଙ୍କୁ ଆହ୍ବାନ ଜଣାଇଥିଲେ।
ଆଜି ଉଦ୍‌ଘାଟିତ ଓ ଶିଳାନ୍ୟାସ କରାଯାଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ମେଗା ଉଠା ଜଳସେଚନ ବ୍ୟବସ୍ଥା, ଫୁଡ ପାର୍କ, ନୂଆ ବିଦ୍ୟୁତ ଫିଡର ଲାଇନ, ଭବାନୀପାଟଣାରେ ନୂଆ ବସ୍‌ଷ୍ଟାଣ୍ଡ, ରାସ୍ତାଘାଟ, ସେତୁ ଆଦି ବିଭିନ୍ନ ପ୍ରକଳ୍ପ ରହିଛି।
ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ,ମନ୍ତ୍ରୀ ଶ୍ରୀ ରଘୁନଦନ ଦାଶ ମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର  ଉଦ୍ ବୋଧନ   ଦେଇ ଥିଲେ ।
Prince Dance group ଆକର୍ଷଣୀୟ  ନୃତ୍ୟ ଜରିଆରେ କଳାହାଣ୍ଡି ର ବିକାଶ ର ଧାରା  ଉପସ୍ଥାପନା କରିଥିଲେ
Ad2
Leave A Reply