ପାଟଣାଗଡ଼ ଏନ୍ଏସି ଉପାଧ୍ୟକ୍ଷଙ୍କ ସମେତ ୭ ଜଣ କାଉନ୍ସିଲର ବିଜେଡି ଛାଡ଼ି ବିଜେପିରେ ହେଲେ ସାମିଲ
ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି.ସିଂହଦେଓ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଲେ
ଭୁବନେଶ୍ୱର, ତା.୨୩/୦୧: ଶ୍ରୀପଂଚମୀ ଭଳି ପବିତ୍ର ଦିନ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଜୟନ୍ତୀ ତଥା ପରାକ୍ରମ ଦିବସରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଏନ୍ଏସିର ଉପାଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ କୁମାର ମେହେରଙ୍କ ନେତୃତ୍ୱରେ ୭ ଜଣ କାଉନ୍ସିଲର ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଏହାଦ୍ୱାରା ବଲାଙ୍ଗୀର ଜିଲ୍ଲା, ପାଟଣାଗଡ ବିଧାନସଭା ଓ ଏନ୍ଏସିରେ ଦଳର ସଂଗଠନ ଆହୁରି ମଜଭୁତ ହୋଇପାରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ିଚାଲିଛି । ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ । ଦେଶର ୨୧ ରାଜ୍ୟରେ ବିଜେପି ଏବଂ ଏନ୍ଡିଏର ସରକାର ଅଛି । ସାଂସଦ, ବିଧାୟକଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରତିନିଧି ପର୍ଯ୍ୟନ୍ତ ସବୁଠି ବିଜେପି ଏକ ତରଫା ଭାବେ ଭାରତବର୍ଷରେ ଶାସନ କ୍ଷମତାରେ ରହିଛି । ସମସ୍ତେ ମିଳିମିଶି ଏଠାକାର ମୌଳିକ ସମସ୍ୟାର ସମାଧାନ କରି ବଲାଙ୍ଗୀର ଜିଲ୍ଲା, ପାଟଣାଗଡ଼ ଏନ୍ଏସି ଏବଂ ଓଡ଼ିଶାକୁ ବିକଶିତ କରିବା ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଏହି ମିଶ୍ରଣ ପର୍ବରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି.ସିଂହଦେଓ ସମସ୍ତ ନୂତନ କାର୍ଯ୍ୟକର୍ତାଙ୍କୁ ଦଳକୁ ସ୍ୱାଗତ କରି କହିଛନ୍ତି ଯେ, ସମସ୍ତେ ମିଳିମିଶି ସରକାରଙ୍କ ସମସ୍ତ ଯୋଜନାକୁ ଏଠାରେ କାର୍ଯ୍ୟକାରୀ କରିବା । ବଲାଙ୍ଗୀର ଓ ପାଟଣାଗଡ଼ ସମେତ ସାରା ଓଡ଼ିଶାକୁ ବିକାଶ ଅଭିମୁଖେ ଆଗେଇ ନେବା ।
ଏହି ଅବସରରେ ଶ୍ରୀ ପ୍ରଫୁଲ୍ଲ କୁମାର ମେହେରଙ୍କ ସମେତ କାଉନ୍ସିଲର ଶ୍ରୀମତୀ ହେମବନ୍ତୀ ମେହେର, ଶ୍ରୀମତୀ ରୀତା ମେହେର, ଶ୍ରୀ ଶ୍ରୀରାମ ଦଳାଇ, ଶ୍ରୀ ଲୋଚନ ଭୋଇ, ଶ୍ରୀ ମକୁନ୍ଦ ମେହେର ପ୍ରମୁଖ ବିଜେଡି ଛାଡ଼ି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି । ସେହିପରି ସ୍ୱାଧୀନ କାଉନ୍ସିଲର ଶ୍ରୀମତୀ ରୁନୁ କୁମ୍ଭାର ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।
ଏହି ମିଶ୍ରଣ ପର୍ବରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ୍ କୁମାର ଦାସ, ରାଜ୍ୟ ସମବାୟ ପ୍ରକୋଷ୍ଠ ସଂଯୋଜକ ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜ, ଶ୍ରୀ ରଶ୍ମିରଞ୍ଜନ କାନୁନ୍ଗୋ ଓ ପାଟଣାଗଡ଼ ନଗର ସଭାପତି ଶ୍ରୀ ସନ୍ୟାସୀ ବାଗ୍ ପ୍ରମୁଖ ଉପସ୍ଥିତ ଥିଲେ ।