Odisha news

ପ୍ରଶଂସା ସାଉଁଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ : ଆରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’

ରାସନ କାର୍ଡଧାରୀଙ୍କୁ ଏଣିକି ମାସକୁ ମୁଣ୍ଡ ପିଛା ଅତିରିକ୍ତ ୫ କେଜି ଚାଉଳ

0

ଭୁବନେଶ୍ବର: ରାଜ୍ୟର ରାସନ କାର୍ଡଧାରୀଙ୍କୁ ଏଣିକି ମାସକୁ ମୁଣ୍ଡ ପିଛା ଅତିରିକ୍ତ ୫ କେଜି ଚାଉଳ ମିଳିବ। ଏଥିପାଇଁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ଆରମ୍ଭ କରିଛନ୍ତି। ଏଥିରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଥିବା ୯୭,୯୭,୫୭୨ ପରିବାରର ୩,୨୨,୮୯,୬୯୨ ଜଣ ସଦସ୍ୟ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଥିବା ୨,୯୮,୭୨୫ ପରିବାରର ୫,୬୨,୭୩୭ ଜଣ ସଦସ୍ୟ ଉପକୃତ ହେବେ। ଏହିପରି ସମୁଦାୟ ୧ କୋଟି ୯୬ ହଜାର ୨୯୭ ପରିବାରର ୩ କୋଟି ୨୮ ଲକ୍ଷ ୫୨ ହଜାର ୪୨୯ ଜଣ ହିତାଧିକାରୀ ଏଣିକି ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ସୁବିଧା ପାଇବେ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଏହି ନୂଆ ଯୋଜନାକୁ ଅନୁମୋଦନ ମିଳିଛି।‌ ଶନିବାର ସନ୍ଧ୍ୟାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୩ଟି ବିଭାଗର ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଆଜିର ବୈଠକକୁ ୧୩ଟି ବିଭାଗର ୧୯ଟି ପ୍ରସ୍ତାବ ଆସିଥିବାବେଳେ ଏହା ଉପରେ ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଥିଲା। ୧୬ଟି ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର ବାଜିଥିବାବେଳେ ବାକି ୩ଟି ପ୍ରସ୍ତାବକୁ ଫେରାଇ ଦିଆଯାଇଛି।

କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସୁଦୃଢ଼ କରିବା ପାଇଁ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ଆରମ୍ଭ ହୋଇଛି। ଏହି ଯୋଜନାରେ ମାସିକ ହାରାହାରି ୧.୬୪ ଲକ୍ଷ ମେଟ୍ରିକ୍‌ ଟନ୍‌ ହିସାବରେ ବାର୍ଷିକ ହାରାହାରି ୧୯.୭୧ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ପିଡିଏସ୍ କେନ୍ଦ୍ର ମାଧ୍ୟମରେ ବଣ୍ଟାଯିବ। ଏହି ବାବଦରେ ଆକଳନ କରାଯାଇଥିବା ମାସିକ ଖର୍ଚ୍ଚ ହାରାହାରି ୭୩୪ କୋଟି ଟଙ୍କା ହାରରେ ବର୍ଷକୁ ୮,୮୧୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।

Ad2
Leave A Reply