Odisha news

ଚାଷୀ ଓଡିଶାର ବିକାଶର ସାଥୀ : ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର,୨୦/୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭୁବନେଶ୍ୱର ଜନତା ମଇଦାନଠାରେ “କୃଷି ଓଡ଼ିଶା-୨୦୨୦’ ର ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୃଷିର ଉନ୍ନତି ପାଇଁ ସରକାର ବିଭିନ୍ନ କାର୍ଯ୍ୟ କରୁଛନ୍ତି । ସେ ଚାହାନ୍ତି, ଚାଷୀମାନେ ସ୍ୱାଭିମାନର ସହ ବଂଚନ୍ତୁ । ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଚାଷୀଙ୍କ ସମ୍ମାନ ବୃଦ୍ଧି କରିଛି । ନୂଆ କୃଷିନୀତିର ମୂଳ ଲକ୍ଷ୍ୟ ହେଉଛି ଚାଷୀର ବିକାଶ । ଚାଷୀମାନେ ବର୍ତମାନ ସମୟରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରିବା ଉଚିତ । ଏହା ଦ୍ୱାରା ସେମାନେ ଅଧିକ ଲାଭବାନ୍ ହୋଇପାରିବେ ବୋଲି ସେ କହିଛନ୍ତି । ସେହିପରି କୃଷି ଓ କୃଷକ ସଶନ୍ତିକରଣ ମନ୍ତ୍ରୀ ଡ.ଅରୁଣ ସାହୁ କହିଛନ୍ତି, ରାଜ୍ୟର ଚାଷୀମାନଙ୍କ ଆୟ ବଢିଛି । ୨୦୦୨ ଓ ୨୦୦୩ରେ ଚାଷୀଙ୍କ ଆୟ ଯେତିକି ଥିଲା ତାହା ଏବେ ୭ ଗୁଣା ବୃଦ୍ଧି ପାଇଛି । ରାଜ୍ୟର ୧୪ ଟି ଜିଲ୍ଲାରେ ୭୦ଟି ବ୍ଲକରେ ମାଣ୍ଡିଆ ଚାଷକୁ ଗୁରୁତ୍ୱ ଦିଆଯାଉଛି । ପ୍ରଥମ ଥର ପାଇଁ ମାଣ୍ଡିଆ ମଣ୍ଡି ପ୍ରସ୍ତୁତ କରାଯାଇଛି । ଏଥିରେ କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ର , କେନ୍ଦ୍ର ସାର ବିଭାଗ ସଚିବ ଛବିନ୍ଦ୍ର ରାଉଳ , ଫିକିର ମହାସଚିବ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୦ ଜଣ ଆଗୁଆ ଚାଷୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ନବ ନିଯୁକ୍ତ ସହକାରୀ କୃଷି ଅଧିକାରୀ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ଏବଂ ନୂତନ କୃଷି ନୀତି ସମୃଦ୍ଧି ର ଉନ୍ମୋଚନ କରିଥିଲେ । ଉଲ୍ଲେଖଯୋଗ୍ୟ କୃଷି କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ପ୍ରଦର୍ଶନ ଲକ୍ଷ୍ୟରେ “କୃଷି ଓଡ଼ିଶା-୨୦୨୦’ ପ୍ରଦର୍ଶନୀରେ ୨୨୮ଟି ଷ୍ଟଲ୍ ନିର୍ମାଣ କରାଯାଇଛି । ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ୧୧୨ଟି କମ୍ପାନି ଯୋଗଦେଇଛନ୍ତି । ଦେଶବିଦେଶରେ କୃଷି କ୍ଷେତ୍ରରେ ଘଟୁଥିବା ନୂତନ ଜ୍ଞାନକୌଶଳ ଓ କୃଷି ପ୍ରଣାଳୀ ସହ ଓଡ଼ିଶାର ଚାଷୀମାନଙ୍କୁ ପରିଚିତ କରାଇବା ନିମନ୍ତେ ପ୍ରତିଦିନ ଆଲୋଚନାଚକ୍ର ଓ ପାଠଶାଳାର ଆୟୋଜନ କରାଯାଇଛି । ଯେଉଁଥିରେ ଜାତୀୟ ଓ ଅନ୍ତର୍ଜାତୀୟ କୃଷି ବିଜ୍ଞାନୀ, କୃଷି ବିଶେଷଜ୍ଞ, କୃଷି ଅଧିକାରୀ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଭାଗନେବେ । ଏହି ପ୍ରଦର୍ଶନୀ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ।

Leave A Reply