Odisha news

ଜଳିଗଲା ୧୦ ଏକର ଜମିର ଧାନ ଗଦା , ୬ ପରିବାର ସର୍ବସ୍ୱାନ୍ତ

0

ଭଞ୍ଜନଗର,୭/୧(ଆପ୍ର)୬ଟି ପରିବାରର ବର୍ଷକର ଧାନଖନ୍ଦ ଜଳିଗଲା । ବର୍ଷକର ପରିଶ୍ରମ ମଧ୍ୟ ବେକାର ହୋଇଗଲା । ବେଲଗୁଣ୍ଠା ବ୍ଲକର ବଡପଡା ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀ ଗ୍ରାମର ୬ଟି ଚାଷୀ ପରିବାର ଏବେ ନିଜର ଅନାଗତ ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଛନ୍ତି । ମିଳିଥିବା ସୁଚନା ପ୍ରକାରେ ଗୁରୁବାର ଦ୍ୱିପହର ସମୟରେ ହଠାତ୍ କୁଶପଲ୍ଲୀ ଗ୍ରାମର ଧାନଖଳାରେ ନିଆଁ ଲାଗିଯାଇଥିଲା । ଆଉ ନିଆଁ ଲାଗିବା ଜଣାପଡିବାପରେ ଗାଆଁରେ ଚହଳ ପଡିଯାଇଥିଲା । ଖଳାରେ ଗ୍ରାମର ପାଖାପାଖି ୫୦ଜଣ ଚାଷୀଙ୍କ ଧାନ ରହିଥିବାବେଳେ ସଭିଏଁ ବର୍ଷକର ଖାଦ୍ୟକୁ ବଞ୍ଚାଇବାକୁ ପ୍ରାଣପଣେ ଚେଷ୍ଟା କରିଥିଲେ ।

ତୁରନ୍ତ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଭଞ୍ଜନଗରରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଫଳରେ ବହୁ ଚାଷୀଙ୍କ ଧାନ ଜଳିବାରୁ ରକ୍ଷା ପାଇଯାଇଥିଲା । ତେବେ ଏହି ଅଗ୍ନିକାଣ୍ଡରେ କୁଶପଲ୍ଲୀ ଗ୍ରାମର ଶୁକୁ୍ର ପାତ୍ରଙ୍କ ୨ଏକର, ପୁନିଆ ଓରଫ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଏକ ଏକର, ସୁରେନ୍ଦ୍ର ପୋଲାଇଙ୍କ ୨ଏକର, ସାରସ ପାତ୍ରଙ୍କ ଏକ ଏକର, ରୀତା ପାତ୍ରଙ୍କ ୨ ଏକର ଓ ସତ୍ୟନାରାୟଣ ଜେନାଙ୍କ ୨ ଏକର ଧାନ ଫସଲ ସଂପୂର୍ଣ୍ଣ ଜଳିଯାଇଛି । ମୋଟ ୫ଟି ଧାନଗଦା ଜଳିଯାଇଥିବାବେଳେ ୨ଟି ପାଳ ଗଦାରେ ମଧ୍ୟ ନିଆଁ ଲାଗିଯାଇଥିଲା । ନିଜର ବର୍ଷକର ଧାନ ଫସଲ ଜଳିଯିବାପରେ ଏବେ ଖାଦ୍ୟ ଚିନ୍ତାରେ ପଡିଛନ୍ତି ଏହି ୬ ପରିବାର । ଏଥିସହ ଏମାନେ ବର୍ଷକର ଧାନ ବିହନ ମଧ୍ୟ କିଭଳି ସଂଗ୍ରହ ହେବ ସେହି ଚିନ୍ତାରେ ପଡିଛନ୍ତି । ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୁରଣ ଦେବାକୁ ଗ୍ରାମର ଚାଷୀକୂଳ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ।

Nalco
Leave A Reply