Odisha news

ସରକାରୀ ନିୟମକୁ ଫୁ; ମେସିନ କରୁଛି ମନରେଗା କାର୍ଯ୍ୟ

0

ଫୁଲନଖରା : ଶହ ଶହ ଶ୍ରମଜୀବୀ କାମ ପାଇବା ଅପେକ୍ଷାରେ ଘରେ ବସିଥିଲାବେଳେ ସେମାନଙ୍କୁ ହତାଶ କରି ମେସିନରେ ହେଉଛି ମନରେଗା କାର୍ଯ୍ୟ; ଏପରି ନିୟମ ବହିର୍ଭୁତ କାର୍ଯ୍ୟ ଦେଖିବାକୁ ମିଳିଛି ବାରଙ୍ଗ ବ୍ଲକ ଖଲର୍ଦ୍ଦା ପଞ୍ଚାୟତ ଅନ୍ତର୍ଗତ ସିଂହୋଳ ଗ୍ରାମ ୧୫ ନମ୍ବର ୱାର୍ଡ଼ରେ । ଉକ୍ତ ଗ୍ରାମରେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ସ୍ୱରୋଜଗାର ଯୋଜନା ମାଧ୍ୟମରେ ଏକ ପୋଖରୀ ଖୋଳାଯିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରସ୍ତାବ ଅନୁଯାୟୀ ଏହାର କାର୍ଯ୍ୟ ମଧ୍ୟ ଆରମ୍ଭ ହେଲା । ମାତ୍ର ନିୟମାନୁସାରେ ଜବକାର୍ଡ଼ଧାରୀଙ୍କଦ୍ୱାରା ଏହା ଖୋଳାଯିବା ପରିବେର୍ତ୍ତ ରାତାରାତି ମେସିନ ଲଗାଇ ଉକ୍ତ କାର୍ଯ୍ୟକୁ ଅତି ତରବରିଆଭାବେ ସମ୍ପାଦନ କରାଗଲା । ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କଲାପରେ ମଧ୍ୟ କୌଣସି ସୁଫଳ ମିଳିଲାନାହିଁ ।

ପୂର୍ବ ପରି ଜବକାର୍ଡ଼ଧାରୀମାନେ କାମ ନପାଇ ଅତି ଦୁର୍ଦ୍ଦିନରେ ଘରେ ବସି ରହିଥିଲାବେଳେ ପଞ୍ଚାୟତ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ଏଥିପ୍ରତି ଆଦୌଁ ଗୁରୁତ୍ୱ ନଦେଇ ମେସିନ ସହାୟତାରେ ହେଉଥିବା କାର୍ଯ୍ୟକୁ ଖୋଲାଖୋଲି ସମର୍ଥନ କରୁଥିବା ଅଭିଯୋଗ ହେଉଛି । ଅନ୍ୟପକ୍ଷରେ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ମନରେଗା ଯୋଜନା ମାଧ୍ୟମରେ ଶ୍ରମ ଦିବସ ସୃଷ୍ଟି କରିବାକୁ ସରକାର ପୂର୍ବରୁ ଘୋଷଣା କରିସାରିଥିଲେ ମଧ୍ୟ ଏଠାରେ ତା’ର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି । ସରକାରୀ କର୍ମଚାରୀ ଓ ନିର୍ବାଚିତ ଜନ ପ୍ରତିନିଧିଙ୍କ ସଲାସୁତୁରାରେ ସମ୍ପାଦିତ ହେଉଥିବା ଏପରି ନିୟମ ବହିର୍ଭୁତ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ସୃଷ୍ଟି ହୋଇଛି । ଏ ବିଷୟରେ ସେମାନେ ବାରଙ୍ଗ ବ୍ଲକ ବିଡ଼ିଓ ଏବଂ କଟକ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ନିଦେ୍ର୍ଦଶକଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଭୋକ ଉପାସରେ ରହିଥିବା ଶ୍ରମିକମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି ।

Leave A Reply