Odisha news

ୟୁନିଟ-୪ ହାଟକୁ ବିଏମ୍‌ସି ବିଶ୍ବସ୍ତରୀୟ କରିବ : ବିଏମ୍‌ସି ଓ ବିଡିଏର ଏକ ସ୍ବତନ୍ତ୍ର ଟିମ୍‌ ହାଟ ଅଞ୍ଚଳର ସର୍ଭେ

0

ଭୁବନେଶ୍ବର : ରାଜଧାନୀର ଅନ୍ୟତମ ପ୍ରମୁଖ ତଥା ବଡ଼ ଆମିଷ ବଜାର ୟୁନିଟ-୪ ହାଟକୁ ବିଏମ୍‌ସି ବିଶ୍ବସ୍ତରୀୟ କରାଯିବ। ରାଜ୍ୟର ଅଧିକାଂଶ ଅଞ୍ଚଳକୁ ଏଠାରୁ ମାଛ ପଠାଯାଉଥିବାରୁ ଏଠାରେ ବିଏମ୍‌ସି ପକ୍ଷରୁ ଏକ ବୃହତ ଶୀତତାପ ନିୟନ୍ତ୍ରିତ ମାଛ ଗୋଦାମ ନିର୍ମାଣ କରାଯିବ। ଏହାସହ ପରିବା‌ ଗୋଦାମ ବି ହେବ। ହାଟର ପ୍ରବେଶ ଓ ପ୍ରସ୍ଥାନ ପଥ ସଙ୍କୁଚିତ ଥିବାରୁ ଏଠାରୁ ତୁରନ୍ତ ଜବରଦଖଲ ହଟିବ। ପାର୍କିଂଜନିତ ସମସ୍ୟା ଥିବାରୁ ରାସ୍ତା ସଙ୍କୁଚିତ ହୋଇଯାଉଛି। ତେଣୁ ଏଠାରେ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ହେବ ନଚେତ୍‌ ଏକ ବହୁତଳ ପାର୍କିଂସ୍ଥଳୀ ନିର୍ମାଣ କରାଯିବ। ହାଟର ଉନ୍ନତୀକରଣ ପାଇଁ କ’ଣ କ’ଣ ହୋଇପାରିବ ସେନେଇ ଏକ ଡିପିଆର୍‌ ପ୍ରସ୍ତୁତ କରିବାକୁ ବିଏମ୍‌ସି ଓ ବିଡିଏର ଏକ ସ୍ବତନ୍ତ୍ର ଟିମ୍‌ ହାଟ ଅଞ୍ଚଳର ସର୍ଭେ କରିବ ବୋଲି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି। ସାଧାରଣତନ୍ତ୍ର ଦିବସରେ ବିଏମ୍‌ସି କମିସନର ୱାର୍ଡ-୩୬ ପରିଦର୍ଶନ କରିଥିଲେ। ଏହି ୱାର୍ଡ ଅନ୍ତର୍ଗତ ମଧୁସୂଦନ ନଗର, ଏଜି କଲୋନି, ୟୁନିଟ-୪ ହାଟ, ଏମ୍‌ଏଲ୍‌ଏ କଲୋନି ଆଦି ଅଞ୍ଚଳ ବୁଲିଥିଲେ। ୱାର୍ଡରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ଅବସରରେ ୟୁନିଟ-୪ ହାଟର ଉନ୍ନତୀକରଣ ନେଇ ନିଷ୍ପତ୍ତି ନେଇଛନ୍ତି।

ସ୍ଥାନୀୟ ବାସିନ୍ଦା କମିସନରଙ୍କ ସହ ଆଲୋଚନା କରିବାବେଳେ ଡ୍ରେନ୍‌ ଓ ସ୍ବେରେଜ୍‌ ସମସ୍ୟା ସମ୍ପର୍କ‌େର କହିଥିଲେ। ଏହି ସମସ୍ୟାର ସମାଧାନ ପାଇଁ ବିଡିଏ ସିଟି ସେଣ୍ଟରରେ ଜଳ ଓ ମଳ ନିଷ୍କାସନ ନିମନ୍ତେ କାର୍ଯ୍ୟାରମ୍ଭ ପାଇଁ ଡ୍ରେନେଜ୍‌ ଡିଭିଜନ ଯନ୍ତ୍ରୀଙ୍କୁ କହିଛନ୍ତି। ସେହିପରି ପ୍ୟାସନ କ୍ଲବ କ୍ରିକେଟ ପଡ଼ିଆର ଉନ୍ନତୀକରଣ ଓ ଖେଳିବା ପାଇଁ ବିଏମ୍‌ସି ପକ୍ଷରୁ କିଟ୍‌ ଯୋଗାଇ ଦିଆଯିବ ବୋଲି କମିସନର କହିଛନ୍ତି। ଏହି ଅବସରରେ ଶ୍ରୀ ଚୌଧରୀ ମଜୁରୀ ରୋଜଗାର ଯୋଜନା ଅନ୍ତର୍ଗତ ସମସ୍ତ କାର୍ଯ୍ୟର ସମୀକ୍ଷା କରିବା ସହ ୟୁନିଟ-୪ ପାର୍କ ଠାରେ ପ୍ରାଚୀର ଚିତ୍ରାଙ୍କନ ଓ ଏଜି କଲୋନି ଠାରେ ନିର୍ମାଣ ହୋଇଥିବା କ୍ଷୁଦ୍ର କ୍ରିୟାନ୍ବୟନ କେନ୍ଦ୍ର ପରିଦର୍ଶନ କରିଥିଲେ। କମିସନରଙ୍କ ପରିଦର୍ଶନ ସମୟ‌େର ବିଏମ୍‌ସି ଦକ୍ଷିଣ-ପୂର୍ବ ଜୋନ୍‌ ଜୋନାଲ ଡେପୁଟି କମିସନର ଅଂଶୁମାନ ରଥ, ସହକାରୀ କମିସନର ଲିଲନ ପ୍ରସାଦ ସାହୁ, ନିର୍ବାହୀ ଯନ୍ତ୍ରୀ ଗୌତମ ଦାସ, ବିଏମ୍‌ସିର ବିଭିନ୍ନ ଅଧିକାରୀଙ୍କ ସମେତ ପୂର୍ବତନ କର୍ପୋରେଟର ନରେନ୍‌ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Govt
Leave A Reply