Odisha news

ପଶ୍ଚିମବଙ୍ଗର ବିକାଶରେ ବାଧକ ସାଜିଛି ଟିଏମସିର ‘ନିର୍ମମ’ ଶାସନ – ଧର୍ମେନ୍ଦ୍ର ପ୍ରଧାନ

0
• ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସହ ‘ଶ୍ରୀ ଜଗନ୍ନାଥ ବିଶ୍ୱ ଶାନ୍ତି ମହାଯଜ୍ଞ’ରେ ହେଲେ ସାମିଲ
• ଏହି ଆଧ୍ୟାତ୍ମିକ ମହୋତ୍ସବ ବିଶ୍ୱ ଶାନ୍ତି, ସଦଭାବନା ଏବଂ ଆଧ୍ୟାତ୍ମିକ ଏକତାର ବାର୍ତ୍ତା ପାଇଁ ସମର୍ପିତ
• ପଶ୍ଚିମବଙ୍ଗର ପ୍ରଗତି ଏବଂ ସାମାଜିକ ନ୍ୟାୟ କ୍ଷେତ୍ରରେ ତୃଣମୂଳ କଂଗ୍ରେସର ଆଭିମୁଖ୍ୟ ଅତ୍ୟନ୍ତ ନୈରାଶ୍ୟଜନକ
• ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ ବିରୋଧ କରି ଟିଏମସି ମହିଳାଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିଛି

କୋଲକାତା, ୧୯ ଏପ୍ରିଲ, ୨୦୨୬ – ପଶ୍ଚିମବଙ୍ଗର ପ୍ରଗତି ଏବଂ ସାମାଜିକ ନ୍ୟାୟ କ୍ଷେତ୍ରରେ ଶାସକ ତୃଣମୂଳ କଂଗ୍ରେସର ଆଭିମୁଖ୍ୟ ଅତ୍ୟନ୍ତ ନୈରାଶ୍ୟଜନକ । ରାଜ୍ୟର ପରିବହନ ବ୍ୟବସ୍ଥାରେ ଚରମ ଅବ୍ୟବସ୍ଥା ଠାରୁ ଆରମ୍ଭ କରି ମହିଳା ଓ ଆଦିବାସୀଙ୍କ ପ୍ରତି ସରକାରଙ୍କ ବିରୋଧୀ ମନୋଭାବ ସେମାନଙ୍କ ପରାଜୟର ଭୟ ଓ ପ୍ରଶାସନିକ ବିଫଳତାକୁ ସ୍ପଷ୍ଟ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଆଜି ପଶ୍ଚିମବଙ୍ଗ ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କୋଲକାତାରେ ଆୟୋଜିତ ‘ଶ୍ରୀ ଜଗନ୍ନାଥ ବିଶ୍ୱ ଶାନ୍ତି ମହାଯଜ୍ଞ’ରେ ସାମିଲ ହୋଇଥିଲେ । ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନଙ୍କ ସହ ଶ୍ରୀ ପ୍ରଧାନ ମହାପ୍ରଭୁଙ୍କ ଦିବ୍ୟ ସ୍ୱରୂପ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆଜି ଏହି ପବିତ୍ର ମହାଯଜ୍ଞରେ ସମ୍ମିଳିତ ହେବାର ପରମ ସୌଭାଗ୍ୟ ପ୍ରାପ୍ତ ହେଲା । ଏହି ତିନି ଦିନିଆ ଆଧ୍ୟାତ୍ମିକ ମହୋତ୍ସବ ବିଶ୍ୱ ଶାନ୍ତି, ସଦଭାବନା ଏବଂ ଆଧ୍ୟାତ୍ମିକ ଏକତାର ବାର୍ତ୍ତା ପାଇଁ ସମର୍ପିତ । ସାଧକ ଏବଂ ଶ୍ରଦ୍ଧାଳୁମାନଙ୍କ ପାଇଁ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ଏକ ପୁଣ୍ୟ ସୁଯୋଗ ।

ଏହା ପୂର୍ବରୁ ଶ୍ରୀ ପ୍ରଧାନ ଟ୍ରକ ମାଲିକମାନଙ୍କ ସହ ଆଲୋଚନା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ, ପଶ୍ଚିମବଙ୍ଗର ଲଜିଷ୍ଟିକ୍ସ ଓ ପରିବହନ କ୍ଷେତ୍ର ଗୁରୁତର ସମସ୍ୟା ଦେଇ ଗତି କରୁଛି । ଟୋଲ୍ ସମ୍ବନ୍ଧୀୟ ସମସ୍ୟା, ଅନିୟମିତ ଜରିମାନା ଏବଂ ପ୍ରଶାସନିକ ଅବହେଳା ସହ ଶାସକ ଦଳର “ବେଆଇନ ଅର୍ଥ ସଂଗ୍ରହ” ବେଙ୍ଗଲର ଅର୍ଥନୀତିକୁ ଦୁର୍ବଳ କରିଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣକୁ ଦୋହରାଇ ସେ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଏବେ ଏକ ‘ନିର୍ମମ ସରକାର’ ଚାଲିଛି। ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ ବିରୋଧ କରି ଟିଏମସି ମହିଳାଙ୍କ ଅଧିକାରକୁ କ୍ଷୁଣ୍ଣ କରିଛି। ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ପ୍ରଦର୍ଶିତ ଅସମ୍ମାନଜନକ ଆଚରଣ ଟିଏମସିର ଆଦିବାସୀ ବିରୋଧୀ ଚିନ୍ତାଧାରାର ପ୍ରମାଣ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନ ପାଇଁ କାର୍ଯ୍ୟ ଚାଲିଛି। କିନ୍ତୁ ଏକ ସମୃଦ୍ଧ ‘ସୋନାର ବାଂଲା’ ସେତେବେଳେ ସମ୍ଭବ ହେବ, ଯେତେବେଳେ ରାଜ୍ୟ ସରକାର ଲୋକଙ୍କ ବିରୋଧରେ ନୁହେଁ, ବରଂ ଲୋକଙ୍କ ସୁବିଧା ପାଇଁ କାର୍ଯ୍ୟ କରିବେ । ବେଙ୍ଗଲର ଜନସାଧାରଣ ଏବେ ସଚେତନ ଏବଂ ସେମାନେ ନିଶ୍ଚିତ ଭାବେ ଏହି ଅନ୍ୟାୟର ଜବାବ ଦେବେ ବୋଲି ସେ କହିଛନ୍ତି ।

 

Govt
Leave A Reply