ବୋରିଗୁମ୍ମା (କେ.ସାକିଲି ଦୋରା) : ମହାମାରୀ କରୋନା ଭାଇରସ ସକାଶେ ସାରା କେବଳ ପୁରୀ କୁ ବାଦ ଦେଲେ ରାଜ୍ୟରେ କୌଣସି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇନାହିଁ। ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ଅନୁସାରେ ପୁରୀ ରେ ପ୍ରଶାସନ ଓ ସେବକ ଙ୍କ ଗହଣ ରେ ରଥଯାତ୍ରା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ରଥଯାତ୍ରା ହୋଇନାହିଁ। ବୋରିଗୁମ୍ମା ରେ ରଥଯାତ୍ରା ଅନୁଷ୍ଠିତ ହେବ ନାହିଁ ବୋଲି ପୂର୍ବରୁ ମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। କେବଳ ମନ୍ଦିର ପରିସରରେ ସେବକ ମାନଙ୍କୁ ନେଇ ରଥଯାତ୍ରା ହେବ ଓ ତିନି ଠାକୁରଙ୍କ ନୀତିକାନ୍ତି କରାଯିବ। ରଥଯାତ୍ରା ଦିନ ବିନା ଭକ୍ତରେ ଛୋଟ ରଥ ନିର୍ମାଣ କରାଯାଇ ରଥରେ ତିନି ଠାକୁରଙ୍କ ଫୋଟ ରଖାଯାଇ ରଥ ଟଣାଯାଇଥିଲା।
ମନ୍ଦିର ରୁ ତିନି ଠାକୁର ମହାପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଙ୍କୁ ପାରମ୍ପରିକ ନୀତି ଅନୁଯାୟୀ ପହଣ୍ଡି କରାଯାଇ ଅନ୍ନପୂର୍ଣ୍ଣା ମଣ୍ଡପ ପର୍ଯ୍ୟନ୍ତ ନିଆଯାଇଥିଲା।ସେଠାରେ ତିନି ଠାକୁର ଙ୍କ ଦଶ ଅବତାର ବେଶ କରାଯାଇ ନୀତିକାନ୍ତି କରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ତିନି ଠାକୁରଙ୍କ ମସ୍ଛ, କଶ୍ଚପ, ବରାହ, ନୃସିଂହ, ବାମନ ଓ ପର୍ଶୁରାମ ବେଶ କରାଯାଇଛି।
ତିନି ଠାକୁର ଙ୍କୁ ପ୍ରତିଦିନ ସକାଳେ ମଙ୍ଗଳ ଆଳତୀ, ମଇଲମ, ଅବକାଶ, ମଧ୍ୟାହ୍ନ ଧୂପ, ଅବତାର ପୂଜା, ସନ୍ଧ୍ୟା ଆଳତୀ, ଗର୍ଭ ଆଳତୀ ଓ ବଡ଼ ସିଂହାର କରାଯାଉଛି। ହେରା ପାଞ୍ଚମୀ ଦିନ ଠାକୁର ଙ୍କ ନୀତି ନିୟମ ଅନୁସାରେ ପୂଜାର୍ଚ୍ଚନା କରାଯାଇଛି ବୋଲି ସୂଚନା ମିଳିଛି।ମନ୍ଦିର ପରିଚାଳନା କମିଟି ସହଯୋଗ ରେ ତିନି ଠାକୁରଙ୍କ ମୁଖ୍ୟ ପୂଜକ ଦିଲ୍ଲୀପ କୁମାର ପଣ୍ଡା ଓ ଦୀନବନ୍ଧୁ ଦାସ ଠାକୁର ଙ୍କ ସମସ୍ତ ନୀତିକାନ୍ତି କରୁଛନ୍ତି।ମନ୍ଦିର ଭିତରକୁ ଭକ୍ତ ଙ୍କୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି।