ଛତ୍ରପୁର ୨୩/୧୦ : ଚାଲିଛି ପାର୍ବଣ ରିତୁ । ଚଳିତ ବର୍ଷ ମା ଦୁର୍ଗାଙ୍କ ପୂଜାକୁ ଫିକା କରିଦେଇଛି କରୋନା ମହାମାରୀ । ଏହି ଅବସରରେ ଛତ୍ରପୁର ଆଖପାଖ ବିଭିନ୍ନ ଶକ୍ତିପୀଠ ଓ ଦେବୀପୀଠରେ ମାଙ୍କ ନବରାତ୍ର ପୂଜା ନିରାଡମ୍ବର ସହକାରେ ରୀତିନୀତି ପ୍ରକାରେ ପାଳନ କରାଯାଉଛି ।
ଶୁକ୍ରୁବାର ମହାଅଷ୍ଟମୀ ଅବସରରେ ଛତ୍ରପୁର କୋର୍ଟ ଷ୍ଟେସନ ନିକଟରେ ଥିବା ମା କାଳୀଙ୍କ ମନ୍ଦିର ପରିସରରେ ପୂଜକ ପ୍ରଶାନ୍ତ କୁମାର ଶତପଥୀ ଓ ଶ୍ରୀ ବତ୍ସ ଦେବତା ଙ୍କ ପୌରାହିତ୍ୟରେ ବିଭିନ୍ନ ରିତିନୀତି ପ୍ରକାରେ ମାଙ୍କ ପୂଜା ପାଳନ କରାଯିବା ସହ ମାଙ୍କ ଆଳତି ଓ ପରେ ଚଣ୍ଡୀପାଠ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟିର ଟ୍ରଷ୍ଟି ଅଜିତ୍ କୁମାର ହୋତା,ସଭାପତି ବିଜୟ କୁମାର ପଟ୍ଟନାୟକ,ଉପସଭାପତି ସଂଜୀତ କୁମାର ରାଉଳ,ସଂପାଦକ ସନ୍ତୋଷ କୁମାର ଗୌଡ,କୋଷାଧ୍ୟକ୍ଷ କେ.ନରସିଂହ ମୁର୍ତ୍ତି ଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟ ମାନେ ମାଙ୍କ ପୂଜା କିପରି ସୁରୁଖୁରରେ ଚାଲିବ ସେଥୀ ନିମନ୍ତେ ସହ ଯୋଗ କରୁଛନ୍ତି ।
ଏହି ପୁଜା ଆସନ୍ତା ଦଶହରା ପର୍ଯ୍ୟନ୍ତ ଚାଲିବ । ସେହିପରି ଛତ୍ରପୁର ର ଗ୍ରାମ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀ ମନ୍ଦିର,ବିପୁଳିଙ୍ଗ ସ୍ଥିତ ମା ବିରୀସିଂହ ମନ୍ଦିର,ନୀଳାଦ୍ରିପୁର ପାହାଡ ଉପରେ ବିଜେ କରିଥିବା ତ୍ରିଶକ୍ତି ମା ରାମଚଣ୍ଡୀଙ୍କ ଶକ୍ତିପୀଠ,ରାଜପୁର ସ୍ଥିତ ରାଜେଶ୍ୱରୀ ମା ଦକ୍ଷିଣକାଳୀଙ୍କ ମନ୍ଦିର,ସୀତାନଗର ସ୍ଥିତ କାଳୀ ମନ୍ଦିର ସମେତ ଛତ୍ରପୁର ଆଖପାଖ ଅଂଚଳରେ ଥିବା ବିଭିନ୍ନ ଶକ୍ତିପୀଠ ପରିସରରେ ମାଙ୍କ ନବରାତ୍ର ପୂଜା ନିରାଡମ୍ବର ସହକାରେ ପାଳନ ହେଉଛି ।
