ଭୋଗରାଇ-୦୯/୦୨ ଜାପାନର ରାଜଧାନୀ ଟୋକିଓ ନିକଟସ୍ଥ ଆଟାକୁ ସହରର ଥିବା ଏକ ଘରୋଇ ହୋଟେଲରେ କାର୍ଯ୍ୟରତ ୨ ଓଡ଼ିଆ ଶ୍ରମିକଙ୍କ ମର ଶରୀର ରବିବାର ସକାଳେ ଦିଲ୍ଲୀ ବିମାନ ବନ୍ଦରରୁ ଏୟାରଇଣ୍ଡିଆ ଏଆଇ-୪୦୧ ବିମାନ ଯୋଗେ କୋଲକତା ଦମ୍ଦମ୍ ବିମାନବନ୍ଦରରେ ପହଞ୍ଚିଥିଲା ସେଠାରୁ ମୃତ ଦେହକୁ ଓଡ଼ିଆ ଶ୍ରମିକଙ୍କ ପରିବାର ଓ ଆତ୍ମୀୟ ସ୍ୱଜନମାନେ ୨ଟି ଆମ୍ବୁଲାନ୍ସ ଯୋଗେ କସବା କମର୍ଦ୍ଦା ଗ୍ରାମକୁ ଆଣିଥିବା ବେଳେ ଗୋଟିଏ ମୃତଦେହ ଯାଜପୁର ଜିଲ୍ଲା ବଡ଼ଚଣାବ୍ଲକ ବାଲିଚନ୍ଦ୍ରପୁର ଥାନା ପଠାଣ ମହଲା ବସ୍ତିକୁ ନିଆଯାଇଥିବା ଜଣାପଡ଼ିଛି । କମର୍ଦ୍ଦା ଥାନା କସବା କମର୍ଦ୍ଦା ଗ୍ରାମର ସେଖ୍ ମମତାଜ (୪୫), ବାଲିଚନ୍ଦ୍ରପୁର ଥାନା ପଠାଣମହଲା ବସ୍ତିର ସେକ୍ ବାହାରୁଦ୍ଦିନ୍ ନାମକ ୨ଜଣ ଶ୍ରମିକ ଜାପାନରେ ଏକ ଘରୋଇ ହୋଟେଲରେ ରୋଷେୟା ଭାବେ କାମ କରୁଥିଲେ । ଗତ ୨୯ ତାରିଖ ଦିନ ଘରେ ଶୋଇଥିବା ବେଳେ ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ତାଙ୍କର ମୃତୁ୍ୟ ଘଟିଥିଲା । ମୃତଶ୍ରମିକ ଦ୍ୱୟଙ୍କ ମର ଶରୀରକୁ ଜାପାନରୁ ଓଡ଼ିଶା ଆଣିବା ନିମନ୍ତେ ୧୫ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଥିବା ବେଳେ ମୃତକଙ୍କ ପରିବାରର ସମ୍ବଳ ନଥିବାରୁ ସେମାନେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ବାଲେଶ୍ୱର ପ୍ରଶାସନ ଓ ଯାଜପୁର ପ୍ରଶାସନକୁ ନିବେଦନ କରିଥିଲେ । ଏହି ଘଟଣା ଉପରେ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗୁରୁତ୍ୱଦେଇ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବା ପରେ ସରକାରୀ ଅର୍ଥରେ ୨ଓଡ଼ିଆ ଶ୍ରମିକଙ୍କ ମରଶରୀର ଓଡ଼ିଶାକୁ ଫେରିବା ସମ୍ଭବ ହୋଇଛି । ମୃତ ଓଡ଼ିଆ ଶ୍ରମିକ ମମତାଜଙ୍କୁ ତାଙ୍କ ପୈତୃକ ଘର ଆରୁହାବୃତ୍ତି ଗାଁଙ୍କୁ ନିଆଯାଇ ସେଠାରେ କବର ଦିଆଯାଇଥିବା ବେଳେ ବାଲିଚନ୍ଦ୍ରପୁର ପଠାଣମହଲା ଗ୍ରାମର ବାହାରୁଦ୍ଦିନ୍ଙ୍କ ଶବକୁ ତାଙ୍କର ଜନ୍ମସ୍ଥାନକୁ ନିଆଯାଇ ସେଠାରେ କବର ଦିଆଯାଇଥିବା ଖବର ମିଳିଛି ।