ଭୁବନେଶ୍ୱର : ଆଜି ବିଶ୍ବସ୍ତରୀୟ ଜଳ ଦିବସ ସମାରୋହ ୨୦୨୬ର ଉଦ୍ଘାଟନ ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝି ସମୁଦାୟ ୨୬୧୨ କୋଟି ଟଙ୍କାର ବହୁମୂଲ୍ୟ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିମଧ୍ୟରୁ ପ୍ରାୟ ୨୨୯୨ କୋଟି ଟଙ୍କାର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଥିବା ବେଳେ ପ୍ରାୟ ୩୨୦ କୋଟି ଟଙ୍କାର ବ୍ୟୟ ବରାଦରେ ସମୁଦାୟ ୧୨୪ ଟି ପ୍ରକଳ୍ପର ଉଦ୍ଘାଟନ ହୋଇଛି ।
ସ୍ଥାନୀୟ ଲୋକ ସେବା ଭବନ କନଭେନସନ ସେଣ୍ଟର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନିଜ ବକ୍ତବ୍ୟରେ, ଜଳର ଗୋଟିଏ ବୁନ୍ଦା ମଧ୍ୟ ବିଶ୍ୱର ଅନେକ ଲୋକଙ୍କ ପାଇଁ ଦୁର୍ମୂଲ୍ୟ । ତେଣୁ ଜଳର ଗୋଟିଏ ବୁନ୍ଦା ଯେପରି ନଷ୍ଟ ନ ହୁଏ, ସେଥିପାଇଁ ସମସ୍ତଙ୍କୁ ଶପଥ ନେବାକୁ ଆହ୍ବାନ ଦେଇଥିଲେ। ପିଲାମାନଙ୍କୁ ସ୍କୁଲରୁ ହିଁ ପାଣି ବଞ୍ଚେଇବାର ଶିକ୍ଷା ଦେବାକୁ ପଡ଼ିବ। ସେମାନେ ହିଁ ଆଗାମୀ ଦିନର ଜଳ ସୈନିକ ବୋଲି କହିଥିଲେ। ଏହାସହ ପ୍ରଧାନମନ୍ତ୍ରୀଙ୍କ ଜଳ ଜୀବନ ମିଶନ୍କୁ ଏକ ବୈପ୍ଲବିକ ଯୋଜନା ବୋଲି କହି ମୁଖ୍ୟମନ୍ତ୍ରୀ ପ୍ରତି ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଜଳାଭାବକୁ ଦୂର କରିବା ବୋଲି ସଂକଳ୍ପ ନେବା ବୋଲି କହିଥିଲେ ।
ଚଳିତ ବର୍ଷର ବିଶ୍ୱ ଜଳ ଦିବସର ବିଷୟବସ୍ତୁ ‘ଜଳ ଏବଂ ଲିଙ୍ଗଗତ ସମାନତା’କୁ ଆଧାର କରି ସମସ୍ତ ରାଜ୍ୟବାସୀଙ୍କୁ ଜଳ ସୁରକ୍ଷା ପାଇଁ ଆଗେଇ ଆସିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ଆଗାମୀ ଦିନମାନଙ୍କରେ ଓଡ଼ିଶାର ଜଳ ସେଚନ ସୁବିଧା ପାଇଁ ଶସ୍ୟର ସାନ୍ଦ୍ରତାକୁ ୨୦୩୬ ସୁଦ୍ଧା ୨୨୦ ପ୍ରତିଶତ ଓ ୨୦୪୭ ସୁଦ୍ଧା ୨୫୦ ପ୍ରତିଶକୁ ବୃଦ୍ଧି କରିବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବିଭିନ୍ନ ଜଳସେଚନ ଯୋଜନା ମାଧ୍ୟମରେ ପ୍ରାୟ ୨ ଲକ୍ଷ ୨୦ ହଜାର ହେକ୍ଟର ଜମିରେ ଅତିରିକ୍ତ ଜଳସେଚନ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜୀବ ଭବନ ଠାରେ ଶିଶୁ ଯତ୍ନ କେନ୍ଦ୍ର ‘‘କଳିକା’ର ଉଦଘାଟନ କରିଥିଲେ। ଏଆଇ (AI) ଚାଳିତ ନାଗରିକ ମତାମତ ବ୍ୟବସ୍ଥା ‘ବିନ୍ଦୁ’ ଚାଟ୍ବୋଟ’ର ପ୍ରୟୋଗିକ ଆରମ୍ଭ କରିଥିଲେ। ଏଥି ସହିତ ଜଳ ସମ୍ପଦ ବିଭାଗ ପକ୍ଷରୁ କେନ୍ଦ୍ରୀୟ ଜଳ ଆୟୋଗଙ୍କ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ସହ ଏକ କଫି ଟେବୁଲ ବୁକ୍ ‘ସୁଜଳ’ ଏବଂ ନଦୀ ମାନଚିତ୍ର ବହିର ଉନ୍ମୋଚନ ମଧ୍ୟ ହୋଇଥିଲା ।
କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି କହିଥିଲେ ଯେ, ଯେଉଁ ସ୍ଥାନ ମାନଙ୍କରେ ଲୋୟର ଲେଭେଲ୍ ବ୍ରିଜ୍ ମାନଙ୍କୁ ଭଙ୍ଗାଯାଇ ଅଧିକ ଉଚ୍ଚତା ବିଶିଷ୍ଟ ବ୍ୟାରେଜ ନିର୍ମାଣ କରାଯାଉଛି, ସେ ସ୍ଥାନରେ ପୁରୁଣା ନିମ୍ନ ସ୍ତରରେ ଥିବା ବ୍ରିଜ୍ ମାନଙ୍କୁ ଭଙ୍ଗା ନ ଯାଇ ସେ ସବୁରେ ଗେଟ୍ ଲଗାଇ ଜଳସଂରକ୍ଷଣ ନିମିତ୍ତ ବ୍ୟବହାର କରାଯାଉ । ଏହି ପ୍ରସ୍ତାବକୁ ଷ୍ଟଡି କରି ରିପୋର୍ଟ ଦେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଜଳ ସମ୍ପଦ ବିଭାଗର ଫଟୋଚିତ୍ର ପ୍ରଦର୍ଶନୀ ପ୍ରତିବିମ୍ୱକୁ ଉଦ୍ଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଲିଙ୍ଗରାଜ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ ।