Odisha news

ଚାଷୀଙ୍କୁ ଋଣ ଦେବା କ୍ଷେତ୍ରରେ ସମବାୟ ବ୍ୟାଙ୍କ ନେଇଛି ପ୍ରମୁଖ ଭୂମିକା : ସମବାୟ ମନ୍ତ୍ରୀ

0

• କୃଷି ଓଡ଼ିଶାରେ ସମବାୟ ଓ ବ୍ୟାଙ୍କିଙ୍ଗ୍ ଦିବସ ପାଳିତ
• ଇ-ଲାଇସେନ୍ସିଂର ୱେବସାଇଟ ଓ ପୁସ୍ତିକା ଲୋକାର୍ପିତ
• କୃଷି କ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ଦିନ ସାରା ଚାଲିଲା ମାରାଥନ ଆଲୋଚନା
• ଆଲୋଚନାରେ ଭାଗ ନେଲେ କୃଷି ବିଶେଷଜ୍ଞ
ଭୁବନେଶ୍ୱର, ୨୧ ଜାନୁଆରି ୨୦୨୦: “ଆମ ରାଜ୍ୟର ବିକାଶ ପ୍ରକ୍ରିୟା ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ସମବାୟ ଅନୁଷ୍ଠାନର ପ୍ରମୁଖ ଭୂମିକା ରହିଛି । ଗତ ୧୦୦ ବର୍ଷ ହେଲା ସମବାୟ ଅନୁଷ୍ଠାନ ଓଡ଼ିଶାର ପ୍ରଗତିରେ ସାମିଲ ହୋଇ ଆସିଛି । ମୋଟ କୃଷି ଋଣ ବାବଦରେ ଯେତିକି ଟଙ୍କା ଦିଆଯାଉଛି ସେଥିରୁ ୭୦ ପ୍ରତିଶତ ସମବାୟ ଅନୁଷ୍ଠାନ ତରଫରୁ ଦିଆଯାଉଛି’’, କହିଛନ୍ତି ରାଜ୍ୟ ସମବାୟ, ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
ଭୁବନେଶ୍ୱର ଜନତା ମଇଦାନରେ ଚାଲିଥିବା ‘କୃଷି ଓଡ଼ିଶା-୨୦୨୦’ ର ମଙ୍ଗଳବାର ଥିଲା ଦ୍ୱିତୀୟ ଦିନ । ଏହାକୁ ‘ସମବାୟ ଏବଂ ବ୍ୟାଙ୍କିଙ୍ଗ୍’ ଦିବସ ଭାବେ ରଖାଯାଇଥିଲା ।
ଦ୍ୱିତୀୟ ଦିନ କୃଷି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
“୨୦୦୦ ମସିହା ପୂର୍ବରୁ ଆମ ରାଜ୍ୟର ଚାଷ ପ୍ରଣାଳୀ ଭିନ୍ନ ଥିଲା । ୨୦୦୦ ମସିହା ପରେ କୃଷି କ୍ଷେତ୍ରର ଅନେକ ବିକାଶ ହୋଇଛି । ୨୦୦୦ ମସିହା ପୂର୍ବରୁ ୪୨୬ କୋଟି ଟଙ୍କା କୃଷି ଋଣ ଆକାରରେ ଦିଆଯାଉଥିବା ବେଳେ ଏବେ ତାହା ୧୨ ହଜାର ୭୦୦ କୋଟି ଟଙ୍କାରେ ପହଂଚିଛି । ଋଣ ପ୍ରଦାନ ପ୍ରକ୍ରିୟାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସମବାୟ ବିଭାଗ ପକ୍ଷରୁ ଆଧାର ସଂଯୋଗୀକରଣ କରାଯାଇଛି । ୧୭ଟି ଜିଲ୍ଲାରେ ବିଭିନ୍ନ ସମବାୟ ଅନୁଷ୍ଠାନ ଜରିଆରେ ୧୭ ହଜାର ୯୬ ଲକ୍ଷ ଚାଷୀଙ୍କୁ ଖରିଫ୍ ଋଣ ବାବଦରେ ୭ ହଜାର ୩୩୦ କୋଟି ଟଙ୍କା ଦିଆଯାଇଛି । ରବି ଫସଲ ପାଇଁ ମଧ୍ୟ ଋଣ ଦେବାର ବ୍ୟବସ୍ଥା ରହିଛି’’, କହିଥିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ କହିଥିଲେ, “ଚଳିତ ‘କୃଷି ଓଡ଼ିଶା’ରେ ନୂଆ ନୂଆ ପଦକ୍ଷେପ ନିଆଯାଇଛି । କୃଷି ଉଦ୍ୟୋଗୀ, ଶିକ୍ଷିତ ଯୁବକ, ବ୍ୟାଙ୍କ ଅଧିକାରୀ ଏବଂ ମହିଳାମାନଙ୍କୁ ଆମନ୍ତ୍ରିତ କରାଯାଇଛି । କୃଷି କ୍ଷେତ୍ରରେ ଓଡ଼ିଶା କେମିତି ସାରା ଭାରତରେ ଅଗ୍ରଣୀ ହେବ ସେନେଇ ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେଉଛନ୍ତି । ଶିକ୍ଷିତ ଯୁବକମାନେ ଚାଷ ପ୍ରତି ଆକର୍ଷିତ ହେଲେ କୃଷି କ୍ଷେତ୍ର ଆହୁରି ସମୃଦ୍ଧ ହୋଇପାରିବ ।’’
ଏହି ଅବସରରେ ଚାଷୀମାନଙ୍କ ପାଇଁ ଇ–ଲାଇସେନ୍ସିଂ ୱେବସାଇଟ ଓ ୟୁଜର ଗାଇଡକୁ ଲୋକାର୍ପିତ କରାଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଉପଦେଷ୍ଟା କୃତିବାସ ପାତ୍ର, ଭୁବନେଶ୍ୱର-ଉତର ବିଧାୟକ ସୁଶାନ୍ତ ରାଉତ, ରାଜ୍ୟ ମତ୍ସ୍ୟ ଉତ୍ପାଦନ ଉନ୍ନୟନ ନିଗମ ଅଧ୍ୟକ୍ଷ ଅସିତ ପଟ୍ଟନାୟକ, କୃଷି ଏବଂ ଖାଦ୍ୟ ଉତ୍ପାଦନ ନିଦେ୍ର୍ଦଶକ ଡକ୍ଟର ଏନ୍ ମୁଥୁକୁମାର, ରିଜର୍ଭ ବ୍ୟାଙ୍କର ଭୁବନେଶ୍ୱର ଆଂଚଳିକ ନିଦେ୍ର୍ଦଶକ ଏମ୍ କେ ମଲ୍, ୟୁକୋ ବ୍ୟାଙ୍କର ଭୁବନେଶ୍ୱର ସର୍କଲ ହେଡ୍ ଏସ୍ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।
‘କୃଷି ଓଡ଼ିଶା’ର ଦ୍ୱିତୀୟ ଦିନ କାର୍ଯ୍ୟକ୍ରମରେ କୃଷି କ୍ଷେତ୍ରକୁ ନେଇ ଆଲୋଚନାଚକ୍ର ଏବଂ ପାଠଶାଳା ଅନୁଷ୍ଠିତ ହୋଇଥିଲା ।
କୃଷି କ୍ଷେତ୍ରରେ ନୂଆ ଯନ୍ତ୍ରାଂଶର ପରିକଳ୍ପନା ଏବଂ ନୂଆ ଯନ୍ତ୍ରାଂଶ ତିଆରି କଲେ ପୁରସ୍କୃତ କରୁଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ଯୋଜନାରେ ଯୋଗ୍ୟ ବିବେଚିତ ଚାଷୀଙ୍କୁ ପୁରସ୍କୃତ କରାଯାଉଛି । ଏ ନେଇ ‘କୃଷି ଓଡିଶା ୨୦୨୦’ର ପାଠଶାଳାର ପ୍ରଥମ ଅଧିବେଶନରେ ସୂଚନା ଦେଇଛନ୍ତି ରାଜ୍ୟସ୍ତରୀୟ ଯନ୍ତ୍ରପାତି ପରୀକ୍ଷଣ କେନ୍ଦ୍ରର ସହକାରୀ ନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ବାସା ।
ଓୟୁଏଟିର ପ୍ରଫେସର ଡକ୍ଟର ଅଶ୍ୱିନୀ କୁମାର ଗୋଏଲ ଚାଷୀମାନେ ବ୍ୟବହାର କରୁଥିବା ଯନ୍ତ୍ରାଂଶ ସମ୍ପର୍କରେ ଆଲୋଚନା କରିଥିଲେ । କୃଷି ଯନ୍ତ୍ରାଂଶରେ ଆମକୁ ଉନ୍ନତି କରିବାର ଆବଶ୍ୟକତା ରହିଥିବା କହିଥିଲେ ।
ଯନ୍ତ୍ରାଂଶ ବ୍ୟବହାର ସହ ବୁନ୍ଦା ଓ ସିଂଚନ ଜଳସେଚନ ପ୍ରକ୍ରିୟାରେ ଉତ୍ପାଦନ ଖର୍ଚ୍ଚ କିପରି କମାଇ ହେବ ସେ ନେଇ ଆଲୋଚନା ହୋଇଥିଲା । ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ କୃଷି ବିଶେଷଜ୍ଞଙ୍କ ପରାମର୍ଶ ନେଇଥିଲେ ।
ପାଠଶାଳାର ଦ୍ୱିତୀୟ ଅଧିବେଶନରେ ଚାଷୀମାନେ ମଂଜି ବୁଣାଠାରୁ ଫସଲ ଅମଳ ଯାଏଁ ଯେଉଁସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ସେସବୁର ପାଇଁ ସରକାରଙ୍କ କଣ ବୀମା ସୁବିଧା ରହିଛି ସେ ନେଇ ଆଲୋଚନା ହୋଇଥିଲା । ଏଥିରେ ଭାଗ ନେଇଥିଲେ ଓୟୁଏଟିର ପ୍ରଫେସର ଲଳିତ ମୋହନ ପଟ୍ଟନାୟକ, ଫସଲ ବୀମାର ନୋଡାଲ ଅଫିସର ରାଜେଶ ଦାସ ।
ଗୋଟିଏ ପଟେ ପାଠଶାଳା ଚାଲିଥିବା ବେଳେ ଅନ୍ୟ ପଟରେ ଚାଲିଥିଲା କର୍ମଶାଳାା ଏହାର ପ୍ରଥମ ଅଧିବେଶନରେ କୃଷିର ବିଭିନ୍ନ ଦିିଗ, ଉତ୍ପାଦନ ବୃଦ୍ଧି ଓ ଚାଷୀଙ୍କ ଆୟ ବୃଦ୍ଧି ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିରେ ଆରସିଡିସିର ଜଳ ଓ ଜଙ୍ଗଲ କାର୍ଯ୍ୟକ୍ରମର ନିଦେ୍ର୍ଦଶକ ତପନ ପାଢୀ, ସ୍କାଏ ମେଟ୍ ୱେଦର ସର୍ଭିସେସ ଲିମିଟେଡର ମାର୍କେଟିଂ ଓ ସେଲସ୍ ମୁଖ୍ୟ ଅଂଜନ ମଣ୍ଡଳ ଯୋଗ ଦେଇଥିଲେ ।
କର୍ମଶାଳାର ଦ୍ୱିତୀୟ ଅଧିବେଶନରେ ‘କୃଷି କ୍ଷେତ୍ରରେ ଦୀର୍ଘ ସ୍ଥାୟୀ ସମାଧାନ’ ନେଇ ଆଲୋଚନା ହୋଇଥିଲା । ଏଥିରେ କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ର, ଆଇସିଏଆର କଟକର ନିଦେ୍ର୍ଦଶକ ଡକ୍ଟର ହିମାଂଶୁ ପାଠକ, ଆଇଏସ୍ଏଆରସିର ନିଦେ୍ର୍ଦଶକ ଡକ୍ଟର ଅରବିନ୍ଦ କୁମାର, ପାରାଦୀପ ଫସଫେଟର ସିଓଓ ଆର୍ ଏସ୍ ଚୁଗ୍, ନିର୍ମାଣର ନିଦେ୍ର୍ଦଶକ ପ୍ରଶାନ୍ତ ମହାନ୍ତି, ପ୍ରଦାନର ରାଜ୍ୟ ସଂଯୋଜକ କୀର୍ତି ଭୂଷଣ ପାଣି ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply