ଭୁବନେଶ୍ୱର,୨୪/୭ : ଓଡ଼ିଶା ବିଧାନସଭାର ୫ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ବୋଲି ଜଣାଯିବା ପରେ ଆଗାମୀ ଜୁଲାଇ ୩୧ ଯାଏଁ ବିଧାନସଭାକୁ ବନ୍ଦ ରଖାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଏହାଛଡା ସଂପୃକ୍ତ କରୋନାରେ ଆକ୍ରାନ୍ତ କର୍ମଚାରୀଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବି ବାଚସ୍ପତି କହିଛନ୍ତି । ନୀଳଗିରି ବିଧାୟକଙ୍କ ସଂସର୍ଶରେ ଆସିଥିବା ୧୨ ଜଣଙ୍କ କରୋନା ପରୀକ୍ଷା କରାଯିବା ପରେ ସେମାନˆ ଭିତରୁ୫ ଜଣଙ୍କ କରୋନା ପରୀକ୍ଷା ରିପୋର୍ଟ ଆସିଛି । ଏମାନେ ସମସ୍ତେ ଘରୋଇ ସଂଗରୋଧରେ ରହିଛନ୍ତି । ତେବେ କରୋନା ପଜିଟିଭ ବାହାରିବା ପରେ ବିଧାନସଭା ସାନିଟାଇଜ କରାଯିବ । ଆଗାମୀ ଅଗଷ୍ଟ ୧ ତାରିଖ ଦିନ ବିଦାନସଭା ସାନିଟାଇଜ କରାଯିବ ଏବଂ ୪ ତାରିଖରେ ବିଧାନସଭା ଖୋଲିବ ବୋଲି ମଧ୍ୟ ବାଚସ୍ପତି କହିଛନ୍ତି । ସୂଚନା ଅନୁସାରେ ଦେବୀମିଶ୍ରଙ୍କ ସଭାପତିତ୍ୱରେ ହୋଇଥିବା କମିଟି ବୈଠକରେ ନୀଳଗିରି ବିଦାୟକ ଉପସ୍ଥିତ ଥିଲେ । ତା’ପରେ ବୈଠକ ବାତିଲ କରାଯାଇଥିଲା । ସେବେଠାରୁ ସମସ୍ତେ ସଂଗରୋଧରେ ଥିଲେ । ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୨,୬୯୩କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି କରୋନାରେ ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି । ଏହାପରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ମୋଟ୍ ୧୪,୩୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୧୪୮ ରହିଛି ।
