ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସଂଖ୍ୟାଲଘୁ ଧର୍ମାନୁଷ୍ଠାନଗୁଡ଼ିକର ବିକାଶ ପାଇଁ ୧୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସ୍ବତନ୍ତ୍ର ସମସ୍ୟା ପାଣ୍ଠିରୁ ଏହି ଅର୍ଥ ଯୋଗାଇ ଦିଆଯିବ। ଏଥିରେ ନିମ୍ନୋକ୍ତ ଧର୍ମାନୁଷ୍ଠାନରେ ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବା ସହିତ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯିବ।
ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ବର ସତ୍ୟନଗରସ୍ଥିତ ଯୀଶୁ ଖ୍ରୀଷ୍ଟ ଏବଂ ମଦର ମେରୀ ଭୁବନେଶ୍ବର କ୍ୟାଥ୍ଲିକ୍ ଚର୍ଚ୍ଚକୁ ଦୁଇକୋଟି ଟଙ୍କା ଓ ଭୁବନେଶ୍ବର ୟୁନିଟ-୪ କ୍ୟାପିଟାଲ୍ ମସ୍ଜିଦ୍କୁ ଦୁଇକୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ କଟକ ମିଶନ ରୋଡସ୍ଥିତ କଟକ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ଏବଂ ଦରଘାବଜାର କଦମ-ଇ-ରସୁଲ ମସ୍ଜିଦ୍କୁ ଦୁଇକୋଟି ଟଙ୍କା ଲେଖାଏ ଅର୍ଥ ମଞ୍ଜୁର କରାଯାଇଛି।