Odisha news

ତପ୍ତପାଣି ଘାଟିରେ ବସ୍‌ ଓଲଟି ୮ ଯାତ୍ରୀ ମୃତ; ୪୦ରୁ ଅଧିକ ଆହତ

0

ଗଞ୍ଜାମ : ଘାଟିରୁ ଖସିଲା ଯାତ୍ରୀବାହୀ ବସ୍ । ୭ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା । ଗଂଜାମ ଜିଲ୍ଲା ତପ୍ତପାଣି ଘାଟି ପାଳୁଖୋଳା ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୭ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଦିଗପହଣ୍ଡି ମେଡିକାଲରେ ୫ ଜଣଙ୍କ ମୃତଦେହ ପହଞ୍ଚିଛି । ଏହାସହ ୩୦ରୁ ଅଧିକ ଆହତ ମେଡିକାଲ୍‌ରେ ପହଞ୍ଚିଛନ୍ତି । ମୃତାହତଙ୍କ ପରିବାରଲୋକେ ମେଡିକାଲ୍‌ରେ ଆସି ପହଞ୍ଚିଛନ୍ତି।

ଘଟଣାସ୍ଥଳରେ କାନ୍ଦ ବୋବାଳିରେ ଫାଟି ପଡ଼ୁଛି । ବସ୍‌ଟି ସମ୍ପୂର୍ଣ୍ଣ ଭାବେ ଓଲଟି ପଡ଼ିଥିବା ଯୋଗୁଁ ମୃତାହତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି । ଗଂଜାମ ଏସପି ବ୍ରିଜେଶ ରାୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି ।

ଏବେ ବି ବସ୍ ଭିତରେ କିଛି ଯାତ୍ରୀ ଫସି ରହିଛନ୍ତି –

ଏବେ ବି ବସ୍ ଭିତରେ କିଛି ଯାତ୍ରୀ ଫସି ରହିଛନ୍ତି । ସେମାନଙ୍କୁ କିପରି ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ତାହା ରେସ୍କ୍ୱୁ ଟିମ୍ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଉଦ୍ଧାରକାରୀ ଟିମ୍ ଗ୍ୟାସ୍ କଟର ଦ୍ୱାରା ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରୁଛନ୍ତି ।  ତେବେ ପାଣି ଓ ପଥର ପଡ଼ି ରହିଥିବା ଯୋଗୁଁ ଉଦ୍ଧାରକାରୀ ଟିମ୍ ପାଇଁ ଏହା ସମସ୍ୟା ସୃଷ୍ଟି କରୁଛି । ସାନଖେମୁଣ୍ଡି, ଦିଗପହଣ୍ଡି, ବ୍ରହ୍ମପୁର, ମୋହନା ଏବଂ ପାତ୍ରପୁରର ଅଗ୍ନିଶମ ବାହିନୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ।

୪ ମୃତକଙ୍କ ପରିଚୟ ମିଳିଲା  –

ବସ୍ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରୁ ୪ ଜଣକଙ୍କ ମିଳିଛି ପରିଚୟ । ମୃତକଙ୍କ ମଧ୍ୟରେ ରାୟଗଡ଼ାର ବିଦ୍ୟୁତ୍ ନାୟକ, ପୁତାବଗଡ଼ର ଝୁନୁ ବେହେରା, କବିସୂର୍ଯ୍ୟନଗର ଅଞ୍ଚଳର ବାଲିଆସରା ଗାଁର କରିସ୍ମା ନାୟକ ଏବଂ କୋଦଳାର ଏଲ୍ ରମେଶ ବୋଲି ଜଣାପଡ଼ିଛି।

ଘଟଣାକୁ ନେଇ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା –

ସେପଟେ ଦୁର୍ଘଟଣା ପରେ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ରାତିରେ ଘନ କୁହୁଡି ହୋଇଥିଲା, ଏଥିଯୋଗୁଁ ଦୁର୍ଘଟଣା ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ସେ ସୂଚନା ଦେଇଛନ୍ତି ।

ଏଥିସହ ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।  ବର୍ତ୍ତମାନ ଯାତ୍ରୀମାନଙ୍କୁ ଉଦ୍ଧାର ଉପରେ ଗୁରୁତ୍ୱ ଦିଆଯାଉଛି । ଗାଡ଼ିର କାଗଜପତ୍ର ଠିକ୍ ଥିଲା କି ନାହିଁସେ ନେଇ ପରବର୍ତ୍ତୀ ଅବସ୍ଥାରେ ଯାଞ୍ଚ କରାଯାଉଛି। ଏନେଇ ଆରଟିଓ ଓ ଏମ୍‌ଭିଆଇ ସୂତ୍ରରୁ ତଥ୍ୟ ସଂଗ୍ରହ ଚାଲିଛି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି।

Leave A Reply