Odisha news

ଅଗ୍ନିଶମ କର୍ମଚାରୀ ପୁଣି ସାହାସିକତା ଦେଖାଇଲେ : ଦୁର୍ଘଟଣାରେ ଟ୍ରକ୍ ଭିତରେ ଚାପି ହୋଇଥିବା ଡ୍ରାଇଭରଙ୍କୁ ଉଦ୍ଧାର କଲେ

0

ଛତ୍ରପୁର,୨୩/୧୦ : ରାତି ଅଧିଆ ଦୁର୍ଘଟଣାରେ ଟ୍ରକ୍ ଭିତରେ ଚାପି ହୋଇ ରହିଥିବା ଜନୈକ ଡ୍ରାଇଭରକୁ ଜୀବିତାବସ୍ଥାରେ ଉଦ୍ଧାର କରି ଛତ୍ରପୁର ଅଗ୍ନିଶମ କର୍ମଚାରୀମାନେ ପୁଣି ଥରେ ବିଭିନ୍ନ ମହଲରୁ ପ୍ରଶଂସାର ପାତ୍ର ହୋଇଛନ୍ତି । ଶୁକ୍ରବାର ଭୋର ସାଢେ ୪ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ଗ୍ରୀଡ୍ ଛକ ଠାରେ ଓଡି-୩୫୦-୭୮୦୩ ନମ୍ବର ଟ୍ରକ୍ ପଛକୁ ଏନ୍ଏଲ୍-୦୧-ଏବି-୪୦୧୫ ନମ୍ବର ଏକ ତେଲ ଟ୍ୟାଙ୍କର ଜୋରଦାର ଧକ୍କା ଦେଇଥିଲା ।

ଫଳରେ ଟ୍ୟାଙ୍କର ଚାଳକ ଉତ୍ତର ପ୍ରଦେଶ ଅଞ୍ଚଳର ରାକେଶ ଯାଦବ ଟ୍ରକ୍ ମଧ୍ୟରେ ଚାପି ହୋଇ ଗୁରୁତର ଆହତ ହୋଇଥିଲେ । ସୂଚନା ପାଇ ଛତ୍ରପୁର ଅଗ୍ନିଶମ ଆସିଷ୍ଟାଣ୍ଟ ଫାୟାର ଅଫିସର ବିଶ୍ୱନାଥ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏଲ୍ଏଫ୍ଏମ୍ ମହେଶ୍ୱର ପ୍ରଧାନ, ଦିପ୍ତିରଞ୍ଜନ ସ୍ୱାଇଁ, ଦିଲ୍ଲୀପ କୁମାର ନାଏକ, କିଶୋର ମାଝୀ, ତପନ କୁମାର ବେହେରା, କାହ୍ନୁଶ୍ରୀଚନ୍ଦନ ପରିଡା, ଶିବ ନାରାୟଣ ମିଶ୍ର ସେଠାରେ ପହଞ୍ଚିଥିଲେ ।

ଦୀର୍ଘ ସମୟ ଧରି ସଂଘର୍ଷ ଜାରି ରଖି ଜୀବିତାବସ୍ଥାରେ ଡ୍ରାଇଭର ରାକେଶକୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସଙ୍କଟାପନ୍ନ ଥିବା ନେଇ ରାକେଶଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଏହି ଉତ୍ସର୍ଗୀତ ସେବା ଲାଗି ସେମାନଙ୍କୁ ବିଭିନ୍ନ ମହଲୁର ପ୍ରଶଂସା କରାଯାଇଛି ।

Nalco
Leave A Reply