Odisha news

କେବେ ଗିରଫ ହେବେ ଧର୍ମଶାଳା ପୋଲିସ ଅଧିକାରୀ :ଲେଖାଶ୍ରୀ

0

ଭୁବନେଶ୍ୱର,ତା.୨୩/୦୧: ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହାଁନ୍ତି । ପ୍ରତିଦିନ ମହିଳାଙ୍କ ସହ ଦୁଷ୍କର୍ମ, ଅସଦାଚରଣ ଏବଂ ଘରୋଇ ହିଂସା ବୃଦ୍ଧି ପାଇବାରେ ଲାଗିଛି । ଯିଏ ମହିଳାଙ୍କୁ ସୁରକ୍ଷା ଯୋଗାଇବା କଥା ସେହି ପୋଲିସ ଆଜି ଭକ୍ଷକ ସାଜିଛି । ରାଜ୍ୟର ପ୍ରାୟ ସମସ୍ତ ଦୁଷ୍କର୍ମ ଘଟଣାରେ ପୋଲିସର ସଂପୃକ୍ତି ଥିବାର ଅଭିଯୋଗ ହେଉଛି । ଏବେ ସଦ୍ୟ ଯାଜପୁର ଜିଲ୍ଲା ଯାଜପୁର ଧର୍ମଶାଳାର କଂଟିଗଡିଆରେ ୧୫ବର୍ଷର ନାବାଳିକା ଝିଅକୁ ରାତିଅଧରେ କିଛି ଦୁର୍ବୁତ ବନ୍ଧୁକ ଏବଂ ଛୁରୀ ମୁନରେ ଅପହରଣ କରି ଦୁଷ୍କର୍ମ କରିଛନ୍ତି । ପୀଡିତା ନାବାଳିକାକୁ ଧର୍ମଶାଳା,କଟକ, ସୁକିନ୍ଦା ଅଂଚଳରେ ରଖି ୬ରୁ ୭ଦିନ ପର୍ଯ୍ୟନ୍ତ ତା ଆଖିରେ ଅନ୍ଧପୁଟୁଳି ବନ୍ଧି ଲଡୁରେ ନିଶା ଔଷଧ ଖାଇବାକୁ ଦେଇ ଦୁଷ୍କର୍ମ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ଘଟଣା ବୋଲି ବିଜେପି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଯାଜପୁର ଜିଲ୍ଲାରେ ମହିଳା ମାନଙ୍କ ପ୍ରତି ଅତ୍ୟାଚାର ଓ ବେଭିଚାର ବଢିଚାଲିଛି । ଗତ କିଛି ଦିନ ତଳେ ରଙ୍ଗଶାଳାରେ ସ୍ମିତାରାଣୀକୁ ଶାସକ ଦଳର ନେତା ମାନେ ଦୁଷ୍କର୍ମ କରି ହତ୍ୟା କରିଥିଲେ । ଆଉ ଏବେ କଂଟିଗଡିଆର ଏକ ବଜରଙ୍ଗୀ ଲେଡିଜ କର୍ଣ୍ଣର ପାଖରେ ଥିବା ବେଆଇନ ଘରେ ଅସମାଜିକ କାର୍ଯ୍ୟ କରାଯାଉଛି । ବିଶେଷ କରି ଛୋଟ ନାବାଳିକାମାନଙ୍କୁ ଜୋରଜବରଦସ୍ତି ବନ୍ଧୁକ ମୁନରେ ନହେଲେ ଛୁରା ଦେଖାଇ, ଧମକାଇ, ପଇସା ପ୍ରଲୋଭନ ଦେଖାଇ, ତାଙ୍କ ଦ୍ୱାରା ବେଆଇନ କାମ କରାଯାଉଛି ଓ ସେମାନଙ୍କୁ ଶାରୀରିକ ଶୋଷଣ କରାଯାଉଛି ।
ମୁଖ୍ୟ ଅପରାଧୀ ପିଂଟୁ ତାର ସଂପର୍କୀୟ ଭଉଣୀ ଭିଣୋଇ ଯିଏକି ଧର୍ମଶାଳା ଥାନାର ଦୁଇ ପୋଲିସ ଅଧିକାରୀଙ୍କ ଘରେ ନାବାଳିକାକୁ ଦୁଷ୍କର୍ମ କରିଛି । ଏହି ଘଟଣା ପଛରେ ପିଂଟୁ ଓ ତା ଭାଇ ମିଟୁ , ଭଉଣୀ ଏଲି ଏବଂ ଭିଣୋଇ ସୁଶାନ୍ତଙ୍କର ସମ୍ପୃକ୍ତି ରହିଛି । ନାବାଳିକା ଝିଅଟିକୁ କଟକ ଓ ସୁକିନ୍ଦାରେ ନିଶା ଔଷଧ ସେବନ କରାଇ ତା ସହ ଶୋଷଣ କରନ୍ତି ତାର ହୋସ ଆସିବା ପରେ ସେ ଏହାର ପ୍ରତିବାଦ କଲେ ତାକୁ ମାଡ ମାରନ୍ତି । ପିଂଟୁ ଏବଂ ତାର ସଂପର୍କୀୟମାନେ ପିଡିତା ନାବାଳିକାକୁ ସମସ୍ତେ ମାନସିକ ଓ ଶାରୀରିକ ଭାବେ ଶୋଷଣ କରିଛନ୍ତି । ଅଭିଯୋଗ ପରେ ପୋଲିସ ପିଂଟୁ ଓ ତା ଭାଇ ମିଟୁ ତାର ସହଯୋଗୀ ୪ଜଣଙ୍କୁ ଓ ତା ଭଉଣୀ ବନି, ପିଙ୍କିକୁ ଗିରଫ କରିଥିବା ବେଳେ କ’ଣ ପାଇଁ ତାର ଭଉଣୀ ଓ ଭିଣୋଇଙ୍କୁ ଗିରଫ କରିନି? ଆଉ ଯେଉଁ ୨ଜଣଙ୍କ ନାମ ଝିଅ କହୁଛି ତା ବୟାନରେ ମୋଫିସ୍ ଆଉ ସନିଆଙ୍କୁ ପୋଲିସ କାହିଁକି ଗିରଫ କରିନି ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।

ଯେତେବେଳେ ଯାଜପୁର ଜିଲ୍ଲାରେ ହରିଦାସପୁର ପଂଚାୟତରେ ବେଆଇନ ରଙ୍ଗଶାଳାରେ ୩ମାସ ତଳେ ସ୍ମିତାରାଣୀ ଘଟଣା ଘଟିଲା ପରେ ବି ସେ ରଙ୍ଗଶାଳାକୁ ଭଙ୍ଗାଗଲାନାହିଁ । ରଙ୍ଗଶାଳାକୁ ଭାଙ୍ଗିବା ପାଇଁ ସରକାର ୨ଥର ବିଭିନ୍ନ ନୋଟିସ୍ ଦେଇଥିଲେ ଆଉ ଯାଜପୁର ଜିଲ୍ଲାର ଏସ୍‌ପି ଆସି ଅପରାଧୀକୁ ଧରିବା ଜାଗାରେ ମହିଳାଙ୍କର ଚରିତ୍ର ହନନ କଲେ । ଏପର୍ଯ୍ୟନ୍ତ ରାଜ୍ୟସରକାରଙ୍କ ନିଦ ଭାଙ୍ଗିଲାନି କି ସେ ଯାଜପୁର ଏସ୍‌ପି ଚରଣ ସିଂ ମୀନାଙ୍କୁ ବହିଷ୍କାର କଲେ ନାହିଁ । ଆଉ ଏବେ ଧର୍ମଶାଳା ପୋଲିସ ଅଧିକାରୀ ଏଲି ଆଉ ସୁଶାନ୍ତଙ୍କୁ ପୀଡିତାର ବୟାନ ଅନୁଯାୟୀ ବହିଷ୍କାର କରାଯାଇନାହିଁ । ଏହା କି ପ୍ରକାର ଆଇନ ଏବଂ ମହିଳାଙ୍କ ସୁରକ୍ଷା କି ପ୍ରକାର ବ୍ୟାବସ୍ଥାରେ ଆମେ ବଂଚିଛେ? ଯଦି ପୋଲିସ୍ ଘରେ ଏପରି ପୋଲିସ ତତ୍ୱାବଧାନରେ ଏପରି ଘଟଣା ଘଟୁଛି ତାହାଲେ ସୁରକ୍ଷା କିଏ ଦେବ ଦୋଷୀକୁ ଦଣ୍ଡିତ କିଏ କରିବ ଏହାର ତଦନ୍ତ କିଏ କରିବ ଡ.ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।
ପୋଲିସର ନିଷ୍କ୍ରିୟତା ଯୋଗୁଁ ଏହିଭଳି ଘଟଣା ଓଡିଶାର ଗାଁ ଗହଳିରେ ଘଟୁଛି । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ହେଉ । ପିଂଟୁ କୁ ବିନା ଲାଇସେନ୍ସରେ କିଏ ବନ୍ଧୁକ ଦେଲା ତାହାର ତଦନ୍ତ କରାଯାଉ । ଯାଜପୁର ଜିଲ୍ଲାର ଏସପିଙ୍କୁ ବହିଷ୍କାର କରାଯାଉ । ଏହାର ନିରପେକ୍ଷ ଭାବରେ ତଦନ୍ତ କରାଯାଉ । ବଜରଙ୍ଗୀ ଲେଡିଶ୍ କର୍ନର୍ କିଏ ଚଲାଉଛି ସେଠିକୁ କେଉଁ ପ୍ରକାର ମହିଳା ମାନେ ଆସୁଛନ୍ତି,ସେମାନେ କେଉଁଠୁ ଆଣୁଛନ୍ତି ତାହାର ମଧ୍ୟ ତଦନ୍ତ କରାଯାଉ ବୋଲି ଡ. ସାମନ୍ତସିଂହାର କହିଛନ୍ତି ।
ଗତକାଲି ବିଜେପି ପ୍ରତିନିଧି ଦଳ ଯାଜପୁର ଜିଲ୍ଲାର କଂଟିଗଡିଆ ନାବାଳିକା ଘରକୁ ଯାଇ ପୀଡିତାତୁ ସମବେଦନା ଜଣାଇଥିଲେ । ଏହି ପ୍ରତିନିଧୀ ଦଳରେ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ, ବଡଚଣାର ବିଧାୟକ ପ୍ରାର୍ଥୀ ଅମର ନାୟକ, ଜିଲ୍ଲା ମହିଳାମୋର୍ଚ୍ଚାର ସଭାନେତ୍ରୀ ବବିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।
ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଦିଲ୍ଲିପ ମଲ୍ଲୀକ, ରାଜ୍ୟ ମହିଳାମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡା ଏବଂ ମୁଖପାତ୍ର ସୋନାଲୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply