୧୬୩ଧାରାକୁ ଫୁ : ଦୁଇ ଖଣିରେ ଜବତ ଥିବା ୭ଶହ ଟ୍ରିପରୁ ଉର୍ଦ୍ଧ୍ବ ରକ୍ତଭିଜା କଳାପଥର ଗାୟବ
ଚୋର କିଏ ଜାଣି ମଧ୍ୟ ଅଜଣା ସାଜିଛି ପ୍ରଶାସନ
ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡର ୧୦/୫ ନମ୍ବର ଓ ରାହାଡପୁରର ଅନ୍ୟ ଏକ କଳାପଥର ଖଣିରେ ଦୁର୍ଘଟଣା ଘଟି ୪ଜଣ ଶ୍ରମିକଙ୍କ ମୃତ୍ୟୁ ହେବାପରେ ସେହି ଦୁଇଖଣି ଉପରେ ପ୍ରଶାସନ ୧୬୩ଧାରା ଯାରିକରିଛି! ଫଳରେ ଉକ୍ତ ଦୁଇ ଖଣିରେ ପଥର ଖନନ ସମ୍ପୂର୍ଣ୍ଣ ବନ୍ଦ ରହିଛି! ତେବେ ୧୬୩ଧାରା ଯାରୀ ସମୟରେ ଏହି ଦୁଇ ଖଣିରେ ଗଛିତଥିବା ପ୍ରାୟ ୭ଶହ ଟ୍ରିପରୁ ଉର୍ଦ୍ଧ୍ବ ରକ୍ତଭିଜା କଳାପଥରକୁ ପ୍ରଶାସନ ଜବତ କରିଥିଲେ ସୁଦ୍ଧା ତାହା ଏବେ ଗାୟବ ହୋଇଯିବା ଘଟଣା ସମଗ୍ର ଯାଜପୁର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି! ଗାୟବ ହୋଇଥିବା ଏହି କଳାପଥରର ମୂଲ୍ୟ ଦେଢ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଆକଳନ କରାଯାଇଛି! ତେବ ଜବତ ହୋଇଥିବା ଏହି ମୂଲ୍ୟବାନ ସରକାରୀ ସମ୍ପତ୍ତିକୁ କିଏ ଓ କେତେବେଳେ ଲୁଟପାଟ କରିଛି ଏବଂ ଲୁଟପରେ ଏହି କଳାପଥର କେଉଁ କେଉଁ କ୍ରସରକୁ ଚାଲାଣ ହୋଇଛି ତାହା ସାଧାରଣରେ ଆଲୋଚନା ହେଉଥିଲେ ମଧ୍ୟ ଜିଲ୍ଲା ଲଘୁ ଖଣିଉପ ନିର୍ଦ୍ଦେଶକ,ଧର୍ମଶାଳା ତହସିଲଦାର,ଜେନାପୁର ପୋଲିସ ସର୍ବୋପରି ଜିଲ୍ଲା ପ୍ରଶାସନ ଏ ସମ୍ପର୍କରେ ଚୁପହୋଇ ବସିଛନ୍ତି!ଗତ ସପ୍ତାହ ମଧ୍ୟରେ ଖଣିରେ ଜବତଥିବା ଏହି ପଥର ଲୁଟହୋଇଥିଲେ ମଧ୍ୟ ଅଦ୍ୟାବଧି ଏହି ଚୋରିନେଇ ପୋଲିସ ନିକଟରେ ଏତଲା ହୋଇନଥିବା ଜଣାପଡିଛି!
ପ୍ରଶାସନିକ ସ୍ଥାଣୁତା ପାଇଁ ଏଥିରେ ସଂପୃକ୍ତ ଲୁଟେରା ମାନେ ଘଟଣାକୁ ଭିନ୍ନ ରଙ୍ଗ ଦେଇ ଖସିଯିବାକୁ ବସିଥିବା ଅଭିଯୋଗ ହୋଇଛି! ଏଥି ପୂର୍ବରୁ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଞ୍ଚଳରେ ଶହଶହ କୋଟି ଟଙ୍କାର କଳାପଥର ଲୁଟପାଟ ଘଟଣା ରାଜ୍ୟରେ ମୁଖ୍ୟ ପ୍ରସଙ୍ଗ ହୋଇଥିଲା! ରାଜ୍ୟରେ ସରକାର ଓ ଧର୍ମଶାଳାରେ ନେତୃତ୍ୱ ପରିବର୍ତ୍ତନ ହେବାପରେ ଏହି ଲୁଟପାଟ ବନ୍ଦହେବ ବୋଲି ଲୋକେ ଅପେକ୍ଷା କରିଥିଲେ! ହେଲେ ବିଡମ୍ବନାର ବିଷୟ ଏହି କଳାପଥର ଲୁଟପାଟରେ ସମ୍ୟକଭାବେ ରୋକ ଲାଗିଥିଲେ ମଧ୍ୟ ଏବେ ନୂଆ ଢଙ୍ଗରେ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଦ୍ୱାରା ପୂର୍ବ ପରି ଲୁଟପାଟ ଚାଲିଛି! ଅନେକ ଖଣିରେ ୧୬୩ଧାରା ଯାରି ହୋଇଥିଲେ ମଧ୍ୟ ତାହାକୁ ମାନୁ ନାହାଁନ୍ତି କଳା ପଥର ମାଫିଆ!ତେବେ ଏହି ଲୁଟପାଟ ଘଟଣାରେ କେବଳ ଜିଲା ଲଘୁ ଖଣି ଉପ ନିର୍ଦ୍ଦେଶକଙ୍କ ମୁଣ୍ଡରେ ଅଠାବୋଳି ଲୁଟେରା ଗୋଷ୍ଠୀ ଓ ସଂପୃକ୍ତ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଖସିଯିବାକୁ ଏକ ସୁଚିନ୍ତିତ ଯୋଜନା କରୁଥିବା ଆଲୋଚନା ହେଉଛି! ତେବେ ଏଠାରେ ଏବେ ଚାଲିଥିବା ଖଣିଲୁଟକୁ ରୋକିବା ଓ ଏହା ଉପରେ ପୁନଃ ତଦନ୍ତକରି ରିପୋର୍ଟ ଦେବାପାଇଁ ଗତକାଲି ଅଷ୍ଟୋବର ୫ ତାରିଖରେ ରାଜ୍ୟ ଖଣିବିଭାଗ ଉପ ସଚିବ ପ୍ରସାଦ ନାୟକ ପତ୍ର ସଂଖ୍ୟା ୮୬୪୮ରେ ଯାଜପୁର ଜିଲ୍ଲାପାଳ ଓ ଜିଲ୍ଲା ଲଘୁ ଖଣି ଉପ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି! ଯାହାକୁ ନେଇ ଜିଲ୍ଲା ପ୍ରଶାସନ ମହଲରେ ତତ୍ପରତା ପ୍ରକାଶ ପାଇଥିବା ଜଣାପଡିଛି! ତେବେ ସ୍ଥାନୀୟ ବିଧାୟକଙ୍କ ଅଭିଯୋଗ ଆଧାରରେ ଏହି ଚିଠି ହୋଇଥିବା ଆଲୋଚନା ହେଉଛି! ଚଳିତ ବର୍ଷ ମେ ମାସ ୧୬ ତାରିଖରେ ନାରାୟଣ ରାଉତଙ୍କ ୧୦/୫ ନମ୍ବର ଡଙ୍କାରୀ ଖଣିରେ ଅତଡା ଖସି ତିନି ଜଣ ଶ୍ରମିକଙ୍କ ଜୀବନ ଯାଇଥିବା ବେଳେ ସେଠାରେ ସେହି ଶ୍ରମିକ ମାନଙ୍କ ରକ୍ତ ଭିଜା ୫ଟ୍ରିପରୁ ଅଧିକ କଳା ପଥର ଜବତ ହୋଇଥିଲା! !
ତେବେ ଖଣିରେ ୧୬୩ ଧାରା ବଳବତ୍ତର ଥିବାରୁ ଏହି ସରକାରୀ ସମ୍ପତ୍ତିର ଯଗାରଖା ଦାୟିତ୍ୱ ନିଶ୍ଚିତ ପୋଲିସ କିମ୍ବା ଅନ୍ୟ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ଅଧିନରେ ଥିବ! ହେଲେ ସରକାରୀ ଅଧିକାରୀ ମାନଙ୍କ ଦୃଷ୍ଟି ଆଢୁଆଳରେ ଉକ୍ତ ଖଣିରୁ ଏତେ ପରିମାଣର ପଥର କିପରି ଗାୟବ ହୋଇଗଲା ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି! ଏଥିସହ ଗତ ସେଷ୍ଟେମ୍ବର ୧୪ ତାରିଖରେ ରାହାଡପୁରର ସଂଦୀପ ଚଣ୍ଡକଙ୍କ ନାମରେ ଥିବା ଏକ ଖଣିରେ ବେଆଇନ ଖଣି ଖନନ ସମୟରେ ଜଣେ ଶ୍ରମିକର ପଥର ଚାପାରେ ମୃତ୍ୟୁ ଘଟିଥିଲା! ଘଟଣାପରେ ସେହି ଖଣିରେ ମଧ୍ୟ ୧୬୩ଧାରା ଯାରି କରାଯାଇ ସେଠାରେ ଗଛିତଥିବା ପ୍ରାୟ ୨ଶହ ଟ୍ରିପରୁ ଉର୍ଦ୍ଧ୍ବ କଳାପଥରକୁ ଜବତ କରାଯାଇଥିଲା ! ହେଲେ ସେହି ଜବତ କଳା ପଥର ମଧ୍ୟ ଏହା ଭିତରେ ଗାୟବ ହୋଇଯାଇଥିବା ଦେଖାଯାଇଛି! ଏହା ମଧ୍ୟ ପ୍ରଶାସନ ନଜରକୁ ଆସିପାରି ନଥିବା ଅଭିଯୋଗ ହୋଇଛି! ଏହି ସମଗ୍ର ଘଟଣା ଉପରେ ଉପଯୁକ୍ତ ତଦନ୍ତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଖଣି ଖନନ ପାଇଁ ଧାର୍ଯ୍ୟ ୧୪ସୂତ୍ରୀ ଖଣି ନିୟମର ଅନୂପାଳନ କରାଯାଇ ଏଠାରେ ଖଣି ଖନନ କରାଯିବାକୁ ଦାବି ହୋଇଛି!
