ବୁଗୁଡ଼ା : ତା ୨୨/୦୧/୨୩ : ଚାଷୀଙ୍କ ଜମିରେ ଖୋଳିବା ପରିବର୍ତ୍ତେ ସରକାରୀ ଜମିରେ “ମୋ ପୋଖରୀ “ଯୋଜନାରେ ମୃତ୍ତିକା ସଂରକ୍ଷଣ ବିଭାଗ ପୋଖରୀ ଖୋଳି ଦେଇ ଜଣେ ୱାର୍ଡ ମେମ୍ବରଙ୍କ ନାମରେ ଲକ୍ଷାଧିକ ଟଙ୍କାର ବିଲ୍ କରିଦେଇଥିବା ଅଭିଯୋଗ ହୋଇଛି l ଏଭଳି ଗୁରୁତର ଅଭିଯୋଗ ବୁଗୁଡ଼ା ବ୍ଲକ ମୋଟାବାଡ଼ି ପଞ୍ଚାୟତ ଅନ୍ତର୍ଗତ ନାଗିରି ଗ୍ରାମରୁ ଆସିଛି l ନିୟମାନୁସାରେ, ଯେଉଁ ଚାଷୀଙ୍କ ଜମି ଥିବ ସେହି ଜମିରେ ପୋଖରୀ ଖୋଳିବା ପାଇଁ “ମୋ ପୋଖରୀ ” ଯୋଜନାରେ ସରକାରଙ୍କ ତରଫରୁ ସମ୍ପୃକ୍ତ ଚାଷୀଙ୍କୁ ୨ ଲକ୍ଷ ୩୦ ହଜାର ଟଙ୍କା ଅନୁଦାନ ମିଳିଥାଏ l
ତେବେ ବୁଗୁଡ଼ା ତହସିଲର ମୋଟାବାଡ଼ି ରାଜସ୍ୱ କାର୍ଯ୍ୟାଳୟ ଅଧିନସ୍ଥ ନାଗିରି ମୌଜାର ସରକାରୀ ଜମି ଖାତା ନଂ-୧୭୮ ଓ ପ୍ଲଟ ନଂ-୨୮୧ ରେ ପୋଖରୀ ଖୋଳା ଯାଇ ଗ୍ରାମର ଜନୈକ ୱାର୍ଡ ମେମ୍ବରଙ୍କ ନାମରେ ବିଲ୍ ହୋଇଥିବା ଚର୍ଚ୍ଚା ହେଉଛି l ଏହି ସ୍ଥାନଟି ଗ୍ରାମ ହାଟ ପାଇଁ ସଂରକ୍ଷିତ ଥିବା ବେଳେ ଏଠାରେ ବ୍ୟକ୍ତିଗତ ପୋଖରୀ କେମିତି ଖୋଳା ଗଲା ଏବଂ ବିଲ କରାଗଲା ବୋଲି ପ୍ରଶ୍ନ ଉଠିଛି l ଏଠାରେ ପୋଖରୀ ଖୋଳିବାକୁ ଅନୁମତି କିଏ ଦେଲା ଏବଂ ପୋଖରୀ ଖୋଳିବା ପରେ ବିଭଗୀୟ ଅଧିକାରୀମାନେ ଆଖି ବୁଜି କେମିତି ବିଲ୍ କଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
କେବଳ ପୋଖରୀ ଖୋଳା ନୁହେଁ ପୋଖରୀ କଡ଼େ କଡେ କାଜୁ ପ୍ଲାଣ୍ଟେସନ ପାଇଁ ମଧ୍ୟ ୩ ଲକ୍ଷ ୬୦ ହଜାର ଟଙ୍କା ଆସିଥିବା ବେଳେ ଅଳ୍ପ କିଛି ଗଛ ଲଗାଇ ଦେଇ ଲକ୍ଷାଧିକ ଟଙ୍କା ଲୁଟ କରିବା ଯୋଜନା ଚାଲିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି l ପୋଖରୀ ଖୋଳାରେ ମଣିଷ ବଦଳରେ ମେସିନ୍ ଲଗାଇ କାମ କରାଯାଇ ଭୂତ ଶ୍ରମିକଙ୍କ ଖାତାକୁ ଟଙ୍କା ପଠାଯାଇ ହରିଲୁଟ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି l ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ମୃତ୍ତିକା ସଂରକ୍ଷଣ ବିଭାଗର ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି l
