ଛତ୍ରପୁର ୨୮/୮ : ଛତ୍ରପୁର ଏନଏସିର ୧୦ ନଂ ୱାର୍ଡରେ ଦୀର୍ଘ ଦିନ ଧରି ଲାଗିରହିଥିବା ପାନୀୟ ଜଳ ସମସ୍ୟାର ସମାଧାନ ନିମନ୍ତେ ସ୍ଥାନୀୟ କାଉନସିଲର ଦେବାଶିଶ ମିଶ୍ରଙ୍କ ଉଦ୍ୟମରେ ୱାର୍ଡର ଶ୍ରୀନଗର ସାହି ଠାରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରବିବାର ଏକ ବୋର ୱେଲ ସ୍ଥାପନ କାର୍ଯ୍ୟର ଶୁଭାରମ୍ଭ ହୋଇଯାଇଛି । ଉକ୍ତ ୱାର୍ଡରେ ପାନୀୟ ଜଳ ସମସ୍ୟା ଥିବା ନେଇ କାଉନସିଲର ଶ୍ରୀ ମିଶ୍ରଙ୍କ ସମେତ ବହୁ ୱାର୍ଡ ବାସିନ୍ଦା ମାନେ ବହୁବାର ଜନସ୍ୱାସ୍ଥ୍ୟ ବିଭାଗର ବିଭାଗୀୟ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ବୋର ୱେଲ କାର୍ଯ୍ୟକ୍ଷମ ହେବା ପରେ ୱାର୍ଡ ବାସିନ୍ଦା ମାନେ ସଠିକ୍ ସମୟରେ ଶୁଦ୍ଧ ପାନୀୟ ଜଳ ପାଇ ପାରିବେ ବୋଲି କାଉନସିଲର ଶ୍ରୀ ମିଶ୍ର କହିଛନ୍ତି । ଏହି ଅବସରରେ ଆଜି ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ, ସ୍ଥାନୀୟ କାଉନସିଲର ଦେବାଶିଷ ମିଶ୍ର, ଜନସ୍ୱାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ମୃଦୁ କୁମାରୀ ପାଣିଗ୍ରାହୀଙ୍କ ସମେତ ବହୁ ୱାର୍ଡ ବାସିନ୍ଦା ମାନେ ଉପସ୍ଥିତ ଥିଲେ ।
