ଚୀନର ଆଜି ପୁଣି ଧମକ : ଗଲୱାନ ଘାଟି ହେଉଛି ସଂପୂର୍ଣ୍ଣ ଚୀନ୍ର, ଭାରତୀୟ ସେନା ଏହି ଅଞ୍ଚଳରେ ଅନୁପ୍ରବେଶ କରିଛନ୍ତି ,ଭାରତ ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି
ନୂଆଦିଲ୍ଲୀ : ଲଦାଖରେ ଭାରତ-ଚୀନ ରକ୍ତାକ୍ତ ସଂଘର୍ଷ ପରେ ସୃଷ୍ଟି ହୋଇଥିବା ବିସ୍ଫୋରକ ପରିସ୍ଥିତିକୁ ଆୟତ୍ତ କରିବା ଲାଗି ଉଭୟ ପକ୍ଷ ମଧ୍ୟରେ ସାମରିକ ସ୍ତରୀୟ କଥାବାର୍ତା ଚାଲିଥିଲେ ମଧ୍ୟ ଏଥିରେ ବିଶେଷ ଅଗ୍ରଗତି ହୋଇନାହିଁ। ଅନ୍ୟପକ୍ଷରେ ଚୀନ ଆଜି ପୁଣି ଧମକ ଦେଇଛି। କହିଛି ଯେ ଗଲୱାନ ଘାଟି ହେଉଛି ସଂପୂର୍ଣ୍ଣ ଚୀନ୍ର। ଭାରତୀୟ ସେନା ଏହି ଅଞ୍ଚଳରେ ଅନୁପ୍ରବେଶ କରିଛନ୍ତି। ଏହାର ସୁରକ୍ଷା ପାଇଁ ଚୀନ୍ ସବୁ ପ୍ରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ। ପ୍ରତିରୋଧ ହେଲେ ଚୀନ୍ ଏହାର କଡ଼ା ଜବାବ ଦେବ। ଚୀନର ଏଭଳି ଧମକ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବୈଦେଶିକ ବିଭାଗ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି ଯେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ସ୍ଥିତାବସ୍ଥା ବଦଳାଇବାକୁ ଉଦ୍ୟମ କରାଗଲେ ଏହାକୁ ବ୍ୟର୍ଥ କରାଯିବ।
ପୂର୍ବ ଲଦାଖ୍ରେ ଚୀନ୍ ସେନାର ଷଡ଼ଯନ୍ତ୍ର ଓ ହିଂସା ଯୋଗୁଁ ସ୍ଥିତି ଅଣାୟତ୍ତ ହୋଇଉଠିଥିବା ବେଳେ ଆଜି ପୁଣି ଚୀନ୍ ନିଆଁରେ ଘିଅ ଢାଳିଛି। ଚୀନ୍ ବୈଦେଶିକ ବିଭାଗର ମୁଖପାତ୍ର ଝାଓ ଲିଜିୟାନ କହିଛନ୍ତି ଯେ ଗଲୱାନ୍ ଘାଟି ଅଂଚଳ ସଂପୂର୍ଣ୍ଣ ଭାବେ ଚୀନ୍ର ଏବଂ ଭାରତୀୟ ସେନା ସେଠାରେ ଅନୁପ୍ରବେଶ କରିଛି। ଚୀନ୍ ସେନାକୁ ଭାରତ ହେୟ ମଣିଲେ ଏହାର କଡ଼ା ଜବାବ ଦିଆଯିବ ବୋଲି ସେ କହିଛନ୍ତି। ଭାରତ ବର୍ତ୍ତମାନର ସ୍ଥିତିକୁ ନେଇ କୌଣସି ସନ୍ଦେହରେ ରହିବା ଉଚିତ ନୁହେଁ ଏବଂ ଚୀନ୍ ନିଜର ସାର୍ବଭୌମତ୍ବକୁ ସୁରକ୍ଷିତ ରଖିବାକୁ ଦୃଢ଼ତାର ସହ ପଦକ୍ଷେପ ନେବ ବୋଲି ସେ କହିଛନ୍ତି। ଭାରତୀୟ ଅଂଚଳ ଦଖଲ ପାଇଁ ଲଗାତାର ଷଡ଼ଯନ୍ତ୍ର କରୁଥିବା ଚୀନ୍ ପୂର୍ବ ଲଦାଖ୍ ସଂଘର୍ଷ ପାଇଁ ଭାରତକୁ ସଂପୂର୍ଣ୍ଣ ଭାବେ ଦାୟୀ କରି ଚେତାବନୀ ଦେଇଥିବାରୁ ଭାରତ ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। କହିଛି ଯେ ଏଲ୍ଏସିରେ ସ୍ଥିତି ବଦଳାଇବାକୁ ଚୀନ୍ର ଯେ କୌଣସି ଉଦ୍ୟମକୁ ପଣ୍ଡ କରିଦିଆଯିବ।
ଭାରତର ବୈଦେଶିକ ବିଭାଗ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ବୁଝାମଣା ଅନୁଯାୟୀ ଚିନ ସେନା ନିଜ ସୀମା ଭିତରେ ରହୁ। ଭାରତୀୟ ଅଞ୍ଚଳରେ ପ୍ରବେଶ କରି ଜଟିଳ ପରିସ୍ଥିତି ସୃଷ୍ଟି ନକରୁ।
ଅନ୍ୟପକ୍ଷରେ ଚୀନ୍ ସରକାରଙ୍କ ମୁଖପତ୍ର ଗ୍ଲୋବାଲ ଟାଇମ୍ସରେ ମଧ୍ୟ ଭାରତକୁ ଧମକ ଦିଆଯାଇଛି। ଚୀନ୍ ପାଇଁ ପାକିସ୍ତାନ ସବୁଠାରୁ ନିର୍ଭରଯୋଗ୍ୟ କୂଟନୈତିକ ସହଯୋଗୀ ପାଲଟିଥିବା ବେଳେ ନେପାଳ ମଧ୍ୟ ଏବେ ଚୀନ୍ ସହିତ ଘନିଷ୍ଠ ସଂପର୍କ ସ୍ଥାପନ କରିଛି। ଏଭଳି ସ୍ଥିତିରେ ଭାରତ ସୀମାରେ ଉତ୍ତେଜନା ବଢ଼ାଇଲେ ତିନି ଦେଶର ସାମରିକ ଚାପକୁ ସାମ୍ନା କରିବାକୁ ପଡ଼ିବ ବୋଲି ଗ୍ଲୋବାଲ ଟାଇମ୍ସ କହିଛି। ପୂର୍ବ ଲଦାଖ୍ରେ ଯେଭଳି ସଂଘର୍ଷ ହେଲା ତାହାର ପୁନରାବୃତ୍ତି ଯେଭଳି ହେବ ନାହିଁ ସେଥିପାଇଁ ଭାରତ ସୁନିଶ୍ଚିତ କରୁ ବୋଲି ଗ୍ଲୋବାଲ ଟାଇମ୍ସ କହିଛି।
ଇତିମଧ୍ୟରେ ଲଦାଖରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଦୁଇ ଦେଶ ମଧ୍ୟରେ ଆଜି ଅନୁଷ୍ଠିତ ମେଜର ଜେନେରାଲ ସ୍ତରୀୟ ତୃତୀୟ ପର୍ଯ୍ୟାୟ ଆଲୋଚନା ଅସମାପ୍ତ ରହିଛି। ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହେବ। ଆଲୋଚନାର ଫଳାପଳ ନେଇ ଭାରତ ଆଶାବାଦୀ ଥିବା ବେଳେ ଚୀନ୍ ପକ୍ଷରୁ କିଛି କୁହାଯାଉନାହିଁ। ଅନ୍ୟପକ୍ଷରେ ଏହି ଅଞ୍ଚଳରେ ଉଭୟ ଭାରତ ଓ ଚୀନ ସେମାନଙ୍କର ସାମରିକ ଶକ୍ତି ବଢ଼ାଇବାରେ ଲାଗିଛନ୍ତି।