ଭଞ୍ଜନଗର : ସ୍ଥାନୀୟ ଲଣ୍ଡେଇସାହିର ବାସିନ୍ଦା ପ୍ରଶାନ୍ତ କୁମାର ଲେଙ୍କା ଆଇ.ଟି.ବି.ପି.ର ଯବାନଭାବେ ସୁଦୁର ଅରୁଣାଞ୍ଚଳ ପ୍ରଦେଶରେ କାର୍ଯ୍ୟରତ ଥିଲେ । ଗତ ୨୬ ତାରିଖ ଦିନ ସେ କର୍ତ୍ତବ୍ୟରେ ଥିବାବେଳେ ଶହୀଦ ହୋଇଥିବା ଖବର ଏଠାରେ ପହଞ୍ଚôବା ପରେ ସମଗ୍ର ସହରରେ ଶୋକରଛାୟା ଖେଳି ଯାଇଥିଲା । ଶହୀଦ ପ୍ରଶାନ୍ତ ଅରୁଣାଞ୍ଚଳପ୍ରଦେଶର ତାସିଙ୍ଗ ଅଞ୍ଚଳରେଥିବା ଇଣ୍ଡୋଚୀନ୍ ସୀମାରେ କାର୍ଯ୍ୟରତ ଥିଲେ । ୩୧ ନମ୍ବର ବାଟାଲିୟନ୍ର ଏହି ଯବାନ୍ ସୀମାରେ କାର୍ଯ୍ୟରତଥିବାବେଳେ ପ୍ରବଳ ତୁଷାରପାତ ଏବଂ ଭୟଙ୍କର ଥଣ୍ଡାରେ ମଧ୍ୟ ନିଜ କର୍ତ୍ତବ୍ୟ କରିଚାଲିଥିଲେ । ଗତ ୨୬ ତାରିଖ ଦିନ ଏହି ପ୍ରତିକୂଳ ପାଗରେ ମଧ୍ୟ ସେ କର୍ତ୍ତବ୍ୟ କରୁଥିବାବେଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିଯାଇଥି+ଲେ । ତାଙ୍କୁ ଡ଼ାକ୍ତରଖାନାକୁ ନିଆଗଲା ।
ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କଲେ । ଦେଶର ସୀମାରକ୍ଷା କରି ପ୍ରାଣଦେଇଥିବା ଏହି ଶହୀଦ ଯବାନଙ୍କ ମର ଶରୀର ଶନିବାରଦିନ ଆଇ.ଟି.ବି.ପି.ର ଏସ.ଆଇ. ନିତେନ୍ଦର୍ ଶର୍ମା ଏବଂ ଏ.ଏସ.ଆଇ ଗଜେନ୍ଦ୍ର ହେମ୍ବ୍ରମ୍ଙ୍କ ତତ୍ତ୍ୱାବଧାନରେ ଭଞ୍ଜନଗର ତାଙ୍କ ବାସଗୃହରେ ପହଞ୍ଚିବା ପରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଶହ ଶହ ଜନତା ତାଙ୍କ ଘରପାଖରେ ପହଞ୍ଚିଥିଲେ ।
ତା’ପରେ ‘ଭାରତ ମାତା କି ଜୟ’, ‘ପ୍ରଶାନ୍ତ କୁମାର ଅମର ରହେ’ ଧ୍ୱନି ଦେଇ ଶହ ଶହ ଜନତା ଗାର୍ଡ଼ ଅଫ୍ ଅନର୍ ଦେଉଥିବା ଯବାନ, ଭଞ୍ଜନଗର ସବକଲେକ୍ଟର ରାଜେନ୍ଦ୍ର କୁମାର ମିଞ୍ଜ, ଏସ.ଡ଼ି.ପି.ଓ., ଶୁଭ୍ରାଂଶୁ ଶେଖର ମିଶ୍ର, ଆଇ.ଆଇ.ସି. ସୁଦୀପ୍ତ ସାହୁ, ତହସିଲଦାର ଆଲୋକ କୁମାର ପ୍ରଧାନଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଶୋଭାଯାତ୍ରାରେ ଯୋଗ ଦେଇ ବେଲେଶ୍ୱର ରାସ୍ତାରେ ଥିବା ଶ୍ମଶାନ ନିକଟରେ ଅନ୍ତିମ ସଂସ୍କାର ନିମନ୍ତେ ପହଞ୍ଚିଥିଲେ । ସେଠାରେ ଶହୀଦ ପ୍ରଶାନ୍ତଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଇ.ଟି.ବି.ପି.ର ଯବାନମାନେ ସମ୍ମାନ ଜଣାଇ ଶ୍ରଦ୍ଧାଞ୍ଜଳି ଦେବା ପରେ ଉପରୋକ୍ତ ପ୍ରଶାସନିକ ଅଧିକାରୀଙ୍କ ସମେତ ଉପସ୍ଥିତ ବ୍ୟକ୍ତିବିଶେଷ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ । ଶହୀଦ ପ୍ରଶାନ୍ତଙ୍କ ଦୁଇଟି କନ୍ୟା ସନ୍ତାନ ଅଛନ୍ତି ।