Odisha news

ସିଏଏକୁ ନେଇ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଛନ୍ତି ବିରୋଧୀ :ରୂପା ଗାଙ୍ଗୁଲୀ

0

ମାଲକାନଗିର/ଜୟପୁର/ଭୁବନେଶ୍ୱର,ତା.୨୨/୦୧: ନାଗରିକତା ଦେବା ପାଇଁ ଆସିଛି ନାଗରିକତା ସଂଶୋଧନ ଆଇନ । କିନ୍ତୁ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି । ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି ବୋଲି ସାଂସଦ ଶ୍ରୀମତୀ ରୂପା ଗାଙ୍ଗୁଲୀ କୋରାପୁଟ ଜିଲ୍ଲା ଜୟପୁରଠାରେ ଆୟୋଜିତ ନାଗରିକତା ସଂଶୋଧନ ଆଇନ ସଚେତନତା ଜନସାମବେଶରେ ସମ୍ଭୋଧିତ କରିଛନ୍ତି ।
ଶ୍ରୀମତୀ ଗାଙ୍ଗୁଲୀ କହିଛନ୍ତି ଯେ, ମୁଁ ଶରଣାର୍ଥୀଙ୍କ ସମସ୍ୟା ବୁଝିପାରିଛି । କାରଣ ମୋ ବାପା ଏବଂ ମାଆ ବାଲାଂଦେଶୀ ଥିଲେ । ଭାରତ ବିଭାଜନ ପରେ ଆମେ ବାଲାଂଦେଶରୁ ଭାରତ ଆସିଯାଇଥିଲୁ । ମୁଁ ଭାରତର କୋଲକାତାଠାରେ ଜନ୍ମ ହୋଇଥିଲି । ମୋ ବାପା ମାଆଙ୍କ ପରି ଲକ୍ଷାଧିକ ଲୋକ ଏହି ଦେଶକୁ ଆସିଥିଲେ । ଶରଣାର୍ଥୀମାନଙ୍କ ମନରେ ସର୍ବଦା ନାଗରିକତା ପାଇବା ପାଇଁ ବ୍ୟାକୁଳତା ରହିଥାଏ । ଏହି ନାଗରିକତା ସଂଶୋଧନ ଆଇନ ଶରଣାର୍ଥୀଙ୍କ ପାଇଁ ନୂତନ ଆଶାର ଆଲୋକ ଆଣିଛି ।
ସେହିପରି ମାଲକାନଗିରି ଜିଲ୍ଲାରେ ଆୟୋଜିତ ନାଗରିକତା ସଂଶୋଧନ ଆଇନ ସଚେତନତା କାର୍ଯ୍ୟକ୍ରମରେ ଯୋଦଗେଇ ଶ୍ରୀମତୀ ଗାଙ୍ଗୁଲି କହିଛନ୍ତି ଯେ, ଭାରତ ବିଭାଜନ ପରେ ଅନେକ ଶରଣାର୍ଥୀଙ୍କୁ ବିଭିନ୍ନ ଉପାୟରେ ନାଗରିକତା ଦିଆଯାଇଛି । କଂଗ୍ରେସ ସରକାର ସମୟରେ ଉଗାଣ୍ଡା ଏବଂ ଶ୍ରୀଲଙ୍କାରେ ଥିବା ଭାରତୀୟଙ୍କୁ ନାଗରିକତା ପ୍ରଦାନ କରାଯାଇଛି । ଏହା ପରେ ଭାରତରେ ନାଗରିକ ଭାବେ ରହିବାକୁ ଚାହୁଁଥିବା ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ବି ନାଗରିକତା ଦିଆଯାଇଛି । ସ୍ୱାଧୀନତା ପରେ ଦୀର୍ଘ ୭୦ ବର୍ଷ ଧରି ପାକିସ୍ତାନ ଆମ ଦେଶର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଖ୍ରୀଷ୍ଟ ଏବଂ ପାର୍ସୀ ଧର୍ମର ଲୋକଙ୍କୁ ଅତ୍ୟାଚାର କରି ଧର୍ମ ପରିବର୍ତନ କରାଇଛି । ଧର୍ମ ପରିବର୍ତନର କରିନଥିବା ହିନ୍ଦୁମାନଙ୍କୁ ପାକିସ୍ତାନ ହତ୍ୟା କରିଛି । ଏବେ ନାଗରିକତା ସଂଶୋଧନ ଆଇନ ଦ୍ୱାରା ଏବେ ପଡୋଶୀ ଦେଶର ଶରଣାର୍ଥୀମାନଙ୍କୁ ଭାରତର ନାଗରିକତା ମିଳିପାରିବ ବୋଲି ଶ୍ରୀମତୀ ଗାଙ୍ଗୁଲୀ କହିଛନ୍ତି ।
ଆଗାକୁ ବିଧାନସଭା ନିର୍ବାଚନ ଥିବାରୁ କୋଲକାତା, କେରଳ ଏବଂ ଦିଲ୍ଲୀରେ ବିରୋଧୀମାନେ ଏହି ଆଇନକୁ ଏକ ପ୍ରସଙ୍ଗ କରି ଜନତାକୁ ଭୂଆଁ ବୁଲାଉଛନ୍ତି । ୭୦ ବର୍ଷରେ ହୋଇନଥିବା କାର୍ଯ୍ୟକୁ ମୋଦି ସରକାର ଗତ ୫ ବର୍ଷରେ କରି ଦେଖାଇଛନ୍ତି । ମୋଦି ସରକାର ଉପରେ ଦୁର୍ନୀତି ଏବଂ ଭଷ୍ଟ୍ରାଚାରର ଦାଗ ନଥିବାରୁ ବିରୋଧୀ ଏହି ବାହାନାରେ ହୀନ ରାଜନୀତି କରିବାକୁ ଲାଗିଛନ୍ତି । ନମୋ ଆପ ଡାଉନଲୋଡ କରି ମୋଦୀଙ୍କ କାର୍ଯ୍ୟଶୈଳୀ ସଂପର୍କରେ ସବିଶେଷ ତଥ୍ୟ ଜାଣିହେବ ବୋଲି ଶ୍ରୀମତୀ ଗାଙ୍ଗୁଲୀ ଉପସ୍ଥିତ ଜନତାଙ୍କୁ କହିଥିଲେ ।
ସମାବେଶ ସଭାରେ ଶ୍ରୀମତୀ ଗାଙ୍ଗୁଲୀଙ୍କୁ ବ୍ୟାପକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଜୟପୁର ସମାବେଶରେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ଜିଲ୍ଲା ସଭାପତି ସମୁନ୍ତ ପ୍ରଧାନ, ପୂର୍ବତନ ଜିଲ୍ଲା ସଭାପତି ବିଜୟ ମିଶ୍ର, କାଳିରାମ ମାଝୀ, ଗୌତମ ସାମନ୍ତରାୟଙ୍କ ସମେତ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ । ମାଲକାନଗିରି ଜିଲ୍ଲା ସମାବେଶରେ ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଓ ପଶର୍୍ୁରାମ ମାଝୀ, ବିଧାୟକ ତଥା ଜିଲ୍ଲା ସଭାପତି ଆଦିତ୍ୟ ମାଢୀ, ନିମାଇ ପାଲ, ଅକ୍ଷୟ ବିଶ୍ୱାଳ, ଶ୍ୟାମଳ ସୁନାନୀଙ୍କ ସମେତ ଜିଲ୍ଲା ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply