ଛତ୍ରପୁର : ୱାରଲ୍ଡ ଭିଜନ, ଫିଚର୍ସ, ଭାଇ ଅନୁଷ୍ଠାନ ଭୁବନେଶ୍ୱର ର ମିଳିତ ଆନୁକୁଲ୍ୟରେ ଛତ୍ରପୁର ସ୍ଥିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସଭା ଗୃହ ପରିସରରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସାମାଜିକ କର୍ମୀ ଅରୁଣ ଶତପଥିଙ୍କ ସଂଯୋଜନାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ସୁରକ୍ଷା ନିମନ୍ତେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ତଥା ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟା ସି. ଏଚ. ଜ୍ୟୋତି ଶିଶୁ ମଙ୍ଗଳ କମିଟିର ଲକ୍ଷ୍ୟ ଓ ଆଭିମୁଖ୍ୟ ସହିତ ଶିଶୁ ସୁରକ୍ଷା ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଭାଇ ଅନୁଷ୍ଠାନର ରାଜ୍ୟ ସଂଯୋଜକ ଦେବାନନ୍ଦ ମହନ୍ତ ଯୋଗ ଦେଇ ଶିଶୁ ସୁରକ୍ଷା ଆଇନ ଓ ସରକାରୀ ଥଇଥାନ ଯୋଜନା ସମ୍ପର୍କରେ ସଚେତନତା କରାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ପ୍ରେସ କ୍ଳବର ଉପଦେଷ୍ଟା ରବିନ୍ଦ୍ର କୁମାର ପଣ୍ଡା ସରକାରଙ୍କ ବିଭିନ୍ନ ଶିଶୁ ସୁରକ୍ଷା କମିଟି ଉପରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ସଂପୃକ୍ତ କରିବା ପାଇଁ ନିବେଦନ କରିଥିଲେ । ଅତିଥି ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଆଜି ଆନ୍ତର୍ଜାତିକ ଶିଶୁ ଶ୍ରମିକ ବିରୋଧ ଦିବସ ପାଳନ କରିବା ସହ ଶିଶୁ ଶ୍ରମିକ ଉଚ୍ଛେଦ, ଶିଶୁ ଯୈାନ ନିର୍ଯ୍ୟାତନା ରୋକିବା, ଶିଶୁ ଶୋଷଣରୁ ମୁକ୍ତ ଓ ଯତ୍ନ ନିମନ୍ତେ କାର୍ଯ୍ୟ କରିବା ନିମନ୍ତେ ଦୃଢ ସଂକଳ୍ପ ନେଇଥିଲେ । ଶେଷରେ ଛତ୍ରପୁର ପ୍ରେସ କ୍ଲବର ସମ୍ପାଦକ ସନ୍ତୋଷ କୁମାର ପାଢୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧର ମାନେ ଯୋଗ ଦେଇଥିଲେ ।
