ନାଉଗାଁ : ଦେଶ ମାତୃକାର ସେବାରେ ଯେଉଁ ମହାନ ଦେଶପ୍ରେମୀ ମାନେ ନିଜର ଜୀବନକୁ ବାଜି ଲଗାଇ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ସେମାନଙ୍କ ମଧ୍ୟରୁ ଅନନ୍ୟ ବରିଷ୍ଠ ଶତାୟୁ ସ୍ଵାଧୀନତା ସଂଗ୍ରାମୀ ହେଉଛନ୍ତି ବିଶ୍ଵନାଥ ଦାସ। ବୟସ ୧୦୨ ବର୍ଷ । ୧୯୧୮ ମସିହାରେ ସେ ପିତା ସ୍ଵର୍ଗତ ଘନଶ୍ୟାମ ଦାସ ଓ ମାତା ସ୍ଵର୍ଗତା ବେଲ ଦେଇଙ୍କ କୋଳମଣ୍ଡନ କରି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଭଗବାନ ସିଣ୍ଡୋଳ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ।
ଆଜି ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଅବସରରେ ଜଗତସିଂହପୁର ଜିଲ୍ଲାର ଏକମାତ୍ର ସ୍ଵାଧୀନତା ସଂଗ୍ରାମୀ ଭାବେ ଶ୍ରୀ ବିଶ୍ଵନାଥ ଦାସଙ୍କୁ ରାଷ୍ଟ୍ରପତି ସମ୍ମାନରେ ସମ୍ମାନିତ କରାଯାଇଛି। ତେବେ ସାମ୍ପ୍ରତିକ ପରିସ୍ଥିତିରେ କୋଭିଡ୍ – ୧୯ କରୋନା ମହାମାରୀ ପାଇଁ ଶ୍ରୀ ଦାସଙ୍କୁ ଏହି ସମ୍ମାନ ଗ୍ରହଣ କରିବା ପାଇଁ ରାଷ୍ଟ୍ରପତିଙ୍କ ଭବନକୁ ଯିବାକୁ ପଡିଲା ନାହିଁ। ସ୍ଵାଧୀନତା ସଂଗ୍ରାମୀ ଶ୍ରୀ ଦାସଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବା ପାଇଁ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ନିଜେ ଭଗବାନ ସିଣ୍ଡୋଳ ଗ୍ରାମର ଏହି ଶତାୟୁ ସ୍ଵାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସଙ୍କ ବାସଭବନରେ ପହଞ୍ଚି ତାଙ୍କୁ ରାଷ୍ଟ୍ରପତିଙ୍କ ସମ୍ମାନରେ ସମ୍ବର୍ଦ୍ଧିତ କରିଛନ୍ତି
