ବେଜିଙ୍ଗ୍: ‘ଅଭିନବ କରୋନାଭାଇରସ୍’ ପୀଡ଼ିତଙ୍କ ଚିକିତ୍ସା ନିମନ୍ତେ ଉହାନ୍ରେ ମାତ୍ର ୯ ଦିନ ମଧ୍ୟରେ ନିର୍ମିତ ୧୦୦୦ ଶଯ୍ୟାବିଶିଷ୍ଟ ଡାକ୍ତରଖାନାକୁ ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍ ରବିବାର ଦିନ ସେନାବାହିନୀକୁ ଅର୍ପଣ କରିଛନ୍ତି।
ସୋମବାର ଠାରୁ ‘ପିପଲ୍ସ୍ ଲିବେରେସନ୍ ଆର୍ମି’ର (ଚୀନ୍ ସେନାବାହିନୀ) ସଦସ୍ୟମାନେ ଏହି ଡାକ୍ତରଖାନାରେ ରୋଗୀମାନଙ୍କୁ ଭର୍ତ୍ତି କରାଇବେ ବୋଲି ରବିବାର ଦିନ ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି।
ରେକର୍ଡ ସମୟ ମଧ୍ୟରେ ନିର୍ମିତ ନୂଆ ଡାକ୍ତରଖାନାର ୪୧୯ଟି ଓ୍ଵାର୍ଡରେ ରହିଛି ୧୦୦୦ଟି ଶଯ୍ୟା ଏବଂ ୩୦ଟି ଇନ୍ଟେନ୍ସିଭ୍ କେୟାର୍ ୟୁନିଟ୍। ଏହାର ନାମ ରଖାଯାଇଛି ‘ହୁଓସେନ୍ସାନ୍ ହସ୍ପିଟାଲ୍’।
କାଇଡିଆନ୍ ଜିଲ୍ଲା ଅନ୍ତର୍ଗତ ‘ଉହାନ୍ ଓ୍ଵାର୍କର୍ସ ସାନାଟରିୟମ୍’ ମଧ୍ୟରେ ଏହି ହସ୍ପିଟାଲ୍ର ନିର୍ମାଣ କାମ ଜାନୁଆରି ୨୫ ତାରିଖରେ ଆରମ୍ଭ ହୋଇଥିଲା।

ଏହି ବିଶାଳ ପ୍ରକଳ୍ପ ନିମନ୍ତେ ଲାଗିଥିଲେ ୪୦୦୦ରୁ ଊର୍ଦ୍ଧ୍ୱ ଶ୍ରମିକ। ପ୍ରାୟ ୧୦୦୦ଟି ନିର୍ମାଣ ମେସିନ୍ ଓ ଟ୍ରକ୍ ଏହି ଅଟ୍ଟାଳିକା ନିର୍ମାଣସ୍ଥଳରେ ରହି କାମ କରୁଥିଲେ ବୋଲି ରାଷ୍ଟ୍ରାୟତ ‘ଚାଇନା ଡେଲି’ ଖବରକାଗଜ ରବିବାର ସନ୍ଧ୍ୟା ରିପୋର୍ଟରେ କହିଛି।
ଏହି ଡାକ୍ତରଖାନାରେ ‘ପିପଲ୍ସ୍ ଲିବେରେସନ୍ ଆର୍ମି’ର ଅନେକ ଡାକ୍ତରଙ୍କ ସମେତ ୧୦୦୦ରୁ ଅଧିକ ସଦସ୍ୟଙ୍କୁ ମୁତୟନ କରାଯାଇଛି।
ସୋମବାର ଠାରୁ ସେନାବହିନୀର ସମୁଦାୟ ୧୪୦୦ ଡାକ୍ତରୀ କର୍ମୀ ରୋଗୀମାନଙ୍କୁ ଭର୍ତ୍ତି କରାଇ ଚିକିତ୍ସା କରିବେ।
ଏହି ଭଳି ଆଉ ଏକ ଡାକ୍ତରଖାନା ମଧ୍ୟ ନିର୍ମାଣ ଚାଲିଛି ବୋଲି ଗଣମାଧ୍ୟମ ସୂଚନା ଦେଇଛି।