ହିଂଜିଳି ଥାନା ଆଗରେ ବାଲି ଚୋରା ଚାଲାଣ ବିରୁଦ୍ଧରେ ପ୍ରତିବାଦ କରିବାରୁ ପୋଲିସ ଅମାନୁଷିକ ଭାବେ ଲାଠି ଚାର୍ଜ କରି ଲହୁ ଲୁହାଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବାଲି ମାଫିଆଙ୍କୁ ସୁରକ୍ଷା,ନିରୀହ ଲୋକଙ୍କୁ ଲାଠିମାଡ : ଭୃଗୁ ବକ୍ସିପାତ୍ର
ବାଲି ଚୋରା ଚାଲାଣର ମୁଖ୍ୟ କାର୍ପଟଦାର ରାଜ୍ୟସରକାର ଏବଂ ଜିଲ୍ଲା ପ୍ରଶାସନ
ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଖୁଲମଖୁଲା ପୋଲିସ ଗୁଣ୍ଡାରାଜ ଚଲାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
ସରକାରୀ ପ୍ରୋତ୍ସାହନରେ ଏବଂ ପୋଲିସର ସହେଯୋଗରେ ବାଲି ଚୋରା ଚାଲାଣକୁ ବ୍ୟାପକ କରାଉଛନ୍ତି ବାଲି ମାଫିଆ
ନନ୍ ଲିଜ୍ ଏଗ୍ରୀମେଂଟ ଜମିରୁ ବାଲି ଚୋରା ଚାଲାଣ କରୁଛନ୍ତି ବାଲି ମାଫିଆ
ବାଲି ଚୋରା ଚାଲାଣ କରୁଥିବା ମାଫିଆଙ୍କ ବିରୁଦ୍ଧରେ ରାଜ୍ୟ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ
ନନ୍ ଲିଜ୍ ଏଗ୍ରୀମେଂଟ ଜମିରୁ ବାଲି କିଏ ଉତୋଳନ କରି ଚୋରା ଚାଲାଣ କରୁଥିଲା ତାହାର ଉଚ୍ଚସ୍ତରୀୟ ତଦନ୍ତ କାରାଯାଉ
ବାଲି ଚୋରା ଚାଲାଣ ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଆଇନଗତ ପଦକ୍ଷେପ ନିଅନ୍ତୁ
ଋଷିକୂଲ୍ୟା ଏବଂ ତା’ର ଶାଖା ନଦୀ ମାନଙ୍କରେ ବାଲି ମାଫିଆମାନେ ବାଲି ଚୋରା ଚାଲାଣ କରି ଅନ୍ୟ ରାଜ୍ୟ ସମେତ ବିଦେଶକୁ ପଠାଉଛନ୍ତି
ସ୍ଥାନୀୟ ତହସିଲଦାର, ବିଡିଓ, ଗଂଜାମ ଜିଲ୍ଲାର ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀ, ପୋଲିସ, ସରକାରୀ ଦଳର ଦଲାଲ ଏବଂ ଗୁଣ୍ଡାମାନେ ବାଲି ଚୋରା ଚାଲାଣର ନେଉଛନ୍ତି ନେତୃତ୍ୱ
ଗଂଜାମ ଜିଲ୍ଲାରେ ସରକାରୀ ଦଳ ପୂରା ରାଜନୀତି ଏବଂ ବ୍ୟବସାୟକୁ ବାଲି ମାଫିଆଙ୍କ ଦ୍ୱାରା ନିୟନ୍ତ୍ରଣ କରିବାର ଅପଚେଷ୍ଟା କରୁଛନ୍ତି
ଭୁବନେଶ୍ୱର,ତା.୨୩/୦୮: ବାଲି ଚୋରା ଚାଲାଣ ବିରୁଦ୍ଧରେ ପ୍ରତିବାଦ କରିବାରୁ ଗଂଜାମ ଜିଲ୍ଲା ପୁରୁଷତମପୁର ତହସିଲ ଅନ୍ତରୀ ଗାଁ ଗ୍ରାମପଂଚାୟତର କୋଳିଦାସପୁର ଗାଁ ର କିଛି ଲୋକଙ୍କୁ ବେଆଇନ ଭାବେ ହିଂଜିଳି ଥାନା ଅଧିକାରୀ ଗିରଫ କରିଥିଲେ । ସେହି ଗ୍ରାମର କିଛି ଲୋକ ହିଂଜିଳି ଥାନା ଆଗରେ ପ୍ରତିବାଦ କରି ଗିରଫ ହୋଇଥିବା ଲୋକ ନିଦେ୍ର୍ଦାଷ ବୋଲି ଥାନା ଅଧିକାରୀଙ୍କୁ ଜଣାଇବାକୁ ଆସିଥିଲେ । କିନ୍ତୁ ପୋଲିସ ସେମାନଙ୍କ କଥା ନବୁଝି ଅମାନୁଷିକ ଭାବେ ତାଙ୍କ ଉପରେ ଲାଠି ଚାର୍ଜ କରି ସେମାନଙ୍କୁ ଲହୁ ଲୁହାଣ କରିଛି । ଏହି ଘଟଣାରେ ଛୋଟପିଲା ଏବଂ ବୃଦ୍ଧା ବୟସର ଲୋକଙ୍କ ଉପରେ ଲାଠି ମାଡ ହେବା ଯୋଗୁଁ ସେମାନେ ଅନେକ ସଂଖ୍ୟାରେ ଆହତ ହୋଇଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଖୁଲମଖୁଲା ପୋଲିସ ଗୁଣ୍ଡାରାଜ ଚଲାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପୋଲିସର ଏଭଳି ଦମନ ନୀତିକୁ ବିଜେପି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ତୀବ୍ର ନିନ୍ଦା କରିବା ସହ ବିରୋଧ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ, ସାରା ଓଡିଶାର ବିଭିନ୍ନ ଜିଲ୍ଲାରେ କିଛି ଦିନ ଧରି ବାଲି ଚୋରା ଚାଲାଣ ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି । କିନ୍ତୁ ଗଂଜାମ ଜିଲ୍ଲା ବାଲି ଚୋରା ଚାଲାଣକୁ ବିଗତ ବହୁ ବର୍ଷ ଧରି ସାଧାରଣ ଲୋକ ବିରୋଧ କରିବା ପରେ ସେଠାକାର ଜିଲ୍ଲା ପ୍ରଶାସନ ଓ ରାଜ୍ୟସରକାର ଚୋରା ଚାଲାଣକୁ ବନ୍ଦ କରୁନାହାଁନ୍ତି । ବିଗତ କିଛି ବର୍ଷ ଧରି ଗଂଜାମ ଜିଲ୍ଲାରେ ଥିବା ଋଷିକୂଲ୍ୟା ଏବଂ ତା’ର ଶାଖା ନଦୀ ମାନଙ୍କରେ ବାଲି ମାଫିଆମାନେ ବାଲି ଚୋରା ଚାଲାଣ କରି ଅନ୍ୟ ରାଜ୍ୟ ସମେତ ବିଦେଶକୁ ପଠାଉଛନ୍ତି । ଏହା ଦ୍ୱାରା ରାଜ୍ୟସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନୀ ହେଉଥିବା ସମୟରେ ବାଲି ଚୋରା ଚାଲାଣ ହେଉଥିବା ଅଂଚଳରେ ସ୍ଥାନୀୟ ତହସିଲଦାର, ବିଡିଓ, ଗଂଜାମ ଜିଲ୍ଲାର ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀ, ପୋଲିସ,
ସରକାରୀ ଦଳର ଦଲାଲ ଏବଂ ଗୁଣ୍ଡାମାନେ ଚୋରା ଚାଲାଣର ନେତୃତ୍ୱ ନେଉଛନ୍ତି । ଯେଉଁ ସାଧାରଣ ଲୋକମାନେ ଏହାର ପ୍ରତିବାଦ କରୁଛନ୍ତି ସେମାନଙ୍କୁ ଉପରେ ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ମାନେ ନାଲି ଆଖି ଦେଖାଇ ମିଥ୍ୟା କେସ ଲଗାଇ ଗିରଫ କରୁଛନ୍ତି ନହେଲେ ଲାଠି ଚାର୍ଜ କରୁଛନ୍ତି । ଅନ୍ୟପଟେ ଯେଉଁ ମାଫିଆ ମାନେ ବାଲି ଚୋରା ଚାଲାଣ କରୁଛନ୍ତି ସେମାନେ ସରକାରୀ ପ୍ରୋତ୍ସାହନରେ ପୋଲିସର ସହେଯୋଗରେ ବାହାରେ ନିର୍ଭୟରେ ବୁଲି ଚୋରା ଚାଲାଣକୁ ବ୍ୟାପକ କରାଉଛନ୍ତି ।
ବାଲି ଚୋରା ଚାଲାଣକୁ ପ୍ରତିବାଦ କରୁଥିବା ଲୋକଙ୍କୁ ପୋଲିସ ନିର୍ମମ ଭାବେ ଲାଠି ମାଡ କରିଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ହିଂଜିଳି ଥାନାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସାଧାରଣ ଲୋକଙ୍କ ଉପରେ ପୋଲିସର ଏଭଳି ଅମାନବୀୟ ଅତ୍ୟାଚାର ବିରୁଦ୍ଧରେ ରାଜ୍ୟ ପ୍ରଶାସନିକ ଅଧିକାରୀ, ରାଜସ୍ୱ ମନ୍ତ୍ରୀ ଅବା ସଚିବ, ପୋଲିସ ମହାନିଦେ୍ର୍ଦଶକ, ମୁଖ୍ୟ ଶାସନ ସଚିବ ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ନିନ୍ଦା କଲେ ନାହିଁ କି ଏ ନେଇ କୌଣସି ମନ୍ତବ୍ୟ ଦେଲେ ନାହିଁ । ଏଥିରୁ ସ୍ପଷ୍ଟ ଜଣାପଡୁଛି କି ପଂଚାୟତ, ବ୍ଲକ, ତହସିଲ ସ୍ତରରୁ ଆରମ୍ଭ କରି ତୃତୀୟ ମହଲା ପର୍ଯ୍ୟନ୍ତ ବାଲି ଚୋରା ଚାଲାଣର ମାଫିଆ ମାନେ ସମସ୍ତଙ୍କୁ ହାତବାରିସୀ କରି ସରକାରଙ୍କ ସଂପୂର୍ଣ୍ଣ ପୋତ୍ସାହନରେ ଚୋରା ଚାଲାଣର ବ୍ୟାପକତାକୁ ଆହୁରି ବଢେଇଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଗଂଜାମ ଜିଲ୍ଲାରେ ସରକାରୀ ଦଳ ପୂରା ରାଜନୀତି ଏବଂ ବ୍ୟବସାୟକୁ ବାଲି ମାଫିଆଙ୍କ ଦ୍ୱାରା ନିୟନ୍ତ୍ରଣ କରିବାର ଅପଚେଷ୍ଟା କରୁଛନ୍ତି । ଗୋପାଳପୁର ବନ୍ଦରରୁ ବଡ ବଡ ଜାହାଜରେ ବିଦେଶକୁ ବାଲି ଚୋରା ଚାଲାଣ କରାଯାଉଛି । ନନ୍ ଲିଜ୍ ଏଗ୍ରୀମେଂଟ ଜମି ତଥା ଯେଉଁ ଜମିରୁ ବାଲି ଉତୋଳନ କରିବାର ଅଧିକାର ନାହିଁ ସେହି ସ୍ଥାନରୁ ଏହି ମାଫିଆ ମାନେ ଚୋରା ଚାଲାଣ କରୁଛନ୍ତି । ହିଂଜିଳି ବ୍ଲକର ନିର୍ଦ୍ଦିଷ୍ଟ ମାଫିଆମାନେ କୋଳିଦାସପୁର ଅଂଚଳରେ ଥିବା ନନ୍ ଲିଜ ଜମିରୁ ବାଲି ଚୋରା ଚାଲାଣ କରୁଥିଲେ । ତହସିଲଦାର, ଥାନା ଅଧିକାରୀ, ବ୍ଲକ ଅଫିସ, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ତୃତୀୟ ମହଳା ପର୍ଯ୍ୟନ୍ତ ସମସ୍ତେ ଏହି ବାଲି ଚୋରା ଚାଲାଣ ସଂପର୍କରେ ଅବଗତ ଅଛନ୍ତି ଏବଂ ସମସ୍ତଙ୍କ ଜାଣତରେ ଏହି ଚୋରା ଚାଲାଣ କରାଯାଉଛି । ବାଲି ଚୋରା ଚାଲାଣର ମୁଖ୍ୟ କାର୍ପଟଦାର ରାଜ୍ୟସରକାର ଏବଂ ଜିଲ୍ଲା ପ୍ରଶାସନ ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତି ।
ନନ୍ ଲିଜ୍ ଏଗ୍ରୀମେଂଟ ଜମିରୁ ବାଲି କିଏ ଉତୋଳନ କରି ଚୋରା ଚାଲାଣ କରୁଥିଲା ତାହାର ଉଚ୍ଚସ୍ତରୀୟ ତଦନ୍ତ କାରାଯାଉ । ଗଂଜାମ ଜିଲ୍ଲା ଏବଂ ଅନ୍ୟ ଜିଲ୍ଲା ମାନଙ୍କରେ ବାଲି ଚୋରା ଚାଲାଣ କରୁଥିବା ମାଫିଆ ମାନଙ୍କ ବିରୁଦ୍ଧରେ ରାଜ୍ୟ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ସେମାନଙ୍କୁ ଗିରଫ କରନ୍ତୁ । ବେଆଇନ ବାଲି ଚୋରା ଚାଲଣ କରିବା ପାଇଁ ରାଜ୍ୟସରକାର ଯେଉଁ ସହାୟତା ଦେଉଛନ୍ତି ତାକୁ ବନ୍ଦ କରାଯାଉ । ମୁଖ୍ୟମନ୍ତ୍ରୀ ନିଜେ ଏ ଘଟଣାରେ ହସ୍ତକ୍ଷେପ କରି ବାଲି ଚୋରା ଚାଲାଣକୁ ବନ୍ଦ କରିବା ପାଇଁ ଆଇନଗତ ପଦକ୍ଷେପ ନେବା ସହ ଓଡିଶାର ସଂପତିକୁ ବାହାରେ ଚାଲାଣ ହେବା ଠାରୁ ବନ୍ଦ କରନ୍ତୁ ବୋଲି ଶ୍ରୀ ବକ୍ସିପାତ୍ର ଦାବୀ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ଅନୀତା ଶୁଭଦର୍ଶିନୀ, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଏବଂ ଘଗୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।