Odisha news

ପିଲାଙ୍କ “ନଲେଜ୍ କ୍ୟାପ୍ସୁଲ’

0

ଡାକ୍ତର ଜ୍ୟୋତିରଞ୍ଜନ ଚମ୍ପତିରାୟ : ବର୍ତ୍ତମାନ ସବୁଠି କରୋନାକୁ ନେଇ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି । ବିଶେଷକରି କୋମଳମତି ପିଲାମାନଙ୍କ ମନ ଭିତରେ କରୋନା ଏକ ଅଭାବନୀୟ ଚରିତ୍ର ଭାବେ ଆର୍ବିଭୂତ ହୋଇଛି । ସେହିପରି ବର୍ତ୍ତମାନ ସମୟରେ ଅନେକ ପିଲା ନିଜ ଚିକିତ୍ସା ଜୀବନ ହେଉ ବା ପାଠପଢ଼ା ଜୀବନ ସବୁଠି ପ୍ରତିବନ୍ଧକ ଓ ଅନେକ ପ୍ରତିକୂଳତାକୁ ସାମ୍ନା କରୁଛନ୍ତି । ସେମାନଙ୍କ ଭିତରୁ ଅନେକ ଧୈର୍ଯ୍ୟହରା ହୋଇ ନିଜ ଜୀବନ ପଥରୁ ବାହାର ହୋଇଯାଉଥିବାବେଳେ ଅନେକ କିନ୍ତୁ ଆଲୋକବର୍ତ୍ତିକା ପରି ଅନ୍ୟମାନଙ୍କ ପରି ଆଦର୍ଶ ପାଲଟି ଜୀବନଯୁଦ୍ଧରେ ପରାସ୍ତ ହୋଇନାହାଁନ୍ତି । ସେହିପରି କିଛି କିଛି କୃତୀତ୍ୱପୂର୍ଣ୍ଣ ବିଜୟୀ ଶିଶୁମାନଙ୍କର ଜୀବନ ଚରିତ ଗଣମାଧ୍ୟମରେ ପ୍ରକାଶ ମଧ୍ୟ ହେଉଛି । ତେବେ ବଣମଲ୍ଲୀ ପରି ଅନେକ ପ୍ରତିଭାବାନ ପିଲାଙ୍କ ସୃଜନ ଓ ଶ୍ରେଷ୍ଠ କର୍ମ ଲୋକଲୋଚନର ଉହାଡ଼ରେ ରହିଯାଉଛି ମଧ୍ୟ । ନିକଟରେ ପ୍ରକାଶିତ ହୋଇଥିବା ଏକ ଘଟଣା ଉପରେ ଆମେ ଆଲୋକପାତ କରୁଛୁ ।

କୋଲକାତାର ରାଜୀବ ପୋଡ଼ର ମାତ୍ର ୯ବର୍ଷ ବୟସରେ ପାରାଲିସିସ୍ର ଶିକାର ହୋଇ ଚଲାବୁଲା କରିପାରିଲେ ନାହିଁ । ହ୍ୱିଲ୍ଚେୟାର ମଧ୍ୟରେ ସୀମିତ ରହିଗଲେ । ୩୦ ମିନିଟ୍ରୁ ଅଧିକ ସମୟ ବସିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ । ମା’ବାପା ତାଙ୍କ ଚିକିତ୍ସା ପାଇଁ ଏଣେତେଣେ ଦୌଡ଼ିଲେ, ସେଥିପାଇଁ ତାଙ୍କୁ ସ୍କୁଲ ବନ୍ଦ କରିବାକୁ ପଡ଼ିଲା । କିନ୍ତୁ ସଫଳତା ମିଳିଲା ନାହିଁ । ପୋଡ଼ରଙ୍କ ଜୀବନ କ୍ୱାରେଣ୍ଟାଇନ ଭଳି ହୋଇଗଲା । ଯାହା ସେ ଦୀର୍ଘ ୪୦ ବର୍ଷ ଧରି ପାଳନ କରିଆସୁଛନ୍ତି । ଜୀବନରେ ଅନେକ ଜଟିଳତା ତାଙ୍କୁ ସାମ୍ନା କରିବାକୁ ପଡ଼ିଲା, କିନ୍ତୁ କେବେ ହାରିବେ ନାହିଁ ଏବଂ ଜୀବନରେ କିଛି କରିବେ ବୋଲି ସେ ନିଷ୍ପତ୍ତି ନେଲେ । ତାଙ୍କର ଏହି ନିଷ୍ଠା ହଜାର ହଜାର ଲୋକଙ୍କ ପାଇଁ ପ୍ରେରଣା ପାଲଟିଛି । ଜୀବନରେ ସାମ୍ନା କରିଥିବା ଚ୍ୟାଲେଞ୍ଜ ବିଷୟରେ ପୋଡ଼ର କହନ୍ତି, ପାରାଲିସିସ ଯୋଗୁ ସେ ସ୍କୁଲ ଯାଇ ପାରିଲେନି । ସାଙ୍ଗସାଥିଙ୍କୁ ମଧ୍ୟ ଭେଟି ପାରିଲେନି । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଲା । ୧୪ବର୍ଷ ବୟସରେ ସେ ନିଜକୁ ବୁଝାଇ ଦେଲେ ଯେ ଏହା ହିଁ ଜୀବନ ।

ଏହି ସ୍ଥିତିରେ କିଛି ଭିନ୍ନ କରିବାକୁ ପୋଡ଼ର ସ୍ଥିର କଲେ । ପଢ଼ାପଢ଼ିରେ ସବୁ ସମୟ ବିତାଇଲେ । କିନ୍ତୁ ଯେତେବେଳେ ସେ ଦେଖିଲେ ତାଙ୍କ ସାଙ୍ଗମାନେ ପଢ଼ା ଶେଷ କରି ଚାକିରି ଜୀବନ ଆରମ୍ଭ କରୁଛନ୍ତି, ନିଜକୁ ଖୁବ୍ ଅସହାୟ ମନେକଲେ । ୨୩ ବର୍ଷ ବୟସ ବେଳକୁ ସ୍ଥାନୀୟ ଅଞ୍ଚଳରେ ସେ ଜଣେ ବୁଦ୍ଧିଜୀବୀ ଭାବେ ପରିଚିତ ହୋଇସାରିଥିଲେ । ଆଖପାଖର କିଛି ପିଲା ତାଙ୍କଠାରୁ ଗଣିତ ଶିକ୍ଷାଗ୍ରହଣ ପାଇଁ ଅନୁରୋଧ କଲେ । ମଜାମସ୍ତିରେ ସେ ପିଲାଙ୍କୁ ପଢ଼ାଇବା ଆରମ୍ଭ କଲେ । ପରେ ପିଲାମାନେ ତାଙ୍କୁ ଶିକ୍ଷାଦାନ ପାଇଁ ଅନୁରୋଧ କଲେ । ଏଥର ପୋଡ଼ରଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିଲା । ସ୍ଥାନୀୟ ଅଞ୍ଚଳରେ ତାଙ୍କ ଶିକ୍ଷକତା କୌଶଳର ଖୁବ ପ୍ରଶଂସା ହେଲେ । ତାଙ୍କ ବ୍ୟାଚ ପିଲାଙ୍କ ସଂଖ୍ୟା ୧୦ରୁ ୧୦୦ରେ ପହଞ୍ଚôଲା । କିନ୍ତୁ ସେ ପିଲାଙ୍କ ଠାରୁ କୌଣସି ପାରିଶ୍ରମିକ ନେଲେ ନାହିଁ । କାରଣ ଟ୍ରେଡିଂ ଷ୍ଟକରୁ ପୋଡ଼ର ଯଥେଷ୍ଟ ଆୟ କରୁଛନ୍ତି । ଶିକ୍ଷକତା ଧୀରେ ଧୀରେ ତାଙ୍କର ନିଶା ପାଲଟିଗଲା । ଏହାପରେ କରେଣ୍ଟ ଆଫେୟାର୍ସକୁ ନେଇ ପିଲାଙ୍କୁ ସାହାଯ୍ୟ କରିବା ଉଦେ୍ଦଶ୍ୟରେ ସେ “ନଲେଜ କ୍ୟାପ୍ସୁଲ’ ପ୍ରତିଷ୍ଠା କଲେ । ଶିକ୍ଷକତା ମାଧ୍ୟମରେ ଅନେକ ଶିଖିବାକୁ ମିଳେ ବୋଲି ତାଙ୍କର ବିଶ୍ୱାସ । ତେଣୁ ସେ କେବେ ବି ଏହାକୁ ଛାଡ଼ିବାକୁ ଚାହାନ୍ତି ନାହିଁ ।

ଏବେ କିନ୍ତୁ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ପିଲାଙ୍କ ସଂଖ୍ୟା କମାଇ ଦେଇଛନ୍ତି । ତଥାପି ତାଙ୍କ ଶିକ୍ଷକତା ନିଶା କମିନାହିଁ । ଏବେ ୟୁଟୁ୍ୟବରେ “ହେଲିକପ୍ଟର ମନି’, “ଜିଓ’, “କୋଭିଡ଼-୧୯’ ଭଳି ଛୋଟ ଛୋଟ ଭିଡ଼ିଓ ଜରିଆରେ ଲୋକଙ୍କୁ ସଚେତନ କରୁଛନ୍ତି । ଘରେ ବନ୍ଦୀ ହୋଇ ରହିବା ଖୁବ କଷ୍ଟଦାୟକ ବୋଲି କରୋନା ଭାଇରସ ସମୟରେ ସେ ଲୋକଙ୍କଠୁ ଶୁଣୁଛନ୍ତି । କିନ୍ତୁ ସାରା ଜୀବନ ଚାରିକାନ୍ଥ ମଧ୍ୟରେ ବନ୍ଦୀ ଥିବା ବ୍ୟକ୍ତିଙ୍କ ବିଷୟରେ ଚିନ୍ତା କରିବା ଉଚିତ ବୋଲି ସେ କହନ୍ତି । ତେଣୁ ଆଶାବାଦୀ ହେବା ଉଚିତ ବୋଲି ସେ ଲୋକଙ୍କୁ ଅନୁରୋଧ କରିଛନ୍ତି । ପୋଡ଼ରଙ୍କ କାହାଣୀ ଏବେ ଅନ୍ଲାଇନ ଭାଇରାଳ ହେଉଛି । ବର୍ତ୍ତମାନ ସମୟରେ ଘଣ୍ଟା ଘଣ୍ଟା ଧରି ମୋବାଇଲ ଫୋନରେ ବ୍ୟସ୍ତ ରହି ନିଜ ସୃଜନ ପ୍ରତିଭାକୁ କ୍ଷତବିକ୍ଷକ୍ତ କରୁଥିବା କିଛି ପିଲାମାନଙ୍କ ପାଇଁ ଏହି ମୋବାଇଲରେ ଉପଲବ୍ଧ ଜ୍ଞାନ କିନ୍ତୁ ଅନ୍ୟମାନଙ୍କ ପାଇଁ ଶିକ୍ଷଣୀୟ ଓ ଜୀବନ ପାଇଁ ଭଲ ପଥର ବାହକ ହୋଇଛି । ଜୀବନ ଯୁଦ୍ଧରେ ସୁଖ ଓ ଦୁଃଖ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ପରି । ଏ କ୍ଷେତ୍ରରେ ଅଭିଭାବକ ଓ ଡାକ୍ତରଙ୍କ ସମେତ ନିଜ ଆତ୍ମୀୟ ସ୍ୱଜନଙ୍କ ସହଯୋଗ ମଧ୍ୟ ଜରୁରୀ ।

Leave A Reply

Your email address will not be published.