ଟିକସ ଆଦାୟରେ ୧ ନମ୍ବର ସ୍ଥାନରେ ରହିବାକୁ ଲକ୍ଷ୍ୟ
୫ଟି ମହାନଗର ନିଗମ, ୯ଟି ପୌରାଞ୍ଚଳ ପାଇଁ ପ୍ରିମିୟର୍ ଲିଗ୍
ଏମ୍ପିଏଲ୍ ପାଇଁ ଶପଥ ନେଲେ ଟିକସ ଅଧିକାରୀ
ଅଧିକ ଟିକସ ଆଦାୟ କରିଥିବା ଅଧିକାରୀ ପୁରସ୍କାର ପାଇବେ
ଭୁବନେଶ୍ବର : ସହରାଞ୍ଚଳରେ ହୋଲଡିଂ ଟିକସ ପଇଠ କରିବାକୁ ଆଉ ମୁନିସିପାଲ ଅଫିସ କିମ୍ବା ମହାନଗର କାର୍ଯ୍ୟାଳୟ ଯିବାକୁ ପଡ଼ିବନି। ନାଗରିକମାନଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ସଂସ୍କାର ମୂଳକ ପଦକ୍ଷେପ ସ୍ବରୂପ ହୋଲ୍ଡିଂ ଟିକସ ପଇଠ ବ୍ୟବସ୍ଥାକୁ ସରକାର ଅନ୍ଲାଇନ୍ କରିଛନ୍ତି। ଏଣିକି ଅନ୍ଲାଇନ୍ ଯୋଗେ କମ୍ପ୍ୟୁଟର, ମୋବାଇଲ ସହାୟତାରେ ହୋଲଡିଂ ଟିକସ ପଇଠ କରିହେବ। ଆଜି ଲୋକସେବା ଭବନର କନଭେନସନ୍ ସେଣ୍ଟରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ଲାଇନ୍ ହୋଲଡିଂ ଟିକସ ଆଦାୟ ପ୍ଲାଟ୍ଫର୍ମ୍ (ମୋଡୁଲ୍)ର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ବର ମହାନଗର ନିଗମ ବାସିନ୍ଦାଙ୍କ ପାଇଁ https://citizenservices.bhubaneswar.me ଏବଂ ବାକି ୧୧୩ଟି ପୌରାଞ୍ଚଳ ପାଇଁ www.ulbodisha.gov.in ଉପଲବ୍ଧ କରାଯାଇଛି। ଏହାସହିତ ଟିକସ ଆଦାୟ ବୃଦ୍ଧି ପାଇଁ ମହାନଗର ସମେତ ୯ଟି ପୌରାଞ୍ଚଳରେ ୨ ମାସ ପାଇଁ ମୁନିସିପାଲ ପ୍ରିମିୟର ଲିଗ୍ ପ୍ରତିଯୋଗିତା ବ୍ୟବସ୍ଥା ପ୍ରଚଳନ କରିବାକୁ ସେ ଘୋଷଣା କରିଛନ୍ତି। ଏହି ଅନ୍ଲାଇନ୍ ବ୍ୟବସ୍ଥା ଦ୍ବାରା ୭୦ ଲକ୍ଷ ଲୋକ ଉପକୃତ ହେବେ। ଅଧିକ ଟିକସ ଆଦାୟ କରିଥିବା ଅଧିକାରୀଙ୍କୁ ପୁରସ୍କୃତ କରାଯିବା ସହ ଆଦାୟ ହୋଇଥିବା ଟିକସ ଅର୍ଥ ସମ୍ପୃକ୍ତ ପୌରାଞ୍ଚଳର ଭିତ୍ତିଭୂମି ବିକାଶରେ ଖର୍ଚ୍ଚ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ଅନ୍ଲାଇନ୍ ସେବା ବ୍ୟବସ୍ଥାର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ସହରାଞ୍ଚଳବାସୀଙ୍କୁ ୫-ଟି ଆଧାରରେ ଉତ୍ତମ ସେବା ପ୍ରଦାନ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗର ଉଦ୍ୟମ ପ୍ରଶଂସନୀୟ। ବୈଷିୟକ ଜ୍ଞାନକୌଶଳ ଓ ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ନାଗରିକମାନଙ୍କୁ ସେମାନଙ୍କ ଦୁଆର ମୁହଁରେ ସବୁ ସୁବିଧା ଉପଲବ୍ଧ କରିବା ପାଇଁ ତାଙ୍କ ସରକାର ସର୍ବଦା ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହି ଅନଲାଇନ୍ ବ୍ୟବସ୍ଥା ଦ୍ବାରା ଯେ କୌଣସି ସମୟରେ ଯେ କୌଣସି ସ୍ଥାନରୁ ଟିକସ ପ୍ରଦାନ କରାଯାଇ ପାରିବ। ଏହାଦ୍ବାରା ସହରାଞ୍ଚଳ ବାସିନ୍ଦା ବହୁ ପରିମାଣରେ ଉପକୃତ ହେବେ। ସହରରେ ନାଗରିକମାନଙ୍କୁ ଉତ୍ତମ ସେବା ପ୍ରଦାନ ପାଇଁ ଯଥେଷ୍ଟ ଅର୍ଥ ବିନିଯୋଗ କରିବାକୁ ପଡ଼ିଥାଏ। ନାଗରିକମାନେ ପ୍ରଦାନ କରୁଥିବା ଟିକସ ଅର୍ଥ ପ୍ରତିବଦଳରେ ଉତ୍ତମ ସେବା ମିଳିବା ନେଇ ଆଶା ରଖିଥାନ୍ତି। ଏ କ୍ଷେତ୍ରରେ ସାରା ଦେଶରେ ଓଡ଼ିଶା ସରକାର ପ୍ରଥମକରି ରାଜସ୍ବ ଆଦାୟ ବୃଦ୍ଧି କରିବା ଉଦ୍ଦେଶ୍ୟରେ ନୂତନ ପଦକ୍ଷେପ ସ୍ବରୂପ ମୁନିସିପାଲ ପ୍ରିମିୟର ଲିଗ୍ ବ୍ୟବସ୍ଥା ପ୍ରଚଳନ କରିବାକୁ ଯାଉଛନ୍ତି। ମହାନଗର ନିଗମ ଓ ପୌରାଞ୍ଚଳ ଲୋକଙ୍କଠୁ ଆଦାୟ ହେବାକୁ ଥିବା ଅର୍ଥ ସେହି ସହରାଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ କରାଯିବ। ଏହାଦ୍ବାରା ଉତ୍ତମ ନାଗରିକ ସେବା ଯୋଗାଇବା ପାଇଁ ପୌରାଞ୍ଚଳ ଭିତରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି ହେବ। ଫଳରେ ଲୋକଙ୍କ ଜୀବନଧାରଣ ମାନରେ ଆହୁରି ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ଅବସରରେ ହୋଲ୍ଡିଂ ଟିକସ ପ୍ରଦାନ ଓ ଏମ୍ପିଏଲ୍ ସଂକ୍ରାନ୍ତ ଦୁଇଟି ପ୍ରାମାଣିକ ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏହାସହିତ ଏମ୍ପିଏଲ୍ ବିଜେତା ଟ୍ରଫିକୁ ମୁଖ୍ୟମନ୍ତ୍ରୀ ଅନାବରଣ କରିଥିଲେ। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, ଅନଲାଇନ୍ ବ୍ୟବସ୍ଥା ଦ୍ବାରା ୧୧୪ଟି ସହରାଞ୍ଚଳର ନାଗରିକମାନେ ଉପକୃତ ହେବେ। ଏହାବ୍ୟତୀତ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳର ଲୋକେ ଟିକସ ପଇଠ କରିବା ପାଇଁ କମନ୍ ସର୍ଭିସ ସେଣ୍ଟରକୁ ଯାଇ ବି ହୋଲ୍ଡିଂ ଟିକସ ପଇଠ କରିପାରିବେ। ଟିକସ ପଇଠ କଲା ପରେ ଟିକସଦାତା ଆବଶ୍ୟକ ରସିଦ ଇ-ମେଲ୍ ଓ ମେସେଜ୍ ମାଧ୍ୟମରେ ପାଇପାରିବେ। ପ୍ରିମିୟର ଲିଗ୍ ବ୍ୟବସ୍ଥା କୌଣସି ଫୁଟ୍ବଲ୍ କିମ୍ବା କ୍ରିକେଟ୍ ଟର୍ଣ୍ଣାମେଣ୍ଟ୍ ନୁହେଁ। ଟିକସ ଆଦାୟ କରୁଥିବା ଅଧିକାରୀଙ୍କ ପାଇଁ ଏହା ପୁରସ୍କାର ବ୍ୟବସ୍ଥା। ପ୍ରାଥମିକ ପର୍ଯ୍ୟାୟରେ ଏହି ଏମ୍ପିଏଲ୍ ବ୍ୟବସ୍ଥା ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ସମେତ ପୁରୀ, ଭଦ୍ରକ, ବାଲେଶ୍ବର ଓ ବାରିପଦ ପୌରାଞ୍ଚଳରେ ଟିକସ ଆଦାୟ ବୃଦ୍ଧି କରିବାକୁ ଲାଗୁ କରାଯାଇଛି। ପରେ ବାକି ପୌରାଞ୍ଚଳରେ ଏହି ବ୍ୟବସ୍ଥା ଲାଗୁ କରାଯିବ। ଏହି ପ୍ରତିଯୋଗିତା ଫେବ୍ରୁଆରି ପହିଲାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଏଥିପାଇଁ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ୧୮ ଜଣିଆ ସଂଗଠକ କମିଟି ଗଠନ କରାଯାଇଛି। ଯେଉଁଥିରେ ଗୃହ ଓ ନଗର ଉନ୍ନୟନ ବିଭାଗ ଯୁଗ୍ମଶାସନ ସଚିବ ଆବାହକ ସଦସ୍ୟ ଭାବେ କାର୍ଯ୍ୟ କରିବେ। ଏମ୍ପିଏଲ୍ ପ୍ରତିଯୋଗିତା ପାଇଁ ୯ଟି ଯାକ ପୌରାଞ୍ଚଳରେ ୯ଜଣ ସିଟି ମ୍ୟାନେଜରଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ଯିଏ ଅଧିକ ଟିକସ ଆଦାୟ କରିବା ତାକୁ ବିଜେତା ଘୋଷଣା କରାଯିବ ଓ ମୁଖ୍ୟମନ୍ତ୍ରୀ ଅନାବରଣ କରିଥିବା ଟ୍ରଫି ପ୍ରଦାନ କରାଯିବ। ଅର୍ବାନ ଟିକସ ଆଦାୟ କ୍ଷେତ୍ରରେ ଭାରତ ବର୍ଷରେ ଓଡ଼ିଶା ୧୦ମ ସ୍ଥାନରେ ରହିଛି। ଟିକସ ଆଦାୟରେ ପ୍ରଥମ ସ୍ଥାନରେ ରହିବାକୁ ସରକାର ଲକ୍ଷ୍ୟ ରଖିଥିବା ଶ୍ରୀ ଜେନା କହିଥିଲେ।
ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନନ୍, ୫‘ଟି’ ଶାସନ ସଚିବ ଭି.କେ ପାଣ୍ଡିଆନ୍, ଭୁବନେଶ୍ବର ମହାନଗର ନିଗମ ସମେତ ୯ଟି ପୌର ପ୍ରଶାସନର କର୍ମଚାରୀମାନେ ଉପସ୍ଥିତ ଥିଲେ।