Odisha news

କୁଡ୍‌ମୀ ସମାଜ, ପଛୁଆ ବର୍ଗ ଓ ମୟୁରଭଞ୍ଜବାସୀଙ୍କ ପ୍ରତି ଘୋର ଅସମ୍ମାନ : ସୁରଥ ବିଶ୍ୱାଳ

0

 ଦେଶ ଓ ରାଜ୍ୟକୁ ବାଂଲାଦେଶ ସହ ତୁଳନା କରି ନୂତନ କରି ନେତା ସାଜିଥିବା ସନ୍ତୁପ୍ତ ମିଶ୍ର ନିଜ ଅପରିପକ୍ୱତାର ପରିଚୟ ଦେଇଛନ୍ତି

ଭୁବନେଶ୍ୱର, ତା.୦୯/୦୮: ଜଣେ କୁଡ୍‌ମୀ ସମାଜ ଓ ପଛୁଆ ବର୍ଗର ନେତ୍ରୀଙ୍କୁ ସାମାନ୍ୟ ଗଛର ଡାଳ ସହ ତୁଳନା କରି ସମଗ୍ର କୁଡ୍‌ମୀ ସମାଜ, ମୟୁରଭଞ୍ଜବାସୀ ତଥା ସମସ୍ତ ବିଜେଡି କର୍ମୀଙ୍କୁ ଅସମ୍ମାନ କରାଯାଇଛି । ଆଜି ବିଜେଡିର ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ସନ୍ତୁପ୍ତ ମିଶ୍ରଙ୍କ ବକ୍ତବ୍ୟରୁ ତାହା ସ୍ପଷ୍ଟ ହୋଇଛି ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ।
ମୁଖିଆଙ୍କ ଜିଲ୍ଲାର ଡାଳ, ପତ୍ର ସବୁ ଯାଇଥିବାବେଳେ କେବଳ ଥୁଂଟା ଗଛଟିଏ ବିଷୟର ଶ୍ରୀ ସଂତୃପ୍ତ ମିଶ୍ର କ’ଣ କହିବେ? ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ‘ସଂତୃପ୍ତ ମିଶ୍ର’ ନାମରେ ଯେଉଁ ମଞ୍ଜିଟି କଟକରେ ଲଗାଇଥିଲେ ତାହା ତ ମୂଳରୁ ଗଜା ହେଲା ନାହିଁ, ଗଛ ଓ ଡାଳ ଆସିବ କେଉଁଠୁ ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।
ଆମ ଦେଶ ଓ ରାଜ୍ୟକୁ ବାଂଲାଦେଶ ସହ ତୁଳନା କରି ନୂତନ କରି ନେତା ସାଜିଥିବା ମିଶ୍ର ବାବୁ ନିଜର ଅପରିପକ୍ୱତାର ଆଉ ଏକ ପରିଚୟ ଦେଉନାହାଁନ୍ତି କି? ଜନନେତା, ପ୍ରତିଷ୍ଠାତା ସଦସ୍ୟ ଯେଉଁଠି ଅଲୋଡା ସେଇଠି ନୂଆ କରି ନେତାଗିରି କରୁଥିବା ଆଉ ଜଣେ ଅଫିସର ଦଳର ଗଣତନ୍ତ୍ର କଥା କହୁଛନ୍ତି । ପୋଷ୍ଟରରୁ ବିଜୁ ପଟ୍ଟନାୟକଙ୍କ ଛବି ଗାୟବ କରି ଗୁମାସ୍ତାର ଛବି ଯୋଡିଥିବା ବିଜେଡି ଦଳର ନେତାମାନେ “ବରପୁତ୍ରଙ୍କ ସମ୍ମାନ” କଥା କହିବା ହାସ୍ୟାସ୍ପଦ । ବାସ୍ତବରେ ବିଜେଡି ଶାସନରେ ବିଜୁ ବାବୁଙ୍କୁ ସବୁଠୁ ଅଧିକ ଅପମାନ କରିଛି ।
ଜଣେ ପ୍ରଶାସକରୁ ନେତା ହୋଇ ରାଜ୍ୟ ସାରା କୋଟି କୋଟି ଅପବ୍ୟୟ କରି ହେଲିକେପ୍ଟରରେ ବୁଲି ନେତାମାନଙ୍କୁ ତଳେ ଠିଆ କରି ଟ୍ରାଫିକ୍ ପୋଲିସ୍ ଦାୟୀତ୍ୱ ଦେଲେ ଏହା କିଭଳି ସମ୍ମାନ? ଦଳକୁ ପୁନରୁଦ୍ଧାର କରନ୍ତୁ ମନା ନାହିଁ, ପ୍ରଭାବଶାଳୀ କ୍ଷମତା କେନ୍ଦ୍ରମାନଙ୍କ ବିଷୟରେ କ’ଣ କହୁଛନ୍ତି ଶ୍ରୀ ମିଶ୍ର, ତାହା ଜାଣି ରଖିବା ଉଚିତ୍ । ନିଜ ଦଳର କର୍ମୀ ନେତା ମାଳ ମାଳ ହୋଇ ବିଜେଡି ଛାଡୁଥିବା ବେଳେ ସଂତୃପ୍ତ ମିଶ୍ରଙ୍କ ଏହି ବୟାନ ଦଳୀୟ କର୍ମୀଙ୍କ ‘କଟା ଘା ରେ ଚୂନ’ ନୁହେଁ କି? ବିଜେଡିର ନେତାମାନେ ପ୍ରଥମେ ନିଜ ଦଳର କର୍ମୀମାନଙ୍କୁ ଆଗ ସମ୍ମାନ ଦିଅନ୍ତୁ, ତା ପରେ ସ୍ୱତନ୍ତ୍ରତା ସେନାନୀ ଓ ବରପୁତ୍ରମାନଙ୍କୁ ସମ୍ମାନର କଥା କହିବାର ଯଥାର୍ଥ ରହିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

IEC 2 years
Leave A Reply